ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମ୍‌ସି ପକ୍ଷରୁ ଗତ ଶନିବାର ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍‌କୁ ୧୫ ଦିନ ପାଇଁ ସିଲ୍ କରି ଦିଆଯାଇଥିଲା। କିନ୍ତୁ ଏହାକୁ ପୁଣିଥରେ ବେଆଇନ ବୋଲି କହିଛନ୍ତି ଅପରାଜିତା। ଏଥିସହ ସେ ବିଏମସି କମିସନରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି।

‘‘ମତେ କହିବାର ସୁଯୋଗ ନେଇ ଅଫିସକୁ ସିଲ୍‌ କରାଗଲା। କ୍ଷମତା ନଥାଇ କତ୍ତୃତ୍ୱ ଜାହିର କଲା ବିଏମସି। କିନ୍ତୁ ମୁଁ ବିଏମସିକୁ ଦାୟୀ କରୁନାହିଁ, ସରକାରଙ୍କୁ ଦାୟୀ କରୁଛି। ଏଠାରୁ କୌଣସି କରୋନା କେସ୍ ମଧ୍ୟ‌ ବାହାରି ନାହିଁ। କେଉଁ ଆଧାରରେ ଅଫିସକୁ ସିଲ୍‌ କରାଯାଇଛି? ଏହା ଆକ୍ରୋଶ ମୂଳକ ବ୍ୟବହାର ଥିଲା’’, ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି କହିଛନ୍ତି ଅପରାଜିତା।

ସେ ଆହୁରି ମଧ୍ୟ କହିଛନ୍ତି, ”ଏହାଯୋଗୁଁ  ମୋର ଆର୍ଥିକ କ୍ଷତି ହୋଇଛି। ମାନସିକ ଯନ୍ତ୍ରଣା ଦିଆଯାଇଛି। ଏଭଳି କରି ମୋ ଛବିକୁ ଖରାପ କରିବାକୁ ଚେଷ୍ଟା କରାଯାଇଛି। ଏଥିପାଇଁ  ମୁଁ ସରକାର ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇପାରେ। ଏନେଇ ମୁଁ ଚିନ୍ତା କରିଛି। କିନ୍ତୁ ନିଷ୍ପତ୍ତି ନେଇ ନାହିଁ।କୋର୍ଟରେ ମୁଁ ମାନହାନି ମାମଲା ଦାୟର କରିପାରେ ଓ କ୍ଷତିପୂରଣ ମଧ୍ୟ ଦାବି କରିପାରେ”।

ଅକ୍ଟୋବର ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଂସଦ ନିଜେ କିମ୍ବା ଜନ୍ମଦିନ ଉତ୍ସବରେ ସାମିଲ ଅନ୍ୟ ମହିଳାମାନେ ମାସ୍କ ପିନ୍ଧିନଥିଲେ ଏବଂ ସାମାଜିକ ଦୂରତା ମାନିନଥିବା ଅଭିଯୋଗ ହୋଇଥିଲା।

Comment