କମଳାକାନ୍ତ ପତି

ଗତ ବର୍ଷ ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ଆକ୍ରମଣର ସ୍ଵୀକାରୋକ୍ତି ଦୀର୍ଘ ୨୦ ମାସ ପରେ ଶୁଣିବାକୁ ମିଳିଲା ପାକିସ୍ତାନ ମୁହଁରୁ। ଏହାକୁ ଇମ୍ରାନ ସରକାରର ବିଚକ୍ଷଣ ସଫଳତା ବୋଲି ବର୍ଣ୍ଣନା କଲେ ସେ ଦେଶର ଜଣେ ମନ୍ତ୍ରୀ। ପାକିସ୍ତାନରୁ ଏହି ସ୍ଵୀକାରୋକ୍ତି ଆସିବା ପରେ ବିରୋଧୀଙ୍କୁ ବିନ୍ଧିବା ପାଇଁ ମୋଦୀ ସରକାରଙ୍କୁ ଅସ୍ତ୍ର ମିଳିଯାଇଛି। ଲୋକସଭା ଭୋଟ୍ ଜିତିବା ପାଇଁ ଏହା ବିଜେପିର ପ୍ରାୟୋଜିତ ଆକ୍ରମଣ ଥିଲା ବୋଲି ଯେଉଁମାନେ ପ୍ରଚାର କରୁଥିଲେ ସେମାନେ କ୍ଷମା ମାଗନ୍ତୁ। ଏଭଳି ଦାବି କଲାଣି ବିଜେପି।

ସନ୍ତ୍ରାସବାଦକୁ ପ୍ରୋତ୍ସାହନର ପ୍ରମାଣ

ପାକିସ୍ତାନ ସରକାର, ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକ୍ ସେନାର ପରୋକ୍ଷ ପ୍ରୋତ୍ସାହନରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଛି। ବିଶେଷକରି ଜମ୍ମୁ- କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀମାନେ ବାରମ୍ବାର ହିଂସା ଓ ବିଘଟନମୂଳକ କାର୍ଯ୍ୟ ଚଳାଇ ଆସିଛନ୍ତି। ଭାରତ ପକ୍ଷରୁ ଏଭଳି ଅଭିଯୋଗ କାହିଁ କେତେ ଦିନରୁ କରାଯାଉଥିଲେ ମଧ୍ୟ ପାକିସ୍ତାନ ଗାଲୁଆମି କରି ଏହି ଅଭିଯୋଗକୁ ଅସ୍ଵୀକାର କରିଆସୁଛି।ଶେଷରେ ଖୋଦ୍ ପାକିସ୍ତାନର ଜଣେ ମନ୍ତ୍ରୀ ସେଠାକାର ଜାତୀୟ ସଂସଦ (ପାର୍ଲାମେଣ୍ଟ)ରେ ଗୁରୁବାର ସ୍ଵୀକାର କରିଛନ୍ତି ଯେ, ଗତବର୍ଷ ପୁଲଓ୍ଵାମା ଆକ୍ରମଣ ଇମ୍ରାନ ସରକାରର ବଡ଼ ସଫଳତା। ପାକିସ୍ତାନ ମନ୍ତ୍ରୀ ଫାଓ୍ଵାଦ ଚୌଧୁରୀଙ୍କର ଏଭଳି ମନ୍ତବ୍ୟ ଆସିବା ପରେ ସେହି ଦେଶର ଆତଙ୍କବାଦୀ ଚେହେରା ସାରା ପୃଥିବୀ ନିକଟରେ ଧରାପଡ଼ିଯାଇଛି।

