ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଟିଭି ସାମ୍ବାଦିକଙ୍କ ପ୍ରତି ପୋଲିସ ଆକ୍ସନକୁ ନେଇ ବୈଜୟନ୍ତ – ବିଜେଡି ନେତାଙ୍କ ଟୁଇଟ ଓ୍ୱାର।

ବିଜେପି ଉପସଭାପତି ତଥା ଟେଲିଭିଜନ ଚାନେଲ ଓଟିଭିର ମୁଖିଆ ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ସୋସିଆଲ ମିଡିଆରେ ଓଡ଼ିଶା ପୋଲିସକୁ ଆକ୍ରମଣ କରିଛନ୍ତି। ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ଯେଉଁଭଳି ଭାବେ ପୋଲିସ ଉଠାଇ ନେଲା ସେଥିରୁ ସ୍ପଷ୍ଟ ହେଉଛି ଯେ ଓଡ଼ିଶା ପୋଲିସ କୌଣସି ନିୟମ କାନୁନକୁ ପାଳନ କରୁନାହିଁ। ଟୁଇଟ କରି ସେ ଏକଥା କହିଛନ୍ତି।

ଶନିବାର ରାତି ୧୦ଟା ୩୪ ମିନିଟରେ ଟୁଇଟ କରି ବୈଜୟନ୍ତ କହିଛନ୍ତି, ‘‘ଠିକ୍ ପାକିସ୍ତାନ ଭଳି ନିୟମ କାନୁନ ପାଳନ ନକରି ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ଜେରା କରିବା ଭଳି କାମ କରୁଛି ଓଡିଶା ପୋଲିସ ଓ ମହାରାଷ୍ଟ୍ର ପୋଲିସ’’।

ଏଥିସହିତ ଓଡ଼ିଶାରେ ସାମ୍ବାଦିକଙ୍କ କଣ୍ଠରୁଦ୍ଧ କରାଯାଉଛି। ତେଣୁ ସାମ୍ବାଦିକମାନଙ୍କ ପାଇଁ ସମେସ୍ତ ସ୍ୱର ଉଠାଇବା ଦରକାର ବୋଲି କହିଛନ୍ତି ବୈଜୟନ୍ତ।

କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କର ଏକ ମିଛ ଭିଡିଓ ଭାଇରାଲ ହେବା ଘଟଣାରେ ପୋଲିସର ଆକ୍ସନକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଘଟଣାରେ କିଛି ଦିନ ତଳେ ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ କେନ୍ଦୁଝର ପୋଲିସ ଉଠାଇ ନେଇଥିଲା। ଏମିତିକି କମିସନରେଟ ପୋଲିସ ମଧ୍ୟ ଓଟିଭି ଅଫିସ ସମ୍ମୁଖରେ ଡେରା ପକାଇଥିଲା। ଏହି ଘଟଣାକୁ ନେଇ ଓଟିଭି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗଣମାଧ୍ୟମର ମୁହଁ ବନ୍ଦ କରିବା ପାଇଁ ସରକାର ଏଭଳି କରୁଛନ୍ତି ବୋଲି ଖୋଲାଖୋଲି ଭାବେ ଓଟିଭି ପକ୍ଷରୁ କୁହାଯାଇଥିଲା।

ବୈଜୟନ୍ତ ପଣ୍ଡାଙ୍କୁ ଘେରିଛନ୍ତି ବିଜେଡି ନେତା

ବୈଜୟନ୍ତ ପଣ୍ଡାଙ୍କ ଏହି ଟୁଇଟ ପରେ ତାଙ୍କୁ ଘେରିଛନ୍ତି ବଜେଡି ନେତା। ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଟୁଇଟ କରି ଦେଇଛନ୍ତି କଡ଼ା ଜବାବ।

‘‘ମିଡିଆକୁ ଅସ୍ତ୍ର କରି ଓଟିଭିର ମୁଖିଆ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା ଜଣେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି। ଯେଉଁ ସାମ୍ବାଦିକ ରାଜ୍ୟର ସାଂସଦଙ୍କ ମାନହାନି କରିବା ସହ ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଛନ୍ତି। ଏତେସବୁ ପରେ ଓଡ଼ିଶା ପୋଲିସକୁ ପାକିସ୍ତାନ ସହ ତୁଳନା କରିଛନ୍ତି ବୈଜୟନ୍ତ। ଏହା ପ୍ରତ୍ୟେକ ଓଡ଼ିଆ ଏବଂ ଓଡ଼ିଶା ସଂସ୍କୃତି ପାଇଁ ଅପମାନ’’, ଟୁଇଟରେ ଲେଖିଛନ୍ତି ସସ୍ମିତ।

ସେହିପରି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

‘‘ଜଣେ ଆଦିବାସୀ ମହିଳାଙ୍କ ଭିଡିଓକୁ ନେଇ ମିଥ୍ୟା ଖବର ଭାଇରାଲ କରିବାବେଳେ ପାକିସ୍ତାନ ଆଇନ କଥା କହିବା କେତେ ଠିକ୍ ସମସ୍ତେ ଜାଣିଛନ୍ତି’’, ଟୁଇଟରେ ଲେଖିଛନ୍ତି ଅମର ପଟ୍ଟନାୟକ।

ଏହାବ୍ୟତୀତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅନେକ ବିଜେଡି ନେତା ବୈଜୟନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି।

କ’ଣ ଥିଲା ମୂଳ ଘଟଣା?

୨୦୧୯ ନିର୍ବାଚନରେ କେନ୍ଦୁଝରରୁ ଲୋକସଭା ଆସନରୁ ସାଂସଦ ଭାବେ ଲଢିବା ଲାଗି ବିଜେଡି ଚନ୍ଦ୍ରାଣୀ ମୁର୍ମୁଙ୍କୁ ଟିକେଟ୍ ଦେଇଥିଲା। ଟିକେଟ୍ ପାଇବା ପରେ ତାଙ୍କର ଏକ ମିଥ୍ୟା ଅଶ୍ଲିଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ଚନ୍ଦ୍ରାଣୀ ଥାନାରେ ଏତଲା ଦେଇଥିଲେ। ସୀମାଞ୍ଚଳ ପାତ୍ର, ଜୟଦୀପ୍‌ ଗିରି ଏବଂ ଚିନ୍ମୟ ସେନାପତିଙ୍କୁ ଗିରଫ କରାଯାଇଥିଲା।  କିଛି ଦିନ ତଳେ ଏହି ଘଟଣାରେ ରମେଶ ରଥକୁ ଉଠାଇ ନେଇଥିଲା ପୋଲିସ। ତେବେ କେଉଁଠି ତାଙ୍କୁ ଜେରା କରାଯାଉଥିଲା ସେ ଖବର କାହା ପାଖରେ ନଥିଲା। ଉଠାଇ ନେବାର ଗୋଟିଏ ଦିନ ପରେ ତାଙ୍କୁ ପୁଣି ଓଟିଭି ଅଫିସ ସମ୍ମୁଖରେ ଛାଡ଼ି ଦେଇଥିଲା ପୋଲିସ।

Comment