ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ପୁରୀ ସ୍ୱର୍ଗଦ୍ୱାର ପୁନଃ ଉନ୍ନତିକରଣ କାର୍ଯ୍ୟ ଶେଷ ହେବ। ଶନିବାର ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହା ସ୍ଥିର ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଫନିରେ ପୁରୀ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହ୍ୟ ସହର ପୁରୀର ପୁନଃନିର୍ମାଣ ପାଇଁ ଘୋଷଣା କରିଥିଲେ। ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢି ତୋଳିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସରକାର।

ସେହି କ୍ରମରେ ସ୍ୱର୍ଗଦ୍ୱାରର ବ୍ୟାପକ ଉନ୍ନତି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ସାହାଯ୍ୟ ପାଣ୍ଠିରୁ ଏଥିପାଇଁ ଅର୍ଥ ଖର୍ଚ୍ଚ ହେବ ବୋଲି କହିଥିଲେ ସରକାର। ମଧ୍ୟବର୍ତ୍ତୀ କାଳୀନ ପଦକ୍ଷେପ ସ୍ୱରୂପ ଯେଉଁମାନେ ଶବ ସତ୍କାର ପାଇଁ ଆସୁଛନ୍ତି ସେମାନଙ୍କୁ ଅସ୍ଥାୟୀ ସେଡ଼ ଦିଆଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବଡ଼ଦାଣ୍ଡକୁ ସଫା ଓ ଗହଳିମୁକ୍ତ କରିବା ପାଇଁ ଭିକାରୀମାନଙ୍କୁ ଥଇଥାନ ନିମନ୍ତେ ପଦକ୍ଷେପ ନେଇଛନ୍ତି ସରକାର। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଭିକାରୀଙ୍କୁ ବିଭିନ୍ନ ସଂସ୍ଥାର ଜିମା ଦିଆଯାଇଥିବା ବେଳେ ପ୍ରାୟ ୧୫୦ ଭିକାରୀ ନିଜ ପରିବାର ଲୋକଙ୍କ ସହ ମିଶି ରହିବା ଆରମ୍ଭ କରିଛନ୍ତି।
ସେହିଭଳି ବଡ଼ଦାଣ୍ଡରେ ଏଣେତେଣେ ବୁଲୁଥିବା ଗାଈ ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାୟ ୭୦୦ ଗୋରୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ୪୦୦ ଗୋରୁଙ୍କୁ ଆସନ୍ତା ଏକ ମାସ ମଧ୍ୟରେ ସ୍ଥାନାନ୍ତର କରାଯିବ।

ପାଣ୍ଡିଆନ ଶନିବାର ଦିନ ପୁରୀ ଗସ୍ତରେ ଯାଇ ସମସ୍ତ କାର୍ଯ୍ୟ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏଥିରେ ସ୍ୱର୍ଗଦ୍ୱାର, ଗୋଶାଳା ଓ ଭିକାରୀମାନଙ୍କ ଥଇଥାନ ଆଦି ବିଷୟ ଆଲୋଚନା ହୋଇଥିଲା।
ଏହି ବୈଠକରେ କଟକ ଓ ଭୁବନେଶ୍ୱର ମୁନିସିପାଲ କମିସନର ଦ୍ଵୟ ମଧ୍ୟ ଉପସ୍ଥିତ ଥିଲେ। ପୁରୀ ଭଳି କଟକ ଓ ଭୁବନେଶ୍ୱର ରାସ୍ତାରୁ ମଧ୍ୟ ଗୋରୁଙ୍କୁ ହଟାଯିବା ସହ ଭିକାରୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Comment