ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ବିହାର ନିର୍ବାଚନ ଜିତିଲେ ସେଠାରେ ମାଗଣାରେ କରୋନା ଟିକା ଉପଲବ୍ଧ ହେବ। ଏଥିସହ ରାଜ୍ୟବାସୀଙ୍କୁ ୧୯ ଲକ୍ଷ ନୂଆ ଚାକିରିରେ ନିଯୁକ୍ତି ଦିଆଯିବ। ବୁଧବାର ବିହାର ନିର୍ବାଚନ ପାଇଁ ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ସମୟରେ ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି।

ବିହାରରେ ଅକ୍ଟୋବର ୨୮ ତାରିଖରୁ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଆଜି ବିଜେପି ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ବିଜେପି ନିଜର ଏହି ସଙ୍କଳ୍ପ ପତ୍ରର ଘୋଷଣା କରିଛି। ବିଜେପି ବିହାର ନିର୍ବାଚନ ଜିତିଲେ ୧୧ଟି କଥା ରଖିବ ବୋଲି ଏହି ସଙ୍କଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି।

  • ପ୍ରତି ବିହାରବାସୀଙ୍କୁ ମାଗଣାରେ ଦିଆଯିବ କରୋନା ଟିକା
  • ମେଡିକାଲ୍, ଇଞ୍ଜିନିୟରିଂ ସମେତ ସମସ୍ତ ବୈଷୟିକ ଶିକ୍ଷା ହିନ୍ଦୀ ଭାଷାରେ ହେବ
  • ଏକ ବର୍ଷ ଭିତରେ ପୂରା ରାଜ୍ୟରେ ତିନି ଲକ୍ଷ ନୂଆ ଶିକ୍ଷକ ପଦରେ ଭର୍ତ୍ତି ହେବ
  • ୫ ବର୍ଷରେ ଆଇଟି ହବରେ ୫ ଲକ୍ଷ ରୋଜଗାର ସୃଷ୍ଟି
  • ଏକ କୋଟି ମହିଳାଙ୍କୁ ଆତ୍ମନିର୍ଭର କରିବାକୁ ପ୍ରତିଶ୍ରୁତି
  • ଏକ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟବିଭାଗରେ ନିଯୁକ୍ତି ସୁଯୋଗ, ୨୦୨୪ ସୁଦ୍ଧା ଦରଭଙ୍ଗା ଏମ୍ସ କାର୍ଯ୍ୟକ୍ଷମ
  • ଧାନ ଓ ଗହମ ପରେ ଡାଲିକୁ ମଧ୍ୟ ଏମଏସପି ଦରରେ କିଣାଯିବ
  • ୩୦ ଲକ୍ଷ ଲୋକଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇଦିଆଯିବ
  • ୨ ବର୍ଷରେ ୧୫ଟି ନୂଆ ପକ୍ରିୟାକରଣ ଶିଳ୍ପ ଆରମ୍ଭ କରିବାକୁ ପ୍ରତିଶ୍ରୁତି
  • ୨ ବର୍ଷରେ ମିଠା ପାଣିରେ ବଢୁଥିବା ମାଛ ଉତ୍ପାଦନ ବଢ଼ାଇବାକୁ ପ୍ରତିଶ୍ରୁତି
  • କୃଷକ ଉତ୍ପାଦନ ସଙ୍ଗଠନର ଏକ ଉତ୍ତମ ଶୃଙ୍ଖଳ ଗଠନ କରିବା, ଯେଉଁଥିରେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅବସରରେ କହିଛନ୍ତି ଯେ, ବିଜେପି ପୂର୍ବରୁ ମଧ୍ୟ ବିହାରରେ ନିଜର ସମସ୍ତ ପ୍ରତିଶ୍ରୁତି ରକ୍ଷା କରିଛି। ଏନଡିଏ ସରକାର ପୂର୍ବରୁ ବିହାରରେ ଯେଉଁ ସରକାର ରହିଥିଲା ସେ ରାଜ୍ୟର ବିକାଶ କଥା ଚିନ୍ତା କରୁନଥିଲା। ହେଲେ ଏନଡିଏ ସରକାର ଗଠନ ହେବା ପରେ ରାଜ୍ୟରେ ରୋଜଗାରର ଆଶା ବଢ଼ିଛି। କୃଷି କ୍ଷେତ୍ରର ବିକାଶ ହେବା ସହିତ ବିହାର ବିକାଶ ଆଗେଇ ଚାଲିଛି ବୋଲି ସେ କହିଛନ୍ତି।

କରୋନା କଟକଣା ଭିତରେ ବିହାରରେ ବିଧାନସଭା ନିର୍ବାଚନ ହେଉଛି। ଅକ୍ଟୋବର ୨୮ ତାରିଖରେ ଏଥିପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ଏହାପରେ ନଭେମ୍ବର ୩ ଓ ୭ ତାରିଖରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଭୋଟ ହେବ। ଏହି ନିର୍ବାଚନ ଜିତିବାକୁ ଏନଡିଏ ଜୋରଦାର ଚେଷ୍ଟା ଚଳାଇଛି।

Comment