ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ସମସ୍ତ ପୂଜା ମଣ୍ଡପକୁ ‘ନୋ ଏଣ୍ଟ୍ରି ଜୋନ୍’ ଭାବେ ଘୋଷଣା କରିବାର କିଛି ଦିନ ପରେ ଆଜି ଏହି ନିୟମକୁ ସାମାନ୍ୟ କୋହଳ କରିଛନ୍ତି। ପଶ୍ଚିମବଙ୍ଗର ଦଶହରା ମଣ୍ଡପ ଭିତରକୁ ଏବେ ସର୍ବାଧିକ ୪୫ ଜଣ ଲୋକ ପ୍ରବେଶ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ କେବଳ ବଡ଼ ବଡ଼ ପୂଜା ମଣ୍ଡପରେ ଏହି ନିୟମ ଲାଗୁ ହେବ। ଛୋଟ ଛୋଟ ପୂଜା ମଣ୍ଡପରେ ସର୍ବାଧିକ ୧୦ ଜଣ ଲୋକ ପ୍ରବେଶ କରିପାରିବେ ବୋଲି କୋଲକାତା ହୋଇକୋର୍ଟ କହିଛନ୍ତି। ଏହାବାଦ୍ ମଣ୍ଡପ ଭିତରକୁ ଢୋଲ ବାଦକମାନେ ମଧ୍ୟ ପ୍ରବେଶ କରିପାରିବେ ବୋଲି ହାଇକୋର୍ଟ ନିଜ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।କରୋନା କଟକଣା ଭିତରେ ପଶ୍ଚିମବଙ୍ଗରେ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି। ତେଣୁ ସଂକ୍ରମଣକୁ ଆଖି ଆଗରେ କିଛି ଦିନ ତଳେ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ସମସ୍ତ ପୂଜା ମଣ୍ଡପକୁ ‘ନୋ ଏଣ୍ଟ୍ରି ଜୋନ୍’ ଭାବେ ଘୋଷଣା କରିଥିଲେ। ହେଲେ ଏବେ ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଛି।

ଏଥିସହିତ ପୂଜା ପେଣ୍ଡାଲ ଭିତରେ ମାସ୍କ, ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରାଯିବ। ଯେଉଁଠାରେ ଏହି ନିୟମ ପାଳନ ହେଉନଥିବ ସେହି ପୂଜା ମଣ୍ଡପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Comment