ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପରିକ ପ୍ରଥା ଅନୁଯାୟୀ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଥାଏ। ଏହି ପୂଜା ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲେ। ଏହି ସମୟରେ ମା’ ମଙ୍ଗଳାଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ।

ଶାରଦୀୟ ପୂଜାର ପ୍ରଥମ ଦିନ କଳସ ପୂଜା ଆରମ୍ଭ ହୋଇ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ। ତମ୍ବା ପାତ୍ରରେ ଥିବା ଶୁଦ୍ଧ ପାଣିରେ ଅଗରୁ, ଚନ୍ଦନ, ହଳଦୀ, ଚୁଆ, କ୍ଷୀର, ମହୁ, ନବାତ ଆଦିକୁ ମିଶାଯାଇ ୧୦୭ କଳସ ଜଳରେ ମା’ଙ୍କୁ ସ୍ନାନମାର୍ଜଣା କରାଯାଏ।

ସାଧାରଣତଃ ପ୍ରତ୍ୟେକ ଦିନ ମା’ଙ୍କ ସ୍ନାନ ସମୟରେ ମନ୍ଦିରର ପହୁଡ଼ ପଡ଼ୁଥିବା ବେଳେ ପ୍ରଥମ ଦିନ ସ୍ନାନ ସମୟରେ ସାହାଣ ମେଲା ରଖାଯାଇଥାଏ। ଫଳରେ ଭକ୍ତମାନେ ମା’ଙ୍କ ସଂପୂର୍ଣ୍ଣ ଅବୟବ ସହିତ ସ୍ନାନମାର୍ଜଣା ନୀତି ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଏହା ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ସନ୍ଧ୍ୟାକୁ ସକାଳ ଧୂପ ହୁଏ। ପରେ ସନ୍ଧ୍ୟା ଆଳତି, ସ୍ନାନ ମାର୍ଜଣା ହୁଏ ଏବଂ ମା’ଙ୍କୁ ସାଧାରଣ ବେଶରେ ସଜାଇ ଦର୍ଶନ ପାଇଁ ମନ୍ଦିରର ସାହାଣ ମେଲା କରାଯାଏ।

ରାତି ପ୍ରାୟ ୩ ଟାକୁ ରାତ୍ର ଧୂପ ଓ ପରେ ବଡ଼ସିଂହାର ନୀତି କରାଯାଇ ପହୁଡ଼ ପକାଯାଏ। ମନ୍ଦିର ବେଢ଼ାରେ ପ୍ରତିଦିନ ପ୍ରାତଃ ସମୟରେ ଜପ ଓ ମଧ୍ୟାହ୍ନରେ ସପ୍ତସତୀ ଚଣ୍ଡିପାଠ କରାଯାଏ। ମୂଳାଷ୍ଟମୀଠାରୁ ତୃତୀୟା ପର୍ଯ୍ୟନ୍ତ ଏହି ସବୁ ନୀତି ଅନୁଷ୍ଠିତ ହେଇଥାଏ।ଚତୁର୍ଥୀ ତିଥି ସନ୍ଧ୍ୟାରେ ମା’ଙ୍କୁ କଲିବେଶରେ ସଜ୍ଜିତ କରାଯାଏ। ମା’ଙ୍କ ପ୍ରତିମା ପଛପଟେ ସୁନ୍ଦର ଧଡ଼ିଥିବା ଶାଢ଼ୀ ପ୍ରଭା ଭାବେ ସଜ୍ଜିତ କରାଯାଇଥିବାରୁ ଏହି ବେଶକୁ କଲିବେଶ କୁହାଯାଏ। ପଞ୍ଚମୀ ତିଥିରେ ମା’ଙ୍କୁ ତୀରକମାଣ ବା ରଘୁନାଥ ବେଶରେ ସଜ୍ଜିତ କରାଯାଏ। କାଠ ତିଆରି ଗୋଡ଼ ଓ ହାତରେ ଧନୁତୀର, କମାଣ ଆଦି ଅସ୍ତ୍ରଶସ୍ତ୍ର ମା’ଙ୍କୁ ଲାଗି କରାଯାଏ।

ପଞ୍ଚମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମଙ୍ଗଳାଙ୍କ ମନ୍ଦିରରେ ପ୍ରମଣି ନୀତି ନାମକ ଏକ ସ୍ୱତନ୍ତ୍ର ନୀତି ପାଳନ ହୋଇଥାଏ। ଉକ୍ତ ଦିନଗୁଡ଼ିକରେ ବିଳମ୍ବିତ ରାତିରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ମଣି ବିମାନରେ ପାର୍ବଣ ମଣ୍ଡପକୁ ନେଇ ବିଜେ କରାଯାଏ। ବିଶ୍ୱାସ ରହିଛି ମହିଷାସୁରକୁ ଠାବ କରିବା ପାଇଁ ମା’ ସବୁଆଡ଼େ ଭ୍ରମଣ କରନ୍ତି।