ଫାଓ୍ଵାଦ କହିଛନ୍ତି ଯେ, ପୁଲଓ୍ଵାମାରେ ଯାହା ଘଟିଲା ତାହା କେବଳ ଇମ୍ରାନ ସରକାରର ନୁହେଁ, ସବୁ ପାକିସ୍ତାନୀ ନାଗରିକଙ୍କର ସାଫଲ୍ୟ। ଅବଶ୍ୟ ପରେ ପରେ ଫାଓ୍ଵାଦ ଚାପରେ ପଡ଼ି ତାଙ୍କ ସ୍ଵର ବଦଳାଇଛନ୍ତି। ପୁଲଓ୍ଵାମା ଆକ୍ରମଣର ପରବର୍ତ୍ତୀ ଘଟଣାବଳୀ ସମ୍ପର୍କରେ ସେ କହିବାକୁ ଚାହୁଁଥିଲେ ବୋଲି କହିଛନ୍ତି। କିନ୍ତୁ ସତ୍ୟ ଅଛପା ରହିନାହିଁ। ଫାଓ୍ଵାଦଙ୍କ ମୁହଁରୁ ବାସ୍ତବ କଥା ବାହାରିଛି ବୋଲି ସବୁ ମହଲ ବିଶ୍ଵାସ କରୁଛି।ବାସ୍ତବ ଥିଲା ମୋଦୀ ସରକାରଙ୍କ ଅଭିଯୋଗ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃୟାରୀ ୧୪ ତାରିଖରେ ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଜଣ ସିଆରପିଏଫ୍ ଯବାନ। ଏହି ଆକ୍ରମଣର ଶ୍ରେୟ ନେଇଥିଲା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମଦ୍। ଏହାର ଠିକ୍ ୧୨ ଦିନ ପରେ ପାକ୍ ଅଧିକୃତ କଶ୍ମୀରର ବାଲାକୋଟ୍‌ରେ ଆତଙ୍କବାଦୀ ଆଡ୍ଡା ଉପରେ ବିମାନ ଆକ୍ରମଣ କରିଥିଲା ଭାରତ।

ଏହା ପରଦିନ ପାକିସ୍ତାନ ଯୁଦ୍ଧ ବିମାନ ଭାରତର ଆକାଶ ସୀମା ଲଘଂନ କରି ସେନା ଘାଟିକୁ ଟାର୍ଗେଟ୍ କରିଥିଲା। ମାତ୍ର ଭାରତୀୟ ବିମାନବାହିନୀ ସେମାନଙ୍କୁ ତଡ଼ିବାରେ ସଫଳ ହୋଇଥିଲା। ଏପରିକି ବିମାନବାହିନୀର ବୀର ଯବାନ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନର ଲଢ଼ୁଆ ଯୁଦ୍ଧ ବିମାନ ଏଫ୍-୧୬କୁ ଧ୍ଵଂସ କରି ପାକିସ୍ତାନୀ ମାଟିରେ ଖସିପଡ଼ିଥିଲେ। ପାକିସ୍ତାନୀ ସୈନ୍ୟମାନେ ତାଙ୍କୁ ଧରିଥିଲେ ମଧ୍ୟ ଭାରତର ଧମକରେ ଡରି ସସମ୍ମାନେ ଛାଡ଼ିଦେଇଥିଲେ। ସେତେବେଳେ ପୁଲଓ୍ଵାମା ଆକ୍ରମଣ ପାକିସ୍ତାନ ପ୍ରୋତ୍ସାହନରେ କରାଯାଇଥିଲା ବୋଲି ମୋଦୀ ସରକାର ଯାହା କହିଥିଲେ ତାହା ସମ୍ପୂର୍ଣ୍ଣ ସତ୍ୟ ଥିଲା ବୋଲି ଏବେ ପ୍ରମାଣିତ ହୋଇଛି।ନିରସ୍ତ୍ର ଯବାନଙ୍କୁ ହତ୍ୟା କରି ବାହାଦୁରୀ

ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣରେ ଯେଉଁ ୪୦ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ସେମାନେ ସେତେବେଳେ ନିରସ୍ତ୍ର ଥିଲେ। ଏକ ସେନା ଗାଡ଼ିରେ ସେମାନେ ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ସେହି ନିରସ୍ତ୍ର ଯବାନଙ୍କ ହତ୍ୟା ଇମ୍ରାନ ସରକାରର ସଫଳତା କିପରି ହେଲା, ଦେଶର ଜଣେ ମନ୍ତ୍ରୀ ଏହା ସ୍ଵୀକାର କରି ବାହାଦୁରୀ ନେଲେ କିପରି, ଏହା ଏବେ ବଡ଼ ପ୍ରଶ୍ନ। ପୁଲଓ୍ଵାମା ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି ବୋଲି ମୋଦୀ ସରକାର ବାରମ୍ବାର କହିଆସୁଥିଲେ। ମାତ୍ର ପାକିସ୍ତାନ ଏହି ଅଭିଯୋଗକୁ କେବଳ ଖଣ୍ଡନ କରୁନଥିଲା, ବରଂ ବିଜେପି ଉପରେ ଦୋଷ ଲଦୁଥିଲା।

