ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ କାର୍ତ୍ତିକ ବ୍ରତଧାରୀମାନଙ୍କୁ ପୁରୀ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯିବା ପରେ ଏବେ ମହାପ୍ରସାଦ ବିକ୍ରି ପାଇଁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। କାର୍ତ୍ତିକ ମାସରେ ମହାପ୍ରସାଦ ମିଳିବ ବୋଲି ପ୍ରଶାସନ କହିଛି।

ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି ଯେ, ଶୃଙ୍ଖଳିତ ଭାବରେ ଶ୍ରଦ୍ଧାଳୁମାନେ ଯେପରି ମହାପ୍ରସାଦ ପାଇପାରିବେ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଲଟଣା ଦୋକାନ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସେଡ଼ ଭିତରୁ ଗୋଟିଏ ଦକ୍ଷିଣ ଦ୍ୱାର ଓ ଅନ୍ୟଟି ଉତ୍ତର ଦ୍ୱାରରେ ରହିବ। ମହାସୁଆର ନିଯୋଗ ପକ୍ଷରୁ ଏହି ସେଡ଼ରେ ମହାପ୍ରସାଦ ବିକ୍ରି ହେବ। ଗ୍ରାହକମାନେ ଟୋକନ୍ ସଂଗ୍ରହ କରିବା ପରେ ପ୍ରସାଦ ନେଇପାରିବେ।

ଖବର ଅନୁଯାୟୀ, ଏହି ସେଡଗୁଡିକ ୫୦ ଫୁଟରେ ୫୦ ଫୁଟ ଆକାରର ହେବ। ଗୋଟିଏ ସେଡରେ ୫ଟି ଧାଡି ରହିବ। ସେବାୟତମାନେ ମହାପ୍ରସାଦକୁ ବିକ୍ରି କରିବାରେ ସାହାଯ୍ୟ କରିବେ। ଆନନ୍ଦ ବଜାରରୁ ଅର୍ଡର ଅନୁଯାୟୀ ମହାପ୍ରସାଦ ଅଣାଯାଇ ଏହି ଅସ୍ଥାୟୀ ଦୋକାନରେ ବିକ୍ରି କରାଯିବ।

Comment