ଓଡ଼ିଶାଲାଇଭ୍ ବ୍ୟୁରୋ

କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ବି ମାଦୁର୍ଗାଙ୍କ ପୂଜା ଧୁମ୍ଧାମ୍ରେ ପାଳନ କରାଯାଇଥାଏ

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଧରାପୃଷ୍ଠକୁ ଓହ୍ଲାଇ ଆସିଲେଣି ମା’ ଦୁର୍ଗା। କରୋନା ପାଇଁ ଏଥର ଦଶହରା ଫିକା ପଡ଼ିଯାଇଥିଲେ ମଧ୍ୟ କଟକଣା ସହ ସବୁଠି ନିରାଡମ୍ଵର ଭାବେ ଆରମ୍ଭ ହୋଇଛି ପୂଜା ପ୍ରସ୍ତୁତି। ତେବେ କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ଦୁର୍ଗାପୂଜାକୁ ବେଶ୍ ଧୁମ୍‌ଧାମରେ ଏବଂ ନିଆରା ଢଙ୍ଗରେ ପାଳନ କରାଯାଇଥାଏ।ଦଶମୀରେ ହୋଇଥାଏ ସିନ୍ଦୁର ଖେଳ

ବିହାର ଏବଂ ଉତ୍ତର ପ୍ରଦେଶରେ ଚାରିଦିନ ଧରି ଦୁର୍ଗାପୂଜା ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ। ବିଶେଷକରି ଏହି ଦିନରେ କୁନି ଝିଅମାନଙ୍କୁ ନୂତନ ବସ୍ତ୍ର ପରିଧାନ କରି ମିଷ୍ଟାନ୍ନ ଭୋଜନ କରିଥାନ୍ତି।

ଶାରଦୀୟ ଦୁର୍ଗାପୂଜା ପଶ୍ଚିମବଙ୍ଗର ବଡ଼ ପର୍ବ। ଦୀର୍ଘ ଚାରି ଦିନ ଏଠାରେ ବେଶ୍ ଧୁମଧୁମରେ ପାଳନ କରାଯାଇଥାଏ ଦୁର୍ଗା ପୂଜା। ମା’ଙ୍କ ପେଣ୍ଡାଲଗୁଡ଼ିକୁ ଭିନ୍ନ ଭିନ୍ନ କାରୁକାର୍ଯ୍ୟରେ ସଜାଯାଇଥାଏ। ପଶ୍ଚିମବଙ୍ଗର ଦୁର୍ଗାପୂଜାର ବିଶେଷତ୍ୱ ହେଉଛି ଏଠାରେ ମା’ଦୁର୍ଗାଙ୍କ ସମେତ ଗଣେଶ, କାର୍ତ୍ତିକ, ସରସ୍ୱତୀ ଏବଂ ଲକ୍ଷ୍ମୀଙ୍କୁ ବି ଆବହନ କରାଯାଇଥାଏ। ଦଶମୀ ଦିନ ସର୍ବପ୍ରଥମେ ମା’ଙ୍କୁ ସିନ୍ଦୂର ଚଢ଼ାଇବା ପରେ ଭକ୍ତମାନେ ପରସ୍ପର ସହ ସିନ୍ଦୂର ଖେଳିଥାନ୍ତି। ଏହାପରେ ମା’ଙ୍କୁ ବିଦାୟ ଦିଆଯାଏ।ଗରବା ନୃତ୍ୟରେ ଝୁମନ୍ତି ଭକ୍ତ

ଗୁଜୁରାଟରେ ଭିନ୍ନ ଧରଣରେ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନବରାତ୍ରୀ ଏକ ବଡ଼ ପର୍ବ କହିଲେ ଭୁଲ୍ ହେବ ନାହିଁ। ଦୀର୍ଘ ନଅ ଦିନ ଧରି ସମସ୍ତ ଗୁଜୁରାଟିମାନେ ମା’ଙ୍କ ଆରଧନା କରିବା ସହ ଉପବାସ କରିଥାନ୍ତି। ଆଉ ରାତିରେ ଗରବା ନୃତ୍ୟୁରେ ଝୁମି ଉଠନ୍ତି ସମସ୍ତେ। ଏହାସହ କନ୍ୟାପୂଜନ ବି କରାଯାଇଥାଏ ଏବଂ ଭୋଜନ ପରେ କନ୍ୟାମାନଙ୍କୁ ଅର୍ଥ ଦିଆଯାଇଥାଏ।

