ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼: ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ବୁଧବାର ଦିନ ଅନୁବନ୍ଧିତ ଘରୋଇ ହସ୍ପିଟାଲ ଏବଂ ଅଲଟ୍ରାସାଉଣ୍ଡ କ୍ଲିନିକର ଡାକ୍ତରମାନଙ୍କ ସହ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଆଲୋଚନା କରିଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନିକଟରେ ଶୁଭାରମ୍ଭ ହୋଇଥିବା ‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କର ଗର୍ଭାବସ୍ଥାରେ ୪ ଥର ମାଗଣାରେ ପରୀକ୍ଷା ସୁନିଶ୍ଚିତ କରିବା ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ ଡାକ୍ତର ସାମିଲ ହୋଇଥିଲେ।

‘‘ଗର୍ଭାବସ୍ଥାରେ ଯତ୍ନ ସେବା କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶେଷକରି ଘରୋଇ ହସ୍ପିଟାଲ ଏବଂ ଅଲଟ୍ରାସାଉଣ୍ଡ କ୍ଲିନିକର ଡାକ୍ତରମାନେ କିପରି ଏହି ସେବା ଗର୍ଭବତୀ ମା’ମାନଙ୍କୁ ଯୋଗାଇଦେବେ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏହାସହ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଟିବି ରୋଗୀଙ୍କ ସବିଶେଷ ବିବରଣୀ ଜିଲ୍ଲା ପ୍ରଶାସନକୁ ଜଣାଇବା ଲାଗି କୁହାଯାଇଛି’’, କହିଛନ୍ତି ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର।ଏହାସହ ଜିଲ୍ଲାରେ କୋଭିଡ୍, ଟିବି, ଟିକାକରଣ ଏବଂ ଅନ୍ୟାନ୍ୟ ରୋଗର ସ୍ଥିତି ଓ ଚିକିତ୍ସା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ସତର୍କତା କିଭଳି ପାଳନ କରାଯାଉଛି ସେ ସମ୍ପର୍କରେ ସିଡିଏମଓ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଡିଏସଡବ୍ଲ୍ୟୁଓ ପ୍ରତିଭା ଦାସଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳାଙ୍କୁ ଗର୍ଭାବସ୍ଥାରେ ପରୀକ୍ଷା ସେବା ଯୋଗାଇ ଦେବା ଲାଗି ୮ଟି ସରକାରୀ ଏବଂ ୪୧ଟି ଘରୋଇ ହସ୍ପିଟାଲ ଓ ଅଲଟ୍ରାସାଉଣ୍ଡ କ୍ଲିନିକକୁ ଅନୁବନ୍ଧିତ କରାଯାଇଛି। ବାର୍ଷିକ ୨୮ ହଜାରରୁ ଅଧିକ ଗର୍ଭବତୀ ମା’ ଏହି ସେବା ସୁଯୋଗ ପାଇବେ।

ଗତ ୧୧ ତାରିଖରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ସୁନ୍ଦରଗଡ଼ ଜିଲ୍ଲାରେ ଶୁଭାରମ୍ଭ କରାଯାଇଥିଲା। ଏହାକୁ ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ସିଡିପିଓ, ଡାକ୍ତର, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ତାଲିମ ଦିଆଯାଉଛି।

Comment