ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସରକାରୀ ସୀକୃତି ଅପେକ୍ଷାରେ ପ୍ରାଚୀନ ଆଦିବାସୀ ସମ୍ପ୍ରଦାୟ ସଉରାଙ୍କ ଲିପି ଓ ଭାଷା। ପୂର୍ବରୁ ଏନେଇ ଅନେକ ଥର ଦାବି ହୋଇଛି କିନ୍ତୁ ତାହା ସରକାରଙ୍କ ନିକଟରେ ପହଞ୍ଚି ପାରିନାହିଁ। ତେବେ ଏହି ଦାବିକୁ ପୁଣି ଥରେ ଦୋହରାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ସଉରା ଭାଷାକୁ ସାମ୍ବିଧାନିକ ଭାଷା ମାନ୍ୟତା ପ୍ରଦାନ କରିବାକୁ ସେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ସୂଚନା ଦେଇଛନ୍ତି।

ଆଦିମ ଅଦିବାସୀ ସଉରା ସମ୍ପ୍ରଦାୟ ଲୋକଙ୍କ ସଂସ୍କୃତି ଓ ପରମ୍ପରା ବହୁ ପ୍ରାଚୀନ। ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ହୁନ୍ଦୁ ଧର୍ମଗ୍ରନ୍ଥ ରାମାୟଣରେ। ବନବାସ ସମୟରେ ଭଗବାନ ରାମଚନ୍ଦ୍ର ଏକ ଶବରୁଣୀ ହାତରୁ ଅଇଁଠା ଫଳ ଭକ୍ଷଣ କରିଥିବା ଏବଂ ଗୁହକ ଶବର ସଙ୍ଗେ ମିତ୍ରତା ସ୍ଥାପନ କରିଥିବା ରାମାୟଣରେ ବର୍ଣ୍ଣନା କରାଯାଇଛି। ଏହା ପ୍ରମାଣିତ କରିଛି ଯେ, ଆଦିବାସୀ ସମ୍ପ୍ରଦାୟ ବହୁ ପୁରାତନ କାଳରୁ ରହି ଆସିଛି।ଗୋଟିଏ ଗୋଷ୍ଠୀ ଲୋକଙ୍କୁ ଏକତ୍ରିତ କରିବା ଏବଂ ସେମାନଙ୍କ କଳା, ସଂସ୍କୃତି ଭାସ୍କର୍ଯ୍ୟକୁ ବଞ୍ଚାଇ ରଖିବାର ବଳିଷ୍ଠ ମାଧ୍ୟମ ହେଉଛି ସେହି ଗୋଷ୍ଠୀର ଭାଷା ଓ ଲିପି। ଏହା ଗୋଟିଏ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେଣୁ ଏକ ପରମ୍ପରା, ସଂସ୍କୃତି ତଥା ଜାତିକୁ ଉଜ୍ଜୀବିତ କରି ରଖିବାକୁ ହେଲେ ଭାଷା ଏବଂ ଲିପି ବଞ୍ଚିରହିବା ନିହାତି ଜରୁରୀ।

ସେହିପରି ଗୋଟିଏ ଗୋଷ୍ଠୀ ମଧ୍ୟରେ ସୁସ୍ଥ ଓ ଶିକ୍ଷିତ ସମାଜ ଗଠନ ପାଇଁ ମାତୃଭାଷା ଓ ଲିପିର ଅନୁରୂପ ଆବଶ୍ୟକତା ରହିଥାଏ। ତେବେ କାହିଁ କେଉଁ ଆବହମାନ କାଳରୁ ଆଦିବାସୀ ସଉରା ସମ୍ପ୍ରଦାୟ ରହିଆସିଥିବା ପ୍ରମାଣ ବିଭିନ୍ନ ପୁରାଣ ଓ ଶାସ୍ତ୍ରରରେ ଦର୍ଶାଇଥିବା ବେଳେ ସଉରା ଲିପିକୁ ଆଜିସୁଦ୍ଧା ସରକାରୀ ସ୍ତରରେ କିମ୍ବା ସାମ୍ବିଧାନିକ ଭାଷା ରୂପେ ମାନ୍ୟତା ମିଳି ନାହିଁ।ବିଭିନ୍ନ ସମୟରେ ସ୍ଥାନୀୟ ଜନପ୍ରତିନିଧି ସଉରା ଭାଷାକୁ ସରକାରୀ ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତି ସତ, ମାତ୍ର ଆନ୍ତରିକତା ଅଭାବରୁ ଏହାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଅସମର୍ଥ ହୋଇଛନ୍ତି। ତେଣୁ ସଉରା ଭାଷାକୁ ସାମ୍ବିଧାନିକ ଭାଷା ମାନ୍ୟତା ପ୍ରଦାନ ପାଇଁ ଗିରିଧର ଗମାଙ୍ଗ, ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ସମେତ ଅନ୍ୟ ସହଯୋଗୀମାନେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନା କରିବେ ବୋଲି ସୂଚନା ମିଳିଛି।

