ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ଏକ ଅଟୋ ଚୋରିର ତଦନ୍ତ କରୁ କରୁ ଠାବ ହେଲା ବାଇକ ଚୋରି ରାକେଟ୍। ପୋଲିସ ହାତରେ ଲାଗିଲା ୩୫ଟି ଚୋରି ବାଇକ୍। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ଏ ବାବଦରେ ଶନିବାର ଏକ ସାମ୍ଵାଦିକ ସମ୍ମିଳନୀ କରି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ପୋଲିସର ସୂଚନା ଅନୁସାରେ କଟକ, ଭୁବନେଶ୍ଵର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦି ଜିଲ୍ଲାରୁ ଏହି ବାଇକ୍‌ଗୁଡ଼ିକୁ ଚୋରି କରି କେନ୍ଦୁଝରକୁ ପଠାଯାଉଥିଲା। ସେଠାରେ ଗୋଟିଏ ସ୍ଥାନରେ ବାଇକ୍‌ଗୁଡ଼ିକୁ ରଖି ବିକ୍ରି କରୁଥିଲେ ଏହି ଦଲାଲମାନେ।

କେନ୍ଦୁଝରରେ କାଠମାଫିଆମାନେ ଏହି ବାଇକ୍‌କୁ ୫ରୁ ୭ହଜାର ଟଙ୍କାରେ କିଣି ଜଙ୍ଗଲରୁ କାଠ ଚାଲାଣ କରିବାରେ ଉପଯୋଗ କରୁଥିବା ଡିସିପି ଆଜି ସାମ୍ଵାଦିକ ସମ୍ମିଳନୀରେ କହିଛନ୍ତି।

କିଛିଦିନ ପୂର୍ବେ କଟକ ଜଗତପୁରର ଜଣେ ବ୍ୟକ୍ତି ତାଙ୍କ ଟାଟା ଏସି ଗାଡ଼ି ହଜିବା ନେଇ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ତଦନ୍ତ କରିବା ବେଳେ ପୋଲିସ ହାତରେ ଲାଗିଥିଲା ବାଇକ୍ ଚୋରି ରାକେଟ୍‌।

Comment