ଓଡ଼ିଶାଲାଇଭ୍ ବ୍ୟୁରୋ

ହାଉସ୍ କିପରଙ୍କୁ ମାସକୁ ମିଳିବ ୧୮ ଲକ୍ଷ ୫୦ ହଜାର ଟଙ୍କା। ଏଥିସହ ରାଜପ୍ରାସାଦରେ ରହିବା ଓ ଖାଇବା ସୁବିଧା ମଧ୍ୟ ପ୍ରଦାନ କରାଯିବ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନ୍ ରାଜପରିବାର ସମ୍ପର୍କରେ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି। ମହାରାଣୀ ଏଲିଜାବେଥ୍‌ ଦ୍ଵିତୀୟ ଜଣେ ହାଉସ୍‌କିପିଂ ଆସିଷ୍ଟାଣ୍ଟ ଆବଶ୍ୟକ କରୁଛନ୍ତି। ଏଥିପାଇଁ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ଉପରୋକ୍ତ ସୁବିଧା ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।

ଏହି ଚାକିରି ବିଷୟରେ ବ୍ରିଟେନ ରାଜପରିବାରର ଅଫିସିଆଲ ଓ୍ଵେବ୍‌ସାଇଟ୍ ‘ଦ ରୟାଲ ହାଉସହୋଲ୍ଡ’ରେ ସୂଚନା ଦିଆଯାଇଛି। ନଭେମ୍ବର ୧ ତାରିଖ ମଧ୍ୟରେ ଆଶାୟୀମାନେ ଆବେଦନ କରିପାରିବେ। ନଭେମ୍ବର ୨ ତାରିଖରେ ଆବେଦନକାରୀଙ୍କ ସାକ୍ଷାତକାର ନିଆଯିବ।‘ଦ ରୟାଲ ହାଉସହୋଲ୍ଡ’ରେ ଦିଆଯାଇଥିବା ସୂଚନା ମୁତାବକ, ଏହି ଚାକିରି ପାଇଁ ଯୋଗ୍ୟ ବିବେଚିତ ବ୍ୟକ୍ତି ବ୍ରିଟେନର ଓ୍ଵିଣ୍ଡସର କାସଲ(ମହଲ)ରେ ହାଉସ୍ କିପର ଭାବେ କାମ କରିବେ। ତାଙ୍କୁ ସପ୍ତାହରେ ୫ ଦିନ କାମ କରିବାକୁ ପଡ଼ିବ ଓ ବାକି ୨ ଦିନ ଛୁଟି ମିଳିବ। ଏହା ବ୍ୟତୀତ ହାଉସ୍ କିପରଙ୍କୁ ବର୍ଷକୁ ୩୩ ଦିନ ଛୁଟି ମିଳିବ।

ଦରମା ବ୍ୟତୀତ ହାଉସ୍‌ କିପରଙ୍କ ରହିବା ଓ ଖାଇବା ଖର୍ଚ୍ଚ ମଧ୍ୟ ରାଜପରିବାର ପକ୍ଷରୁ କରାଯିବ। କେବଳ ସେତିକି ନୁହେଁ, ଭ୍ରମଣ ପାଇଁ ଅଲଗା ଖର୍ଚ୍ଚ ପ୍ରଦାନ କରାଯିବ। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଏହି ଚାକିରି ପାଇଁ ବ୍ୟକ୍ତିଜଣଙ୍କ ଇଂରାଜୀ ଓ ଗଣିତରେ ଦକ୍ଷ ହୋଇଥିବା ଆବଶ୍ୟକ।ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ପ୍ରଥମେ ୧୩ ମାସ ପର୍ଯ୍ୟନ୍ତ ତାଲିମ ଦିଆଯିବ। ଏହା ପରେ ତାଙ୍କୁ ରାଜପରିବାର ପକ୍ଷରୁ ସ୍ଥାୟୀ କର୍ମଚାରୀ ଭାବେ ନିୟୋଜିତ କରାଯିବ। ହାଉସ୍‌କିପିଂ ଆସିଷ୍ଟାଣ୍ଟ ଭାବେ ସେ ରାଜପରିବାରର ବିଭିନ୍ନ ରାଜପ୍ରାସାଦରେ ରହିବା ଓ ଖାଇବାର ସୁଯୋଗ ପାଇବେ।

ହାଉସ୍‌କିପିଂ ଆସିଷ୍ଟାଣ୍ଟଙ୍କୁ ମୁଖ୍ୟତଃ ରାଜପ୍ରାସାଦର ଭିତର ଅଂଶ(ଇଣ୍ଟିରିୟର) ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀକୁ ସଫା କରିବାକୁ ପଡ଼ିବ। ଏଥିସହ ସେଗୁଡ଼ିକୁ ସୁନ୍ଦର ଭାବେ ସଜାଇ ରଖିବାକୁ ହେବ। ବ୍ରିଟେନ୍ ରାଜପରିବାରରେ ବର୍ତ୍ତମାନ ଶହ ଶହ ଲୋକ କାମ କରୁଛନ୍ତି ଏବଂ ବହୁତ ଭଲ ଅଙ୍କର ଦରମା ବି ପାଉଛନ୍ତି।

Comment