ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଆଜି ସର୍ବଭାରତୀୟ ସ୍ତରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଏବଂ ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରେ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି।

ସଭାପତି ମୁନ୍ନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତାମାନେ ପ୍ରଥମେ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସୃତିଚରଣ କରିଥିଲେ। ଜିଲ୍ଲା କଂଗ୍ରେସର ପୂର୍ବ ନିଷ୍ପତି ଅନୁସାରେ ଆଜି ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌରାଞ୍ଚଳରେ କଂଗ୍ରେସ କର୍ମୀମାନଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ବିଧେୟକ ବିଲ୍ ବିରୋଧରେ ସତ୍ୟାଗ୍ରହ ଦିଆଯାଇଛି।

କୋଭିଡ – ୧୯ ନିୟମକୁ ଦୃଷ୍ଟିରେ ରଖି ଜିଲ୍ଲା କଂଗ୍ରେସ କମିଟି ଏହି କାର୍ଯ୍ୟକ୍ରମ ଗୋଟିଏ ସ୍ଥାନରେ ନକରି ପ୍ରତ୍ୟେକ ବ୍ଲକରେ ୧୦୦ରୁ ୧୫୦ଜଣ ସକ୍ରିୟ କର୍ମୀଙ୍କୁ ନେଇ ସତ୍ୟାଗ୍ରହ କରିବା ସହ ୩ଟି ଆଇନ ପ୍ରତ୍ୟାହାର କରିବା ନେଇ ପ୍ରତ୍ୟେକ ବ୍ଲକରେ ଦାବିପତ୍ର ପ୍ରଦାନ କରିଛି।

ସେହିପରି ନବରଙ୍ଗପୁର ସଦର ମହକୁମାରେ ଜିଲ୍ଲା କଂଗ୍ରେସ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀ ବିଧେୟକ ବିଲ୍ ଯଥା ଚାଷୀ ଉତ୍ପାଦନର ବାଣିଜ୍ୟ କାରବାର (ପ୍ରୋତ୍ସାହନ ଓ ସୁଗମିକରଣ) ଆଇନ, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ଦର ପ୍ରତିଶ୍ରୁତି ରାଜିନାମା ଓ କୃଷି ସେବା ଆଇନ, ଅତ୍ୟାବଶ୍ୟକୀୟ ସାମଗ୍ରୀ (ସଂଶୋଧନ) ଆଇନର ପ୍ରତ୍ୟାହାର କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛି।

ଏହି ସତ୍ୟାଗ୍ରହରେ କଂଗ୍ରେସର ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ଉତ୍ତମ ତ୍ରିପାଠୀ (ଲାଲୁ), ଟି  ଶ୍ରୀପତି, ପରି ସାହୁ, ଗଣେଶ ଦାସ, ବାସୁ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Comment