ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁରରେ କୋଭିଡ୍ କଟକଣା ଭିତରେ ଶେଷ ହୋଇଛି ଦଶହରା ପର୍ବ। ଗତକାଲି ବିଜୟା ଦଶମୀ ଅବସରରେ ଏଠାରେ ପ୍ରସିଦ୍ଧ ଅପରାଜିତା ପୂଜା ହୋଇଥିଲା। ମଙ୍ଗଳବାର ଭୋର ସାଢ଼େ ୩ଟାରେ ଏହି ପୂଜା ଜୟପୁର ଦଶହରା ପଡ଼ିଆଠାରେ ସମାପନ ହୋଇଛି। ଏହାପରେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯାଇଛି।

ଚଳିତବର୍ଷ ଦଶହରା ପଡ଼ିଆରେ ରାବଣ ପୋଡ଼ି କିମ୍ବା ଆତସବାଜି କାର୍ଯ୍ୟକ୍ରମ ହୋଇନଥିଲା। କୋଭିଡ୍ କଟକଣା ହେତୁ ଭକ୍ତ ମଧ୍ୟ ସିଧାସଳଖ ମା’ଙ୍କୁ ଦର୍ଶନ କରିପାରିନଥିଲେ। ଖାଲି ମନ ବୁଝାଇବାକୁ ଲୋକେ ମନ୍ଦିର ବାହାରେ ଦୀପ ଜାଳି ଉପାସନା କରିଥିଲେ।ତେବେ ସ୍ଥାନୀୟ ପ୍ରଶାସନ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ ଉଦ୍ୟମରେ ମା’ଙ୍କ ରୀତିନୀତି ଶାନ୍ତିଶୃଙ୍ଖଳାର ସହ ସମପାନ ହୋଇଛି। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଅପରାଜିତା ପୂଜାରେ ଅଧିଷ୍ଠାତ୍ରୀ ମା’ ଦକ୍ଷିଣ କାଳିକା, ଅଧିଷ୍ଠାତ୍ରୀ ମା’ ଭଗବତି, ମା’ ବସନ୍ତାୟୀ ଓ ମା’ କନକ ଦୁର୍ଗାଙ୍କ ବିମାନ ୪୫ ମିନିଟ ବ୍ୟବଧାନରେ ବାହାରି ଜୟପୁର ଦଶହରା ପଡ଼ିଆରେ ପହଞ୍ଚିଥିଲା। ଏହି ପଡ଼ିଆରେ ୪ଟି ଅସ୍ଥାୟୀ ମଣ୍ଡପ କରାଯାଇ କୋଭିଡ୍ ନିୟମ ଅନୁଯାୟୀ ମା’ଙ୍କ ଅପରାଜିତା ପୂଜା କରାଯାଇଥିଲା। ଏହା ସହ ରାଜନଅରଠାରେ ପୂଜା ପାଉଥିବା ମୃଣ୍ମୟ ମୂର୍ତ୍ତିକୁ ମଧ୍ୟ ମେଲାଣି ଦିଆଯାଇଥିଲା।

 

ଗତକାଲି ରାତି ୯ଟାରେ ପ୍ରଶାସନ ପକ୍ଷରୁ ସହରର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିବା ବେଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ଦେବୀ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ପ୍ରତିବର୍ଷ ଏହି ପୂଜାରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଆନ୍ଧ୍ର ଓ ଛତିଶଗଡ଼ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏଥର ବିନା ଭକ୍ତରେ ଦଶହରା ଶେଷ ହୋଇଛି।ପ୍ରଚଳିତ ପ୍ରଥା ଅନୁସାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀ ପୀଠରୁ ଆସିଥିବା ଲାଠିଗୁଡ଼ିକ ବାଙ୍କମଠଠାରୁ ବିଶାଳ ଶୋଭାଯାତ୍ରାରେ ବାହାରିଥାନ୍ତି। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁ କେବଳ ଜୟପୁର ବ୍ଲକ ଅଧୀନରେ ଥିବା ୪ରୁ ୫ଟି ମା’ଙ୍କ ପ୍ରତୀକ ଲାଠିଧାରୀ ଆସି ଦଶହରାରେ ସାମିଲ ହୋଇ ଜୟପୁରବାସୀଙ୍କୁଆଶୀର୍ବାଦ କରି ଫେରିଥିଲେ। ଅଧିଷ୍ଠାତ୍ରୀ ଦେବୀଙ୍କ ଶୋଭାଯାତ୍ରାରେ ବାଜା ବାଣ, ନାଚ ଗୀତ କିଛି ନଥିବା ବେଳେ ଖାଲି ମହୁରି ଓ ଘଣ୍ଟର ତାଳେ ତାଳେ ନୀତିକାନ୍ତି ସମାପନ ହୋଇଛି।

Comment