ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨୮ ତାରିଖରୁ ବିହାରରେ ବିଧାନସଭା ପାଇଁ ଭୋଟଗ୍ରହଣ ହେବ। ଏହାପୂର୍ବରୁ କିନ୍ତୁ ଏନଡିଏ ପାଇଁ ଅଡୁଆ ବଢ଼ିଯାଇଛି। ଦଳର ୭ ଜଣ ବରିଷ୍ଠ ନେତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଆଗାମୀ ଦିନରେ ଦଳର ପ୍ରଚାର କାର୍ଯ୍ୟକ୍ରମ ବିହାରରେ ବାଧାପ୍ରାପ୍ତ ହୋଇପାରେ ବୋଲି କୁହାଯାଉଛି।ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଭାରୀ ନିଯୁକ୍ତ ହୋଇଥିବା ଦେବେନ୍ଦ୍ର ଫଡନାବିସଙ୍କର କରୋନା ରିପୋର୍ଟ ଆଜି ପଜିଟିଭ୍ ଆସିଛି। ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି।

ଟୁଇଟ୍ କରି ଫଡନାବିସ୍ ଲେଖିଛନ୍ତି ଯେ, ଲକଡାଉନ୍ ଜାରି ହେବାଠାରୁ ସେ ଲଗାତାର ଭାବେ କାମ କରୁଛନ୍ତି। ହେଲେ ଆଜି ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ସେ ନିଜକୁ ଆଇସୋଲେସନରେ ରଖିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ୍ ଖାଉଛନ୍ତି ବୋଲି ଲେଖିଛନ୍ତି।

ଫଡନାବିସଙ୍କ ପୂର୍ବରୁ ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ସହିତ ବିଜେପି ମୁଖପାତ୍ର ଶାହନବାଜ ହୁସେନ୍, ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ରାଜୀବ ପ୍ରତାପ ରେଡ୍ଡି, ମଙ୍ଗଳ ପାଣ୍ଡେ ଓ ଜେଡିୟୁ ନେତା ବିଜୟ କୁମାର ମାଝି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ବିହାର ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ନିର୍ବାଚନୀ ରାଲିରେ ସାମାଜିକ ଦୂରତା ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଧିକାଂଶ ସଭା ସମିତିରେ ସାମାଜିକ ଦୂରତା ପାଳନ ହେଉନଥିବା ଅଭିଯୋଗ ହେଉଛି। ଯେଉଁ କାରଣରୁ ବିଭିନ୍ନ ନେତାମାନେ କରୋନା ସଂକ୍ରମିତ ହେଉଛନ୍ତି।

Comment