ଓଡ଼ିଶାଲାଇଭ୍ ବ୍ୟୁରୋ

  • ସେରୋ ସର୍ଭେ କରାଇବାରେ ଓଡ଼ିଶା ପ୍ରଥମ
  • ଫଳପ୍ରଦ ହେଉଛି ସେରୋ ସର୍ଭେ
  • ଭୁବନେଶ୍ଵରରେ ଅଧା ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ

“ଭୁବନେଶ୍ଵରର ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇସାରିଛି। ସେରୋ ସର୍ଭେ ଭଲ ଫଳପ୍ରଦ ହେଉଛି। ପ୍ରଥମ ପର୍ଯ୍ୟାୟର ୧ ପ୍ରତିଶତ ଏବେ ୫୦ପ୍ରତିଶତକୁ ଛୁଇଁଛି। କିନ୍ତୁ ଆଗାମୀ ଦିନରେ ମଧ୍ୟ ଆମମାନଙ୍କୁ ସତର୍କ ରହିବାକୁ ପଡ଼ିବ।” ଶୁକ୍ରବାର ରାଜ୍ୟରେ କରୋନା ସ୍ଥିତି ସମ୍ଵନ୍ଧରେ ତଥ୍ୟ ଦେଇ ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଏ ବାବଦରେ ସୂଚନା ଦେଇଛନ୍ତି।

ସେରୋ ସର୍ଭେ ସମ୍ଵନ୍ଧରେ ତଥ୍ୟ ଦେଇ ଡାକ୍ତର ପତି କହିଛନ୍ତି ଯେ, ଦିଲ୍ଲୀ ଆଇସିଏମ୍‌ଆର୍ ପରେ ସେରୋ ସର୍ଭେ କରାଇବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟଙ୍କ ନିର୍ଦ୍ଦେଶ ପରେ ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶା ପ୍ରଥମେ ଏହି ସର୍ଭେ ଆରମ୍ଭ କରିଥିଲା। ଜୁଲାଇ ୧୧ ରଥଯାତ୍ରାରେ ପୁରୀରୁ ଏହାକୁ ପ୍ରଥମେ ଆରମ୍ଭ କରାଯାଇଥିଲା। ସେହି ସମୟରେ ୧.୫୨ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବା ଜଣା ପଡ଼ିଥିଲା। ଏହାପରେ ଅଗଷ୍ଟ ୨୮ରେ ଭୁବନେଶ୍ଵରରେ ଏହାର ଦ୍ଵିତୀୟ ପର୍ଯ୍ୟାୟ ସର୍ଭେ କରାଯାଇଥିଲା। ଯେଉଁଥିରେ ୫.୧ ପ୍ରତିଶତ ବ୍ୟକ୍ତିଙ୍କ ହେଦରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା।

କିନ୍ତୁ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରୁ ବେଶ୍ ଭଲ ଏବଂ ଉତ୍ସାହଜନକ ଫଳ ମିଳିଛି। ୧୬-୧୮ ଅକ୍ଟୋବର ମଧ୍ୟରେ ଭୁବନେଶ୍ଵରର ମୋଟ୍ ୨୫ଟି ଓ୍ଵାର୍ଡରୁ ସାମଗ୍ରିକ ଭାବେ ୧୩୦୪ଟି ନମୁନାକୁ ନେଇ ସେରୋ ସର୍ଭେ କରାଯାଇଥିଲା। ଏହି ସର୍ଭେର ରିପୋର୍ଟ ଅନୁସାରେ ଭୁବନେଶ୍ଵରରେ ମୋଟ୍ ୫୦ ପ୍ରତିଶତ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇସାରିଛି। ଯାହାକି ରାଜ୍ୟ ପାଇଁ ବେଶ୍ ଉତ୍ସାହଜନକ ତଥ୍ୟ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେପରି ଭାତହାଣ୍ଡିରୁ ଗୋଟିଏ ଦୁଇଟି ଚାଉଳକୁ ଚିପି ପୁରା ଭାତ ସିଝିଛି କି ନାହିଁ ଜାଣିହୁଏ ସେହିପରି ଲକ୍ଷଣଯୁକ୍ତ ଏବଂ ଲକ୍ଷଣବିହୀନ ବ୍ୟକ୍ତିଙ୍କ ମଧ୍ୟରୁ ସାମଗ୍ରିକ ଭାବେ ନମୁନା ସଂଗ୍ରହ କରି ସେରୋ ସର୍ଭେ କରାଇବା ଦ୍ଵାରା ଭଲ ଫଲ ମିଳିଛି। ସେରୋ ସର୍ଭେ ଦ୍ଵାରା ଆଗକୁ ଆମକୁ କଣ ସତର୍କତା ଅବଲମ୍ଵନ କରିବାକୁ ପଡ଼ିବ ତାହା ଜଣାପଡ଼େ। କିନ୍ତୁ ଏହାର ମାନେ ନୁହେଁ କରୋନା ପ୍ରଭାବ କମିଯାଇଛି। ତେଣୁ ଆମକୁ ଆଗାମୀ ଦିନମାନଙ୍କରେ ବେଶ୍ ସତର୍କ ରହିବାକୁ ପଡ଼ିବ।

Comment