ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରରେ ଗଣେଶ ପୂଜା, ଦଶହରା ପରେ ଏବେ କାଳୀପୂଜାକୁ ବି କଟକଣା ମଧ୍ୟରେ ଆୟୋଜନ କରାଯିବ। ସୁରକ୍ଷା ବ୍ୟବସ୍ଥା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୫୦ ଅଧିକରୀ ସହରରେ ମୁତୟନ ହେବେ। ସେହିପରି ଦୀପାବଳିରେ ବାଣ ବିକ୍ରି କରିବାକୁ ଦୋକାନୀମାନଙ୍କୁ ପ୍ରଶାସନ ପକ୍ଷରୁ ଲାଇସେନ୍ସ ଯୋଗାଇ ଦିଆଯିବ। ସୋମବାର କାଳୀପୂଜା ପ୍ରସ୍ତୁତି ବ୍ୟବସ୍ଥା ସଂପର୍କରେ ଏକ ସାମ୍ଵାଦିକ ସମ୍ମିଳନୀ କରି କଟକ ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି।

ଦୁର୍ଗାପୂଜା ପରି କାଳୀପୂଜାକୁ ମଧ୍ୟ କରୋନା କଟକଣା ମଧ୍ୟରେ ଆୟୋଜନ କରାଯିବ। ପୂର୍ବବର୍ଷ ଭଳି ବାଣ ଦେକାନୀଙ୍କୁ ବାଣ ବିକ୍ରି କରିବାକୁ ଅନୁମତି ଦିଆଯିବ। ତେବେ କେଉଁଠି ବାଣ ଦୋକାନ କରାଯିବ ସେ ନେଇ ପ୍ରଶାସନ ସ୍ଥାନ ସ୍ଥିର କରିବ। ସେହିପରି ଏଥର ଦୀପାବଳିରେ ଚାଇନା ବାଣ ବିକ୍ରି ଉପରେ ସଂପୂର୍ଣ୍ଣ ବାରଣ କରାଯାଇଥିବା ସୂଚନା ମିଳିଛି।

କରୋନା ମହାମାରୀ ପାଇଁ ଦୀର୍ଘ ୭ମାସ ଧରି ରାଜ୍ୟରେ ସମସ୍ତ ପୂଜା ପାର୍ବଣ ଫିକା ପଡ଼ିଯାଇଛି। କଟକ ସହରରେ ପାର୍ବଣ ଋତୁକୁ ବେଶ୍ ଆଡମ୍ଵରେ ପାଳନ କରାଯାଇଥାଏ। ଗଣେଶ ପୂଜାରୁ ସହରରେ ପାର୍ବଣର ଆରମ୍ଭ ହୋଇ ବାଲିଯାତ୍ରାରେ ଶେଷହୁଏ। ବିଶେଷକରି ଦଶହରା, କାଳୀପୂଜା, ବାଲିଯାତ୍ରା ଦେଖିବାକୁ କଟକ ସମେତ ବାହାର ଜିଲ୍ଲାରୁ ହଜାର ହଜାର ଲୋକେ ଆସିଥାନ୍ତି। ବାଣିଜ୍ୟ ଦିଗରୁ ବି ପାର୍ବଣ ବେଶ୍ ଗୁରୁତ୍ଵପୂର୍ଣ୍ଣ। ସହରର ହଜାର ହଜାର ବ୍ୟବସାୟୀ ଏହି ଋତୁରେ ବର୍ଷକ ପାଇଁ ଆହାର ଯୋଗାଡ଼ କରିଥାନ୍ତି। କିନ୍ତୁ କରାନା ପାଇଁ ଏଥର ସବୁ କିଛି କଟକଣା ମଧ୍ୟରେ ହେବ।

Comment