ପଞ୍ଜାବବାସୀ ଦୀର୍ଘ ନଅ ଦିନ ଧରି ଦୁର୍ଗା ପୂଜା କରିଥାନ୍ତି। ଅଷ୍ଟମୀ ଏବଂ ନବମୀ ଦିନ ୫ରୁ ୧୦ ବର୍ଷ ବୟସର ଯୁବତୀମାନଙ୍କୁ ଭୋଜନ ଦେବା ସହିତ ଉପହାର ଏବଂ ଅର୍ଥ ବି ଦିଆଯାଇଥାଏ।

ଦକ୍ଷିଣ ଭାରତରେ ଦୁର୍ଗାପୂଜା

ତାମିଲନାଡୁରେ ଭିନ୍ନ ଢଙ୍ଗରେ ଦୁର୍ଗାପୂଜା ପାଳନ କରାଯାଇଥାଏ। ଏହି ପାର୍ବଣ ଦିନରେ ତାମିଲନାଡୁବାସୀ ତିନି ଦେବୀଙ୍କୁ ଆବାହନ କରିଥାନ୍ତି। ଦୁର୍ଗା, ସରସ୍ୱତୀ ଏବଂ ମା’ ଲକ୍ଷ୍ମୀଙ୍କୁ  ନବରାତ୍ରୀର ଶେଷ ତିନିଦିନ ପୂଜା କରାଯାଇଥାଏ। ଏହି ବିଶେଷ ମୁହୂର୍ତ୍ତରେ ଦୂରଦୁରାନ୍ତରେ ରହିଥିବା ସମ୍ପର୍କୀୟମାନେ ଘରକୁ ଆସିଥାନ୍ତି। ପରିଜନମାନେ ଯିବା ସମୟରେ ସେମାନଙ୍କୁ ଉପହାର ଭେଟି ଦିଆଯାଇଥାଏ।

ନବରାତ୍ରୀ ସମୟରେ ଆନ୍ଧ୍ରପ୍ରଦେଶର ଇଷ୍ଟଦେବୀ ଗୌରୀଙ୍କୁ ପୂଜା କରାଯାଇଥାଏ। ସମସ୍ତଙ୍କ ଭାବନା ରହିଥାଏ କି ମା’ଏହି ଦିନରେ ଧରାପୃଷ୍ଠକୁ ଓହ୍ଲାଇଥାନ୍ତି ସମସ୍ତଙ୍କୁ ସୁଖ ଏବଂ ଶାନ୍ତି ପ୍ରଦାନ କରିବା ନିମନ୍ତେ। ଆନ୍ଧ୍ରରେ ଦୁର୍ଗା ପୂଜାକୁ ‘ବାଥୁକାମା ପାନ୍ଦୁଗା’ ନାମରେ ଜଣାଯାଏ।ଛତିଶଗଡ଼ ବସ୍ତରର ଆଦିବାସୀ ସଂପ୍ରଦାୟମାନେ ନବରାତ୍ରୀ ବେଶ ଧୁମ୍ ଧାମ୍ ରେ ପାଳନ କରନ୍ତି। ଆଶ୍ୱିନ ମାସ ଶୁକ୍ଳପକ୍ଷରେ ୧୩ ଦିନ ପର୍ଯ୍ୟନ୍ତ ଏହି ପର୍ବକୁ ପାଳନ କରାଯାଇଥାଏ।

ସେହିପରି କର୍ଣ୍ଣାଟକରେ ରାଜକୀୟ ଭାବେ ପୂଜାକୁ ପାଳନ କରାଯାଇଥାଏ।  ଏହାସହ ହିମାଚଳପ୍ରଦେଶରେ ଦୀର୍ଘ ୧୦ଦିନ ଧରି ପାଳନ କରାଯାଉଥିବା ଦଶହରାକୁ ଏଠାରେ ‘କୁଲ୍ଲୁ ଦୁସେହରା’ କୁହାଯାଏ।

Comment