ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲାରେ ବେଆଇନ ପଥର ଉତ୍ତୋଳନ ସହ ଚୋରା ଚାଲାଣ ବିରୋଧରେ ଜିଲ୍ଲା ପ୍ରଶାସନ ଜୋରଦାର ଚଢ଼ାଉ ଜାରି ରଖିଛି। ସେହିପରି ବେଆଇନ ବାଲି ଚାଲାଣ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଗତ ୪ ଦିନ ଭିତରେ ପଥର ଓ ବାଲି ଚାଲାଣରେ ଜଡ଼ିତ ଥିବା ୩୦ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୨୦ରୁ ଅଧିକ ଟ୍ରକ ଓ ଟ୍ରାକ୍ଟର ଜବତ ହୋଇଥିବା ସୂଚନା ମିଳିଛି।

ବିଶେଷକରି ରାତିରେ ଏହି ଚୋରା ଚାଲାଣ ହେଉଥିବାରୁ ପୋଲିସ ଚଢ଼ାଉ କରି ଦୋଷୀଙ୍କୁ ଗିରଫ କରିବା ସହ ଗାଡ଼ି ଜବତ କରୁଛି। ବାଲି ଓ ପଥର ମାଫିଆଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ସେହିପରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଣିକି କୋର୍ଟରେ ମାମଲା ରୁଜୁ କରାଯାଉଛି।ପୁରୀ ଜିଲ୍ଲାରେ ଗତ କିଛି ମାସ ହେବ ଅନେକ ପଥର ଖଣି, ବାଲିଘାଟକୁ ନିଲାମ କରିନି ପ୍ରଶାସନ। ଏହାର ଫାଇଦା ଉଠାଇ କେତେକ ଅସାଧୁ ବ୍ୟକ୍ତି କଣାସ, ବ୍ରହ୍ମଗିରି, ନିମାପଡ଼ା, ପୁରୀ ସଦର ଅଞ୍ଚଳରେ ବାଲି ସମେତ ମାଙ୍କଡ଼ା ପଥର ଚୋରା ଚାଲାଣ କରୁଛନ୍ତି। ଫଳରେ ପ୍ରଶାସନ ଅନେକ ରାଜସ୍ଵ ହରାଉଛି।

ଏ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ପଥର ଓ ବାଲି ଚାଲାଣ ଉପରେ ଚଢ଼ାଉ କରାଯାଇ ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଆଗାମୀ ଦିନରେ ଏହି ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି। ସେପଟେ ପଥରଖଣି ଓ ବାଲିଘାଟର ନିଲାମ ପାଇଁ ଖୁବଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Comment