ଆଜକୁ ୮୪ ବର୍ଷ ବିତିଯାଇଥିଲେ ମଧ୍ୟ ସୀକୃତି ପାଇବାକୁ ଅପେକ୍ଷା କରିଛି ସଉରା ଲିପି। ରାଜ୍ୟର ଦକ୍ଷିଣାଞ୍ଚଳ ଜିଲ୍ଲା ରାୟଗଡ଼ା ଓ ଗଜପତି ଏବଂ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଜିଲ୍ଲା ଶ୍ରୀକାକୁଲମ ଓ ଭିଜୟନଗରମ ଜିଲ୍ଲାର ପାହାଡ଼ିଆ ଉପାନ୍ତ ଅଞ୍ଚଳରେ ଏହି ପୁରାତନ ଆଦିବାସୀ ସମ୍ପ୍ରଦାୟ ଲୋକେ ବସବାସ କରିଥାନ୍ତି। ଏଥିସହିତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ମଧ୍ୟପ୍ରେଦଶ ଓ ମହାରାଷ୍ଟ୍ର ପୂର୍ବଘାଟ ପର୍ବତମାଳା ପାଦଦେଶରେ ସଉରା ସମ୍ପ୍ରଦାୟର ଲୋକେ ବାସ କରନ୍ତି। ଉପରୋକ୍ତ ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଲୋକ ସଉରା ଭାଷାରେ ଯୋଗାଯୋଗ ସ୍ଥାପନ କରନ୍ତି।କିମ୍ବଦନ୍ତୀ ଅନୁଯାୟୀ ଏକ ଅଲୌକିକ ଘଟଣାକ୍ରମରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ଅବସ୍ଥିତ ମରିଚଗୁଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ ମାଙ୍ଗେଇ ଗମାଙ୍ଗ ୧୯୩୬ ମସିହା ମେ ମାସ ଶେଷ ସପ୍ତାହରେ ସଉରା ଲିପିର ସନ୍ଧାନ କରିଥିଲେ। ସେ ତେଡ଼ିଗୁଡ଼ା ନିକଟ ଇଦମତଲେୟାଙ୍ଗ ବୁର ପାହାଡ଼ରେ ୨୧ ଦିନ ତପସ୍ୟା କରି ଅକ୍ଷର ବ୍ରହ୍ମ ପ୍ରାପ୍ତ କରିଥିଲେ।

ଓଡିଆ ଭାଷା ସହିତ ସାମଞ୍ଜସ୍ୟ ଥିବା ୨୪ ଗୋଟି ଅକ୍ଷର ଓ ୧୦ ଗୋଟି ସଂଖ୍ୟା କଳ୍ପିତ ହୋଇ ପଥରରେ ଖୋଦା ହୋଇଥିବା ପଣ୍ଡିତଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଏହି ଅକ୍ଷରକୁ ସ୍ଥାନୀୟ ଭାଷାରେ ‘ସୋରାଙ୍ଗ ସମ୍ପେଙ୍ଗ’ ବୋଲି କୁହାଯାଇଥାଏ, ଯାହା ଏବେ ମରିଚଗୁଡ଼ା ଗାଁରେ ଅକ୍ଷର ବ୍ରହ୍ମା ରୂପେ ପୂଜା ପାଉଛି।

ଏହି ପୁରାତନ ଭାଷା ଓ ଲିପିକୁ ସରକାରୀ ଓ ପ୍ରଶାସନିକ ସ୍ତରରେ ମାନ୍ୟତା ଦେବାକୁ ଅନେକ ସାରସ୍ଵତ ସାଧକ ଉଦ୍ୟମ କରିସାରିଛନ୍ତି। ଏମାନଙ୍କ ମଧ୍ୟରୁ କୃଷ୍ଣ ଶବର ଅନ୍ୟତମ। ସେ ରାୟଗଡ଼ା ସମେତ ଗଜପତି ଜିଲ୍ଲା ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ବୁଲି ସେଠାରେ ସଉରା ଜନଜାତିଙ୍କୁ ଭାଷା ଓ ଲିପି ସମ୍ପର୍କରେ ସଚେତନ କରୁଛନ୍ତି।ସ୍ୱର୍ଗତ ପଣ୍ଡିତ ମାଙ୍ଗେଇ ଗମାଙ୍ଗ ସଉରା ଭାଷାକୁ ସରକାରୀ ମାନ୍ୟତା ପାଇଁ ବହୁବାର ଉଦ୍ୟମ କରିଥିଲେ। ସଉରା ଲିପିର ଅଧିକ ପ୍ରଚାର ପ୍ରସାର କରିବାକୁ ସେ ୭୦ ଦଶକରେ ଡମ୍ବସରାଠାରେ ସଉରା ଭାଷାରେ ଏକ ଛପାକଳ ପ୍ରତିଷ୍ଠା କରିଥିଲେ। ସେଠାରେ ବହୁ ପତ୍ର ପତ୍ରିକା, ନିମନ୍ତ୍ରଣ ପତ୍ର, ବହି ଆଦି ଛପା ଯାଉଥିଲା।

ପ୍ରାଚୀନ ଆଦିବାସୀ ସଉରା ସମ୍ପ୍ରଦାୟ ଲୋକଙ୍କ କଳା, ସଂସ୍କୃତି ଓ ପରାମ୍ପରାକୁ ବଞ୍ଚାଇ ରଖିବାକୁ ହେଲେ ସରକାରୀ ସ୍ତରରେ ଏହି ଲିପିକୁ ମାନ୍ୟତା ମିଳିବା ଜରୁରୀ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି।

Comment