ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରର ବରିଷ୍ଠ ନାଗରିକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ ହୋଇଛି। ଆମେରିକାରେ ଥିବା ଏକ ଷ୍ଟାର୍ଟଅପ କମ୍ପାନି ଏହି ଉଦ୍ୟମର ମୂଳରେ ରହିଛି। କମ୍ପାନି ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଏକ ୱେବସାଇଟ୍ ତିଆରି ହୋଇଛି। ଏହା ଜରିଆରେ ବୟସାଧିକ୍ୟ ଲୋକେ ଯାବତୀୟ ସୁବିଧା ପାଇପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସେନ୍ସିକେୟାର(SenCiCare)ୱେବସାଇଟ୍‌ର ଉଦ୍ଦେଶ୍ୟ ହେଉଛି ଷାଠିଏ ବର୍ଷରୁ ଅଧିକ ନାଗରିକଙ୍କ ପାଇଁ ଔଷଧ, ପନି ପରିବା ଓ ଦୈନନ୍ଦିନ ଗ୍ରୋସେରି ଯୋଗାଇଦେବା। ବଡ଼ କଥା ହେଲା ସେମାନଙ୍କୁ ଆଉ ଘର ଦୁଆର ଡେଇଁ ଯିବାକୁ ପଡ଼ିବ ନାହିଁ।

ବରିଷ୍ଠ ନାଗରିକମାନେ ନିଜେ ୱେବସାଇଟ୍‌କୁ ଯାଇ ନାମ ରେଜିଷ୍ଟ୍ରେସନ କରିପାରିବେ। ଅଥବା ଫୋନ୍ କଲ୍ ଜରିଆରେ ନିଜର ନାମ ପଞ୍ଜିକରଣ କରିପାରିବେ।

ୱେବସାଇଟ୍‌ର ଉଦ୍ୟୋକ୍ତା ପ୍ଲାବନ ମହାପାତ୍ରଙ୍କ କହିବା ଅନୁଯାୟୀ, ଭୁବନେଶ୍ୱର ସହରରେ ଅନେକ ବରିଷ୍ଠ ନାଗରିକ ଏକାକୀ ରହୁଛନ୍ତି। କାରଣ ସେମାନଙ୍କ ସନ୍ତାନମାନେ ବାହାର ସହର ବା ବାହାର ଦେଶରେ ରହୁଛନ୍ତି। ସେମାନେ ନିରନ୍ତର ସାହାଯ୍ୟ ଦରକାର କରୁଛନ୍ତି। ଏହି ୱେବସାଇଟ୍ ସେହି କାର୍ଯ୍ୟ କରିବ।କାଲିଫର୍ଣ୍ଣିଆରେ ରହୁଥିବା ପ୍ଲାବନ ଭୁବନେଶ୍ୱରର ୪ ଜଣ ଉଦ୍ୟୋଗୀଙ୍କୁ ନେଇ ଏହି ୱେବସାଇଟ୍ ଆରମ୍ଭ କରିଛନ୍ତି। ନିଜ ବାପା ମା’ ଅନ୍ୟ ସହରରେ ଏକାକୀ ରହୁଥିବା ହେତୁ ଏଭଳି ଏକ ଚିନ୍ତା ମନକୁ ଆସିଲା ବୋଲି ସେ କହିଛନ୍ତି।

ଏହି ଉଦ୍ୟୋକ୍ତାମାନେ ଆଗକୁ ଆହୁରି ଅନେକ ସେବା ଯୋଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଓକିଲ ଯୋଗାଇବା, ରୋଷେୟା କିମ୍ବା ଘର କାମରେ ସାହାଯ୍ୟ ପାଇଁ ମହିଳାଙ୍କୁ ଯୋଗାଇବା ଆଦି ଏହି ସେବା ଭିତରେ ରହିଛି।

ଆହୁରି ମଧ୍ୟ ତୀର୍ଥ ଭ୍ରମଣରେ ଯିବା ପାଇଁ ଏହି ସାଇଟ୍ ସାହାଯ୍ୟ କରିବ। ପ୍ୟାକେଜ ଟୁର୍ ବ୍ୟବସ୍ଥା ମଧ୍ୟ କରାଯିବାର ଯୋଜନା ରହିଛି। ଘରେ ଜିନିଷ ପତ୍ର ଆଣି ପହଞ୍ଚାଇବା ବ୍ୟତୀତ ଟ୍ୟାକ୍ସି ବୁକିଙ୍ଗ, ଆମ୍ବୁଲାନ୍ସ ଆଦି ଯୋଗାଇବାରେ ମଧ୍ୟ ଏହି ସାଇଟ୍ ସାହାଯ୍ୟ କରୁଛି ବୋଲି କହିଛନ୍ତି ଅନ୍ୟ ଜଣେ ଉଦ୍ୟୋଗୀ।

ପ୍ଲାବନ ଓ ତାଙ୍କ ଟିମ୍ ଏହା ପୂର୍ବରୁ ସ୍ୱର୍ଗଦ୍ୱାରରେ ଶବ ସତ୍କାର ପାଇଁ ପ୍ରଥମେ ଉଦ୍ୟମ ଆରମ୍ଭ  କରିଥିଲେ ଓ ସେମାନଙ୍କ ଉଦ୍ୟମରେ ସହଜରେ ୩୦୦ ଶବ ସତ୍କାର କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here