ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧ରୁ ପୁଣି ଚଳଚଞ୍ଚଳ ହେବ କୋଣାର୍କ ଓ ରାମଚଣ୍ଡୀ ବେଳାଭୂମି। କାରଣ ଏଠାରେ ଇକୋ ରିଟ୍ରିଟର ଦ୍ଵିତୀୟ ସଂସ୍କରଣ ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଉତ୍ସବ ତିନି ମାସ ଧରି ଚାଲିବ। କରୋନା ମହାମାରୀ ଯୋଗୁ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ପ୍ରଚୁର କ୍ଷତି ସହିଥିବାରୁ ଏହାକୁ ସୁଧାରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ସରକାର। ତା’ ଭିତରୁ ଇକୋ ରିଟ୍ରିଟ ଅନ୍ୟତମ।

ରାମଚଣ୍ଡୀଠାରେ ହେବାକୁ ଥିବା ଏହି ଉତ୍ସବ ପର୍ଯ୍ୟଟକମାନଙ୍କ ପାଇଁ ଅପୂର୍ବ ଅନୁଭୂତି ଆଣିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ପର୍ଯ୍ୟଟନ ଶିଳ୍ପର ମଧ୍ୟ ପୁନରୁଦ୍ଧାର ହୋଇପାରିବ। କୋଣାର୍କ ଭଳି ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ସାତକୋଶିଆରେ ମଧ୍ୟ ଏହିଭଳି ଉତ୍ସବ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜ୍ୟର କମ୍ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀର ଉନ୍ନୟନ ପାଇଁ ଇକୋ ରିଟ୍ରିଟ ଆୟୋଜିତ ହେବ ବୋଲି ଚିନ୍ତା କରାଯାଇଛି।କୋଣାର୍କରେ ପୁଣି ଥରେ ଏହି ଉତ୍ସବର ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ଅଧିକାରୀ ଓ ପୁରୀ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଗତ ବୁଧବାର କ୍ଷେତ୍ର ପରିଦର୍ଶନ କରିଥିଲେ। ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଗତ ବର୍ଷଠାରୁ ଏବର୍ଷର ଯୋଜନାରେ କିଛିଟା ପରିବର୍ତ୍ତନ ହେବ। ତା’ ଛଡ଼ା ଆଉ କିଛି ଅଧିକ ସୁବିଧା ମଧ୍ୟ ପର୍ଯ୍ୟଟକଙ୍କୁ ମିଳିବ।

ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ କହିଛନ୍ତି ଯେ, ଇକୋ ରିଟ୍ରିଟ ଆୟୋଜିତ ହେବା ଫଳରେ ସ୍ଥାନୀୟ ଲୋକଙ୍କ ରୋଜଗାର ପାଇଁ ରାସ୍ତା ଖୋଲିବ।କ୍ୟାମ୍ପ୍ ସାଇଟ୍‌ରେ ୫୦ଟି ଟେଣ୍ଟ ପକାଯିବ। ତେବେ କେଉଁ ସବୁ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେହି ନିଷ୍ପତ୍ତି ପରେ ନିଆଯିବ ବୋଲି ଜଣାପଡ଼ିଛି।

ପର୍ଯ୍ୟଟନ ନିର୍ଦ୍ଦେଶକ ଏସ୍‌ଆର ଯାଦବ କହିଛନ୍ତି ଯେ, ମହାମାରୀ ଯୋଗୁ ରାଜ୍ୟର ଦୁଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପୁରୀ ଓ କୋଣାର୍କ ବ୍ୟାପକ କ୍ଷତି ସହିଛି ଏବଂ ଲୋକଙ୍କର ରୋଜଗାର ମଧ୍ୟ ବାଧାପ୍ରାପ୍ତ ହୋଇଛି। ଇକୋ ଫେଷ୍ଟିଭାଲ ଜରିଆରେ ସେହି କ୍ଷତିକୁ ଭରଣା କରାଯିବ।

ଗତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ଇକୋ ରିଟ୍ରିଟର ପ୍ରଥମ ସଂସ୍କରଣ ପ୍ରଭୂତ ସଫଳତା ଲାଭ କରିଥିଲା। ଏଥିରେ ରେକର୍ଡ ୮୯ ପ୍ରତିଶତ ଅକ୍ୟୁପେନ୍ସି ଲକ୍ଷ୍ୟ କରାଯାଇଥିଲା। ପ୍ରାୟ ୪ ହଜାର ଦର୍ଶକ ଓ ପର୍ଯ୍ୟଟକ ଏହି ଉତ୍ସବରେ ସାମିଲ ହୋଇଥିଲେ ଏବଂ ୫ ହଜାର ଲୋକ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ନେଇଥିଲେ।

Comment