ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ସୁନ୍ଦରଗଡ଼ ପବ୍ଲିକ ହାଇସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ନନ୍ଦିନୀ କାପରଦାର ପ୍ରଥମ ପୁରସ୍କାର ଲାଭ କରିଛନ୍ତି। ଏହାସହ ୩ ଜଣଙ୍କୁ ରନର୍ସଅପ୍ ଓ ୩ ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଛି।

ଗତ ଅକ୍ଟୋବର ୧୮ରେ ‘ମହାମାରୀ ସମୟରେ ପୋଲିସର ଭୂମିକା’ ଶୀର୍ଷକରେ ଏକ ଅନ୍‌ଲାଇନ ବକ୍ତୃତା ପ୍ରତିଯୋଗିତା କରିବା ପାଇଁ  ସୁନ୍ଦରଗଡ଼ ପୋଲିସ ଘୋଷଣା କରିଥିଲା। ଅକ୍ଟୋବର ୨୩ ଯାଏ ଆବେଦନ ସମୟସୀମା ରହିଥିଲା। ଏହା ଭିତରେ କେବଳ ସୁନ୍ଦରଗଡ଼ ଜିଲା ନୁହେଁ, ସମଗ୍ର ରାଜ୍ୟରୁ ୧୫୦ରୁ ଅଧିକ ଭାଷଣର ରେକର୍ଡିଂ ଭିଡିଓ ଆସି ପହଞ୍ଚିଥିଲା। ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଏହି ଭାଷଣ ବିଭିନ୍ନ ଭାଷା (ହିନ୍ଦୀ, ଇଂରାଜୀ, ଓଡ଼ିଆ)ରେ ରହିଥିଲା।

ଭାଷା, ସ୍ୱର, ସୂଚନାର ମାନ, ବାକ୍‌ପଟୁତା ଭଳି ଦକ୍ଷତା ଆଧାରରେ ସେହି ସବୁ ବକ୍ତୃତାର ମୂଲ୍ୟାୟନ କରି ଫଳାଫଳ ଘୋଷଣା କରିଥିଲା ସୁନ୍ଦରଗଡ଼ ପୋଲିସ। ଏଥିରେ ସୁନ୍ଦରଗଡ଼ ପବ୍ଲିକ ହାଇସ୍କୁଲର ସପ୍ତମ ଶ୍ରେଣୀର ନନ୍ଦିନୀ କାପରଦାର ଶ୍ରେଷ୍ଠ ସ୍ଥାନ ଦଖଲ କରିଛନ୍ତି। ସେଣ୍ଟ ଟେରେସା ଇଂଲିଶ ସ୍କୁଲର ପଞ୍ଚମ ଶ୍ରେଣୀର ସିମରନ ପ୍ରଧାନ ପ୍ରଥମ ରନର୍ସଅପ୍ ହୋଇଛନ୍ତି। ସୁନ୍ଦରଗଡ଼ ଏସ୍‌ଏସ୍‌ଭିଏମ୍‌ର ଦଶମ ଶ୍ରେଣୀର ଛାତ୍ର ଆୟୁଷ ପଟେଲ ଓ ସେଣ୍ଟ ଟେରେସା ଇଂଲିଶ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ଅନୁଷ୍କା ପ୍ରଧାନଙ୍କୁ ଯୁଗ୍ମ ରନର୍ସଅପ୍ ସ୍ଥାନ ମିଳିଛି। ସେହିପରି ଗୋପାଳପୁର ଏମ୍‌ସିଏଲ୍‌ ବସୁନ୍ଧରାସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଷଷ୍ଠ ଶ୍ରେଣୀର ସେରାଲ ପଣ୍ଡା, ରାଜଗାଙ୍ଗପୁର ଡାଲମିଆ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ଦିଶା ଅଗ୍ରୱାଲ ଓ ବନ୍ଧବାହାଲ ସରକାରୀ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ରୋଶ୍‌ନୀ ସାହୁଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯାଇଛି।

ଶନିବାର ରିଜର୍ଭ ଲାଇନ୍‌ରେ ଶହୀଦ ଡେଭିଡ୍‌ କେର୍କେଟାଙ୍କ ନାମରେ ଏକ ନୂତନ ପାଠାଗାର ଗୃହର ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ପୂର୍ବ ପ୍ରତିଯୋଗିତାର ସମସ୍ତ ବିଜେତାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଛି ସୁନ୍ଦରଗଡ଼ ପୋଲିସ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସ୍‌ପି, ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ସଦର ଏସ୍‌ଡିପିଓ, ଆଇଏଏଚ୍‌ଟିୟୁ ଡିଏସ୍‌ପି, ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ଉପସ୍ଥିତ ଥିଲେ। ଏକ ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପୋଲିସ ଓ ସେମାନଙ୍କଠାରୁ ପିଲାଙ୍କ ଆଶା କ’ଣ, ତାହା ଉପରେ ସେମାନେ ନିଜର ଭାବ ବିନିମୟ କରିଥିଲେ। ଶେଷରେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଶହୀଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

Comment