ଷଷ୍ଠି ତିଥିରେ ମା’ କାତିଖର୍ପର ବେଶରେ ଶୋଭା ପାଆନ୍ତି। ପୂର୍ବରୁ ମା’ଙ୍କୁ ଲାଗି ହେଇଥିବା ଅସ୍ତ୍ରଶସ୍ତ୍ର ସହିତ ଏହିଦିନ କାତି (ଖଣ୍ଡା), ଖର୍ପର (ବର୍ଚ୍ଛା), ସରା (ରକ୍ତ ସଂଗ୍ରହ ପାତ୍ର) ପ୍ରଭୃତି ଅସ୍ତ୍ରଶସ୍ତ୍ର ଲାଗି କରାଯାଇଥାଏ। ମହିଷାସୁର ସହିତ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ମା’ ଦୁର୍ଗା ଯେଉଁ ସବୁ କାର୍ଯ୍ୟ କରିଥିବା ଚଣ୍ଡି ପୁରାଣରେ ବର୍ଣ୍ଣିତ ହୋଇଛି, ସେହି ଅନୁସାରେ ମା’ ମଙ୍ଗଳାଙ୍କୁ ସଜ୍ଜିତ କରାଯାଏ। ସପ୍ତମୀ ତିଥିରେ ମା’ଙ୍କୁ ସିଂହବାହିନୀ ବେଶରେ ସଜ୍ଜିତ କରାଯାଏ। ପାର୍ବଣ ପୂଜାରେ ଅନୁଷ୍ଠିତ ବେଶଗୁଡ଼ିକ ମଧ୍ୟରୁ ଏହି ବେଶ ମା’ଙ୍କର ପ୍ରସିଦ୍ଧ ବେଶ। ମହାଷ୍ଟମୀ ତିଥିରେ ମା’ଙ୍କୁ ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଏ। ଏହି ବେଶରେ ମା’ ମଙ୍ଗଳାଙ୍କ ଶାନ୍ତ ସରଳ ଆଖି ଭୟଙ୍କର ଦେଖାଯାଏ। ବିଳମ୍ବିତ ରାତିରେ ସନ୍ଧିପୂଜା ଓ କୁଷ୍ମାଣ୍ଡବଳୀ ନୀତି ଅନୁଷ୍ଠିତ ହୋଇଥାଏ।

ଅତୀତରେ ଏଠାରେ ମହିଷ (ମଇଁଷି) ବଳି ପଡ଼ୁଥିଲା। ଏବେ ଆଉ ସେ ପ୍ରଥା ନାହିଁ। ୧୯୬୯ ମସିହାରୁ ମହିଷ ବଳିପ୍ରଥା ବନ୍ଦହେଇ କୁଷ୍ମାଣ୍ଡ (ପାଣିକଖାରୁ) ବଳି ଦିଆଯାଉଛି। ନବମୀ ତିଥିରେ ମା’ଙ୍କ ଉଗ୍ର ରୂପକୁ ଶାନ୍ତ କରିବାକୁ ଶାନ୍ତି ପୂଜା ଓ ଶାନ୍ତି ବେଶ ଅନୁଷ୍ଠିତ ହେଇଥାଏ। ମା’ଙ୍କୁ ଏହି ଦିନ ଧଳା ଶାଢ଼ୀ ଓ ଧଳା ଫୁଲରେ ସଜ୍ଜିତ କରାଯାଏ।

ଶେଷ ଦିନ ଅର୍ଥାତ ଦଶହରା ଦିନ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ଆଲୋକ, ଆତସବାଜି ପଟୁଆରରେ ମନ୍ଦିରରୁ କିଛି ଦୂରରେ ଥିବା ସମେଶ୍ୱର ଶମ୍ଭୁମନ୍ଦିରକୁ ନିଆଯାଏ। ସେଠାରେ ହରଦୁର୍ଗା ଭେଟ ନୀତି ସମ୍ପନ୍ନ ହୁଏ। ଏମିତି ଭାବେ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇ ବିଜୟା ଦଶମୀରେ ଶାରଦୀୟ ପାର୍ବଣ ପୂଜା ଶେଷ ହୋଇଥାଏ।

Comment