ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁଲବଶତଃ ସୀମା ଡେଇଁ ପାକିସ୍ତାନ ଚାଲିଯିବାରୁ ଗୁପ୍ତଚର ଭାବି ପାକ୍ ସେନା ସୁନ୍ଦରଗଡ଼ର ବିର୍‌ଜୁଙ୍କୁ ୨୦ ବର୍ଷ ବନ୍ଦୀ କରି ରଖିଥିଲା।

ଛୋଟବେଳୁ ମାନସିକ ସ୍ତରରେ ଅନଗ୍ରସର ଥିଲେ ବିର୍‌ଜୁ। ୨୪କି ୨୫ ବର୍ଷ ବୟସରେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ଭୁଲ୍‌ ବଶତଃ କେତେବେଳେ ସୀମା ପାର୍ ହୋଇ ପହଞ୍ଚିଯାଇଥିଲେ ପାକିସ୍ତାନରେ। ଗୁପ୍ତଚର ଭାବି ପାକିସ୍ତାନ ସୈନ୍ୟ ତାଙ୍କୁ ଧରି ଜେଲ୍‌ରେ ରଖିଥିଲା। ଦୀର୍ଘ ଦିନ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଗୋଟିଏ ବୋଲି ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପା-ମା ଆପରପାରିକୁ ଚାଲିଗଲେ। ୟାରି ଭିତରେ ପରିବାର ଲୋକେ ତାଙ୍କୁ ମୃତ ମାନି ନେଇଥିଲେ। କିନ୍ତୁ ଚଳଚ୍ଚିତ୍ରର କ୍ଲାଇମାକ୍ସ ପରି ବିର୍‌ଜୁ ୨୦ ବର୍ଷ ପରେ ଗାଁ ମାଟିକୁ ଫେରୁଥିବା ଖବର ଆସି ପହଞ୍ଚିଛି।

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗର ଜଙ୍ଗାଟୋଲି ଗ୍ରାମରେ ରହୁଥିଲେ କାମଲିସ୍‌ କୁଲୁ। ପରିବାର କହିଲେ ପତ୍ନୀ, ଗୋଟିଏ ପୁଅ, ଗୋଟିଏ ଝିଅ। ପିଲାଟି ବେଳୁ ପୁଅ ବିର୍‌ଜୁ ସାମାନ୍ୟ ମାନସିକ ଅନଗ୍ରସର ଥିଲେ। ଯୁବକ ଅବସ୍ଥାରେ ବିର୍‌ଜୁ ଘରଛାଡ଼ି ପଳାଇଥିଲେ। ପରିବାର ଲୋକେ ସମ୍ପର୍କୀୟ ଘରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ କେଉଁଠି ବି ବିର୍‌ଜୁଙ୍କର ପତ୍ତା ମିଳି ନଥିଲା।କିଛିଦିନ ତଳେ ବିର୍‌ଜୁ କୁଲୁ ବୋଲି ଜଣେ ବ୍ୟକ୍ତିଙ୍କ ସନ୍ଧାନରେ ସ୍ଥାନୀୟ ପୋଲିସ ତାଙ୍କ ଘରକୁ ଆସିଥିଲେ। ପରିବାର ଲୋକେ ତାଙ୍କ ଫଟୋ ଦେଖି ବିର୍‌ଜୁ ଜୀବିତ ଅଛନ୍ତି ବୋଲି ଜାଣିବାକୁ ପାଇଲେ। ଗତ ମାସ ୨୬ରେ ସେ ପାକିସ୍ତାନ ଲାହୋର ଜେଲ୍‌ରୁ ମୁକୁଳି ଭାରତ ଆସିଛନ୍ତି ବିର୍‌ଜୁ। ସେ ଏବେ ପଞ୍ଜାବ ଅମୃତସରର ଏକ କୋଭିଡ ସେଣ୍ଟରରେ କ୍ଵାରେଣ୍ଟିନରେ ଅଛନ୍ତି।

ଏତେବର୍ଷ ପରେ ହଜିଲା ପୁଅର ଠିକଣା ପାଇ ଖୁବ୍ ଖୁସି ଅଛନ୍ତି ପରିବାର ଲୋକେ। କ୍ଵାରେଣ୍ଟିନ ରହଣି ସାରି ଖୁବ୍ ଶୀଘ୍ର ଗାଁ ମାଟିକୁ ଫେରିବେ ବିର୍‌ଜୁ। ଏଥିପାଇଁ ଗାଁରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କିନ୍ତୁ ହଜିଲା ପୁଅର ଫେରିଲା ମୁହଁକୁ ଦେଖିବାକୁ ଆଉ ନାହାନ୍ତି ବାପା-ମାଆ। ଗାଁରେ କେବଳ ତାଙ୍କର ବଡ଼ବାପାଙ୍କ ପରିବାର ରହୁଛନ୍ତି। ଦୀର୍ଘ ବର୍ଷ ପରେ ବିର୍‌ଜୁ ଫେରୁଥିବାରୁ ତାଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ।

Comment