ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର ମାଣ୍ଡିଆ କିଣାଯିବ। ଏଫଏକ୍ୟୁ ମାନର ମାଣ୍ଡିଆ କୁଇଣ୍ଟାଲ ପିଛା ୩୨୯୫ ଟଙ୍କାରେ କିଣାଯିବ।

ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଶୁକ୍ରବାର ଦିନ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜଣେ ଚାଷୀଙ୍କଠାରୁ ହେକ୍ଟର ପିଛା ସର୍ବାଧିକ ୫ କୁଇଣ୍ଟାଲ ପର୍ଯ୍ୟନ୍ତ ମାଣ୍ଡିଆ କିଣାଯିବ। ଚଳିତ ବର୍ଷ ଡିସେମ୍ବର ୧୨ରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ଭିତରେ ମାଣ୍ଡିଆ କ୍ରୟ କରାଯିବ।nikhil paban kalyan

ମଣ୍ଡିରେ ମାଣ୍ଡିଆ ବିକ୍ରି କରିବା ପାଇଁ ଚାଷୀମାନେ ଲ୍ୟାମ୍ପସ ମାଧ୍ୟମରେ ନିଜର ନାଁ ପଞ୍ଜୀକୃତ କରିବେ। ଏନେଇ ଅକ୍ଟୋବର ୨୦ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଚାଷୀମାନେ ଚାହିଁଲେ ଭିଏଡବ୍ଲ୍ୟୁ, ସହକାରୀ କୃଷି ଅଧିକାରୀ, ଆରଏମସି, ଲ୍ୟାମ୍ପସ କିମ୍ବା କୃଷି ବିଭାଗ ଦ୍ୱାରା ଅନୁବନ୍ଧିତ ସାମାଜିକ ସଙ୍ଗଠନର ସହଯୋଗ ନେଇ ନାଁ ପଞ୍ଜୀକୃତ କରିପାରିବେ।

ପଞ୍ଜୀକରଣ ବେଳେ ଚାଷୀଙ୍କୁ ଫର୍ମ ପୂରଣ କରିବା ସହ ନିଜର ଜମି ପଟ୍ଟା, ଭୋଟର ପରିଚୟପତ୍ର, ଜାତୀୟକରଣ ବ୍ୟାଙ୍କ ଖାତାର ପ୍ରଥମ ପୃଷ୍ଠା, ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ଦେବାକୁ ପଡ଼ିବ।ଏହି ବୈଠକରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଡିଏମଏଫ ସିଇଓ ଏବଂ ଡିଆରସିଏସଙ୍କ ସମେତ କୃଷି ବିଭାଗ, ଟିଡିସିସି, ପୁଷ୍ଟିଶସ୍ୟ ମିଶନ ଏବଂ ମାଣ୍ଡିଆ ଚାଷ ସହ ସଂପୃକ୍ତ ବିଭିନ୍ନ ସହଯୋଗୀ ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତ ବର୍ଷ ୮ଟି ବ୍ଲକରେ ୨୫୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଛି। ବାଲିଶଙ୍କରା, ହେମଗିରି, ଟାଙ୍ଗରପାଲି, ଲେଫ୍ରିପଡ଼ା, କୁଆରମୁଣ୍ଡା, କୁତ୍ରା, ରାଜଗାଙ୍ଗପୁର ଏବଂ ନୂଆ ଗାଁ ବ୍ଲକର ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ମାଣ୍ଡିଆ କିଣାଯିବ।ବର୍ତ୍ତମାନ ମଣ୍ଡି ମାଧ୍ୟମରେ ସରକାର କିଣୁଥିବା ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରାଯାଉଛି। ତା’ସହିତ ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ଚାଲିଥିବା ମାଣ୍ଡିଆ ଲଡ଼ୁ ବଣ୍ଟନ କାର୍ଯ୍ୟକ୍ରମ ଲାଗି ଏହା ବ୍ୟବହାର କରାଯିବ।

Comment