ବିଜେପିକୁ ପୁନର୍ବାର କ୍ଷମତାରେ ରଖିବା ସକାଶେ ଭାରତୀୟ ଗୁପ୍ତଚର ଓ ଗୁଇନ୍ଦା ବିଭାଗ ଏହି ଆକ୍ରମଣ କରିଥିଲେ ବୋଲି ପାକିସ୍ତାନ କହୁଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି ଭାରତର କେତେକ ବିରୋଧୀ ଦଳ ମୋଦୀ ସରକାର ଉପରେ ସମାନ ଅଭିଯୋଗ ନେଇ ଆକ୍ରମଣ କରିଆସୁଥିଲେ। ଏବେ ପାକିସ୍ତାନ ମନ୍ତ୍ରୀଙ୍କ ମୁହଁରୁ ପୁଲଓ୍ଵାମା ଆକ୍ରମଣ ସତ୍ୟ ବାହାରିବା ପରେ ଭାରତର ବିରୋଧୀ ନେତାମାନେ ଚୁପ୍ ହୋଇଯାଇଛନ୍ତି। ଏହାର ପ୍ରଚାର କରିବାକୁ ବିଜେପି ଆଗଭର।ଜବାବ ଦିଅନ୍ତୁ ବିରୋଧୀ: ବିଜେପି

ପାକିସ୍ତାନ ମନ୍ତ୍ରୀ ଫାଓ୍ଵାଦଙ୍କ ପୁଲଓ୍ଵାମା ସ୍ଵୀକାରୋକ୍ତିକୁ ନେଇ ପୁଣି ‘ଫ୍ରଣ୍ଟଫୁଟ୍’କୁ ଚାଲି ଆସିଛି ବିଜେପି। ଏହି ଦଳର କେନ୍ଦ୍ରୀୟ ନେତାମାନେ ଏବେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି ସହ ବିରୋଧୀମାନଙ୍କୁ କଟାକ୍ଷ କରିବାକୁ ଆଗେଇ ଆସିଲେଣି। ବିଜେପି ଦାବି କରିଛି ଯେ, ଲୋକସଭା ଭୋଟ୍ ପୂର୍ବରୁ ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଯେଉଁମାନେ ସନ୍ଦେହ ବ୍ୟକ୍ତ କରୁଥିଲେ, ସେମାନେ ଏବେ କ୍ଷମା ମାଗିନେବା ଉଚିତ୍। ଏହାକୁ ନେଇ ବିଜେପିର ଟାର୍ଗେଟ୍‌ରେ ରାହୁଲ, ସୋନିଆ, ମମତା ଓ କେଜରିଓ୍ଵାଲଙ୍କ ଭଳି କେତେକ ବିରୋଧୀ ନେତା।

ସେତେବେଳେ ଏହି ନେତାମାନେ ପାକିସ୍ତାନକୁ ସୁହାଇଲା ଭଳି ମନ୍ତବ୍ୟ ଦେଇ ବିଜେପିକୁ ଟାର୍ଗେଟ୍ କରୁଥିଲେ। ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟତାବାଦର କାର୍ଡ ଖେଳିବା ସକାଶେ ପୁଲଓ୍ଵାମା ଓ ବାଲାକୋଟ୍ ସୃଷ୍ଟି କରିଛନ୍ତି ବୋଲି ଏହି ନେତାମାନେ ଅଭିଯୋଗ ଆଣିଥିଲେ। ଏପରିକି ସୋସିଆଲ୍ ମିଡିଆରେ ବିଜେପିର କେତେକ ନେତାଙ୍କ ନାମକୁ ପୁଲଓ୍ଵାମା ଆକ୍ରମଣ ଘଟଣା ସହ ଯୋଡ଼ି ଭାଇରାଲ୍ କରାଯାଉଥିଲା। ଏବେ ପାକ୍ ମନ୍ତ୍ରୀଙ୍କ ସ୍ଵୀକାରୋକ୍ତି ପରେ ସେହି ପ୍ରାସଙ୍ଗିକତାହୀନ ଅଭିଯୋଗର ମାନେ କ’ଣ ରହିଲା ବୋଲି ପ୍ରଶ୍ନ ଉଠିଲାଣି।

ସିଧାସଳଖ ଆଙ୍ଗୁଳି ଉଠିନଥିଲା

ଏହା ସତ୍ୟ ଯେ, ପୁଲଓ୍ଵାମା ଓ ବାଲାକୋଟ୍‌କୁ ନେଇ ବିଜେପିକୁ ଜାତୀୟତାବାଦ ରାଜନୀତିର ଖୁଣ୍ଟା ଦେଇଥିଲେ ବିରୋଧୀ। ତେବେ ସେମାନେ ଏହି ଆକ୍ରମଣ ପଛରେ ବିଜେପିର ହାତ ରହିଥିଲା ବୋଲି ସିଧାସଳଖ ଭାବେ କହିନଥିଲେ। ସୋନିଆ ଓ ରାହୁଲଙ୍କ ସମେତ କଂଗ୍ରେସ ନେତାମାନେ ସିଆରପିଏଫ୍ କନଭୟର ନିରାପତ୍ତା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଥିଲେ।

ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣ ଖବର ପାଇବାର କିଛି ଘଣ୍ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡର ଜିମ୍ କର୍ବେଟ ଜାତୀୟ ଉଦ୍ୟାନରେ ତଥ୍ୟଚିତ୍ର ସୁଟିଂରେ ବ୍ୟସ୍ତ ରହିଥିଲେ ବୋଲି ଅଭିଯୋଗ କରିଥିଲେ ରାହୁଲ। ମମତା ବାନାର୍ଜୀ ମଧ୍ୟ ବିଜେପି ବିରୋଧରେ ପୁଲଓ୍ଵାମା ଆକ୍ରମଣ ଷଡ଼ଯନ୍ତ୍ର କଥା ଉଠାଇ ନଥିଲେ। ବରଂ ସେ କହିଥିଲେ ଯେ, ପୁଲଓ୍ଵାମା ସୁଯୋଗ ନେଇ ବିଜେପି ଭୋଟ୍ ପୂର୍ବରୁ ସାମ୍ପ୍ରଦାୟିକ ବିଭାଜନର ଚେଷ୍ଟା କରୁଛି। ବରଂ ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକ୍‌ରେ ଏହି ଆକ୍ରମଣ ଘଟଣାକୁ ନେଇ ସନ୍ଦେହ ବ୍ୟକ୍ତ କରିଥିଲେ। ଲୋକସଭା ଭୋଟ୍ ପୂର୍ବରୁ ଏଭଳି ଆକ୍ରମଣ ଆହୁରି ହୋଇପାରେ ବୋଲି ସେ କହିଥିଲେ।ପ୍ରଶ୍ନ ଉଠାଇ ଏବେ ନିରବ କାହିଁକି?

ଚଳିତବର୍ଷ ଫେବୃୟାରୀ ୧୪ରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିଛି ଦେଶ। ଏହି ପରିପ୍ରେକ୍ଷୀରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କଂଗ୍ରେସ ନେତା ରାହୁଲ ଗାନ୍ଧି କେତୋଟି ପ୍ରଶ୍ନ ବାଣ ମୋଦୀ ସରକାର ଆଡ଼କୁ ଛାଡ଼ିଛନ୍ତି। ଏହି ଆକ୍ରମଣରୁ ସବୁଠାରୁ ବେଶି ଲାଭବାନ୍ କିଏ? ଆକ୍ରମଣର ତଦନ୍ତ ରିପୋର୍ଟ କ’ଣ ହେଲା? ନିରାପତ୍ତାରେ ତ୍ରୁଟି କାରଣରୁ ଏଭଳି ଆକ୍ରମଣ ସମ୍ଭବ ହେଲା, ଏଥିପାଇଁ ଦାୟୀ କିଏ?

ସମ୍ଭବତଃ ରାହୁଲ ଇତିମଧ୍ୟରେ ପାକ୍ ମନ୍ତ୍ରୀଙ୍କ ସ୍ଵୀକାରୋକ୍ତିରୁ ତାଙ୍କର ଉତ୍ତର ପାଇସାରିଥିବେ। ତେଣୁ ତାଙ୍କ ସମେତ ବିରୋଧୀ ନେତାମାନେ ନିରବ ହୋଇଯାଇଛନ୍ତି। ଏହି ସୁଯୋଗରେ ବିଜେପି ନେତାଙ୍କ ସକ୍ରିୟତା ଦେଖିବାକୁ ମିଳୁଛି। ସୁବ୍ରମଣ୍ୟମ ସ୍ଵାମୀ ଟୁଇଟ୍ କରି ଲେଖିଛନ୍ତି – ପାକିସ୍ତାନ ମାନିନେଲା ପୁଲଓ୍ଵାମା ସନ୍ତ୍ରାସ ସେମାନଙ୍କ ପ୍ରାୟୋଜିତ। ଅଥଚ ସୋନିଆ, ରାହୁଲଙ୍କ ସମେତ କଂଗ୍ରେସର ନେତାମାନେ କହୁଥିଲେ, ଭୋଟ୍ ଜିତିବା ପାଇଁ ବିଜେପି ଆକ୍ରମଣ କରିଥିଲା। ଏହାକୁ କୁହାଯାଏ ମାନସିକ ଦୈନ୍ୟ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର ସମାନ ଭଙ୍ଗୀରେ ଟୁଇଟ୍ କରି କଂଗ୍ରେସର ନେତା କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment