ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀକୁ ଦେଶର ଏକ ନମ୍ବର ସ୍ଵଚ୍ଛ ସହରରେ ପରିଣତ କରିବା ପାଇଁ ନିକଟରେ ଆରମ୍ଭ ହୋଇଥିବା ‘ମୋ ଧାମ, ମୋ ଗର୍ବ’ ଅଭିଯାନ ଉଦ୍‌ଯାପିତ ହୋଇଛି। ରବିବାର ବ୍ଲୁ ଫ୍ଲାଗ୍ ସମୁଦ୍ର ବେଳାଭୂମିରେ ଏହି ଉଦ୍‌ଯାପନୀ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଗତ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ଵଚ୍ଛତା ଅଭିଯାନରେ ଲକ୍ଷ ଲକ୍ଷ ସହରବାସୀ ସାମିଲ ହୋଇଥିଲେ। ଓଡ଼ିଶା ସରକାରଙ୍କ ସହଯୋଗ ତଥା ପ୍ରଶାସନର ପ୍ରଚେଷ୍ଟା ଫଳରେ ଏହି ଅଭିଯାନ ସଫଳ ରୂପ ନେଇଛି। ସାତ ଦିନ ଧରି ସହରରେ କରାଯାଇଥିବା ସଫେଇ ଅଭିଯାନରେ ୩୫ ମେଟ୍ରିକ ଟନ୍‌ରୁ ଅଧିକ ଅଳିଆ ସଂଗ୍ରହ କରାଯାଇଛି।

ଏହି କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଛି। ଏଥିସହ ସହରବାସୀ ଦସ୍ତଖତ ଅଭିଯାନରେ ସାମିଲ ହେବା ସହ ନିଜ ସହରକୁ ସ୍ଵଚ୍ଛ ଓ ସୁନ୍ଦର ରଖିବାକୁ ଶପଥ ନେଇଛନ୍ତି।

ପୁରୀକୁ ଏକ ଶ୍ରେଷ୍ଠ ସହର ତଥା ବିଶିଷ୍ଟ ଧାମରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଥିବା ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ଅତିଥିମାନେ କହିଛନ୍ତି। ଏହି ଅବସରରେ ଲୋକମାନଙ୍କଠାରୁ ନିଆଯାଇଥିବା ଶପଥ ଦସ୍ତଖତକୁ ପ୍ରଦର୍ଶିତ କରାଯିବା ସହ ପୁରୀକୁ ସ୍ଵଚ୍ଛ ରଖିବା ପାଇଁ ଶପଥ ନିଆଯାଇଥିଲା।

 

Comment