ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୦’ ବୁଧବାର ଉନ୍ମୋଚିତ ହୋଇଛି। ସ୍ଥାନୀୟ ବରମୁଣ୍ଡାସ୍ଥିତ ‘ବିଜ୍ଞାପନ’ କାର୍ଯ୍ୟାଳୟ ପରିସରରେ ସରକାରଙ୍କ କୋଭିଡ କଟକଣାକୁ ମାନି ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଏହାକୁ ଉନ୍ମୋଚିତ କରାଯାଇଛି। ଏଥିରେ ମୁମ୍ବାଇ ନାର୍ସି ମୁଞ୍ଜି ବିଶ୍ୱବିଦ୍ୟାଳୟର ହାଇଦ୍ରାବାଦ କ୍ୟାମ୍ପସ ନିର୍ଦ୍ଦେଶକ ଡକ୍ଟର ତପନ କୁମାର ପଣ୍ଡା ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଏଗ୍ରି ବିଜିନେସ ବିଭାଗ ନିର୍ଦ୍ଦେଶକ ଦୀପକ ରାମ ଅତିଥି ଭାବେ ଯୋଗଦେଇଥିଲେ।

ଉନ୍ମୋଚିତ ହୋଇଥିବା କ୍ୟାରିୟର ଗାଇଡ୍‌ରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତ୍‌ମାନେ ବିଭିନ୍ନ ପ୍ରଫେସନାଲ ପାଠ୍ୟକ୍ରମରେ ଥିବା ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଏତଦ୍‌ବ୍ୟତୀତ ଓଡ଼ିଶାରେ ଥିବା ଜାତୀୟ ସ୍ତରର ସରକାରୀ ଶିକ୍ଷାନୁଷ୍ଠାନ, ରାଜ୍ୟସ୍ତରୀୟ ସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ, ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନୁବନ୍ଧନ ଦେଉଥିବା ଜାତୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ, ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ ସମ୍ପର୍କିତ ସଂଗଠନ ଏବଂ ବିଭିନ୍ନ ପାଠ୍ୟକ୍ରମର ନାମଲେଖା ବିଜ୍ଞପ୍ତି ଇତ୍ୟାଦି ରହିଛି।କାର୍ଯ୍ୟକ୍ରମରେ ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟି, ପ୍ରାଶାସନିକ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି, ପ୍ରକାଶିକା ରଶ୍ମିତା ମହାପାତ୍ର, ସଂପାଦକ ଦିଲୀପ ମିଶ୍ର, ବ୍ୟାବସାୟିକ ପରିଚାଳକ ସର୍ବେଶ୍ୱର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ମଧୁସ୍ମିତା ପଲେଇ, ଲକ୍ଷ୍ମୀପ୍ରିୟା ରାୟ ଏବଂ ସସ୍ମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଗତ ସପ୍ତାହରେ ବିଜ୍ଞାପନ ପକ୍ଷରୁ ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଏକମାତ୍ର ଡାଇରେକ୍ଟୋରି ‘ଆମ ସମୟର ଶିଳ୍ପ’ ମଧ୍ୟ ନିରାଡମ୍ବର ଭାବେ ଉନ୍ମୋଚିତ ହୋଇଥିଲା। ଏଥିରେ ରାଜ୍ୟରେ ଉତ୍ପାଦନ କରୁଥିବା ସମସ୍ତ ଶିଳ୍ପସଂସ୍ଥା ସମେତ ୭୦୦୦ରୁ ଅଧିକ ଶିଳ୍ପସଂସ୍ଥା ସଂପର୍କରେ ତଥ୍ୟ ରହିଛି। ବିଜ୍ଞାପନର ବରମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ପୁସ୍ତକଗୁଡ଼ିକ ଉପଲବ୍ଧ ହେଉଛି।

Comment