ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ମହାଷ୍ଟମୀ ପୂଜା। କିନ୍ତୁ ଚାରିଆଡେ ଖାଁଖାଁ ପରିବେଶ। ଆଲୋକର ସାଜସଜ୍ଜା ନାହିଁ କି ତୋରଣରେ ସଜେଇ ହୋଇନି ପୂଜା ମଣ୍ଡପ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର ପୂଜା ମଣ୍ଡପଗୁଡ଼ିକରେ ମଧ୍ୟ ଏହିପରି ନିରାଡମ୍ବର ଭାବେ ସିଂହବାହିନୀ ଦେବୀ ଦୁର୍ଗାଙ୍କୁ ଆବାହନ କରାଯାଇଛି। ମା’ଙ୍କ ପାଖରେ ଗହଳଚହଳ ନାହିଁ। ସହରବାସୀଙ୍କ ମଧ୍ୟରେ ପାର୍ବଣର ଉତ୍ସାହ ବି ସେଭଳି ବାରି ହେଉନି। ବିନା ଭକ୍ତରେ ସହରର ୨୩ଟି ପୂଜା ମଣ୍ଡପରେ କେବଳ ବିଧିରକ୍ଷା ଲାଗି ପରଦା ଆଢୁଆଳରେ ଚାଲିଛି ଦେବୀଙ୍କ ପୂଜାର୍ଚ୍ଚନା।
ପ୍ରତିବର୍ଷ ଭଳି ଏଥର ବି ପଟ୍ଟାମୁଣ୍ଡାଇ ସହରବାସୀ ଓ ସହର ଉପକଣ୍ଠବାସୀ ମା’ଙ୍କ ପୂଜା ଧୂମ୍‌ଧାମ୍‌ରେ ପାଳନ କରିବେ ବୋଲି ଅପେକ୍ଷା କରି ରହିଥିଲେ। ହେଲେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଲୋକଙ୍କର ସବୁ ଆଶା ଆଶାରେ ରହିଯାଇଛି। ପୂଜା ମଣ୍ଡପରେ ମା’ଙ୍କ ମୂର୍ତ୍ତି ଆଗରେ ପରଦା ପଡ଼ିଛି। ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦ କରିଦିଆଯାଇଛି।

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି କରାଯାଇଛି କଡା କଟକଣା। ଏନେଇ ବଙ୍ଗାଳିସାହି  ପୂଜା କମିଟିର ସଭାପତି ବିଜୟ ଦାସ  କହିଛନ୍ତି, ‘‘ଚଳିତ ବର୍ଷ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସହରରେ ହେଉଥିବା ୨୩ ଟି ପୂଜା ମଣ୍ଡପରେ ୪ ଫୁଟରୁ ଅଧିକ ଉଚ୍ଚର ମା’ଙ୍କ ପ୍ରତିମା ତିଆରି କରାଯାଇନାହିଁ। ମା’ଙ୍କ ମଣ୍ଡପର ଚାରିପାଖରେ ପରଦା ପଡ଼ିବା ସହିତ କେବଳ କର୍ତ୍ତା ସହିତ ସାତ ଜଣ ପୂଜକ ରହି ପୂଜା କରୁଛନ୍ତି। ସାଜସଜ୍ଜା, ମାଇକ୍ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭକ୍ତ ସମାଗମକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି’’।

କୋଭିଡ କଟକଣା ଭିତରେ ହଜିଯାଇଛି ଶହେ ବର୍ଷର ପୁରୁଣା ପରମ୍ପରା। ଯାହା ସହରର ପୁରୁଖା ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ କେବେ ଦେଖି ନ ଥିଲେ, ଯାହା ଚଳିତବର୍ଷ ଦେଖିବାକୁ ମିଳିଛି। ବିଭିନ୍ନ ମଣ୍ଡପରେ ମା’ଙ୍କ ଆରାଧନା ହେଲାଣି, ହେଲେ ଆକର୍ଷଣୀୟ ସାଜସଜ୍ଜା ନ ଥିବାବେଳେ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ନାହିଁ କି ସରସ ନାହିଁ। ତେଣୁ ଏଥର ପଟ୍ଟାମୁଣ୍ଡାଇ ଦଶହରା ପର୍ବ ୧୦୦ ବର୍ଷ ପଛକୁ ଫେରିଯାଇଥିବା କହି ଉଦବେଗ ପ୍ରକାଶ କରିଛନ୍ତି ଭକ୍ତଗଣ।

Comment