ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ନିର୍ବାଚନ କାହିଁକି ହାରିଲେ ଡୋନାଲ୍ଡ ଟ୍ରମ୍ପ, ପଢ଼ନ୍ତୁ ଏହି ରିପୋର୍ଟ।

ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକା ନିଜର ନୂଆ ରାଷ୍ଟ୍ରପତି ବାଛିସାରିଛି। ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇସାରିଛନ୍ତି। ତେବେ ଏଥର ଆମେରିକାର ନିର୍ବାଚନରେ ଟ୍ରମ୍ପ କାହିଁକି ପରାଜୟ ଭୋଗିଲେ? କେଉଁ କେଉଁ ପ୍ରସଙ୍ଗ ତାଙ୍କୁ ଏଭଳି ରାଜନୈତିକ ବିପର୍ଯ୍ୟୟ ଭେଟିଦେଲା?

ଟ୍ରମ୍ପଙ୍କୁ ଭାରି ପଡ଼ିଲା ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ

ଏଥର ଆମେରିକାର ନିର୍ବାଚନରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପ୍ରସଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଯେଉଁ କାରଣରୁ ଟ୍ରମ୍ପ ନିର୍ବାଚନରେ ପରାଜୟ ସ୍ୱାଦ ଚାଖିଥିବା କୁହାଯାଉଛି। ଚଳିତବର୍ଷ ମେ’ ୨୫ ତାରିଖରେ ଆମେରିକାର ମିନିପଲିସ୍ ଅଞ୍ଚଳରେ ଜଣେ କୃଷ୍ଣକାୟ ନାଗରିକ ପୋଲିସର ବର୍ବର କାଣ୍ଡର ଶିକାର ହୋଇଥିଲେ। ମାତ୍ର ୨୦ ଡଲାର ପାଇଁ ପୋଲିସ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲା। ଏହି କୃଷ୍ଣକାୟ ନାଗରିକଙ୍କ ନାଁ ଥିଲା ଜର୍ଜ ଫ୍ଲୋଏଡ୍।

ସେ ୨୦ ଡଲାର ନୋଟ୍ ଦେଇ ଏକ ସିଗାରେଟ୍ କିଣିଥିଲେ। ହେଲେ ଏହି ନୋଟଟି ନକଲି ଥିଲା। ଏସମ୍ପର୍କରେ ପୋଲିସ ଖବର ପାଇଁ ସଂପୃକ୍ତ ଅଞ୍ଚଳରେ ପହଞ୍ଚିଥିଲା। ସେଠାରେ ପୋଲିସ ତାଙ୍କ ସହ ବର୍ବରତା ଆଚରଣ କରିଥିଲେ। ରାସ୍ତା ଉପରେ ଗୋଟିଏ କାର ପାଖରେ ପୋଲିସ କର୍ମଚାରୀ ଫ୍ଲୋଏଡଙ୍କ ଗଳାକୁ ଆଣ୍ଠୁରେ ମାଡ଼ି ବସିଥିଲେ। ଫଳରେ ପ୍ଲୋଏଡ୍ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିଲେ।

କୃଷ୍ଣକାୟ ନାଗରକଙ୍କ ପ୍ରତି ପୋଲିସର ଏହି ଆଚରଣକୁ ଲୋକମାନେ ବେଶ ନିନ୍ଦା କରିବା ସହିତ ଫ୍ଲୋଏଡଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ଏପରି ପରିସ୍ଥିତିରେ ଟ୍ରମ୍ପ କିନ୍ତୁ ଏହି ଘଟଣାକୁ ହେୟ ମନେ କରିଥିଲେ। ଫଳରେ ଆମେରିକାର କୃଷ୍ଣକାୟ ସମାଜ ଓ ଉଦାରବାଦୀ ସମାଜ ଟ୍ରମ୍ପଙ୍କ ବିରୋଧୀ ହୋଇଯାଇଥିଲା। ଯାହାର ଫଳ ଏଥର ଆମେରିକା ନିର୍ବାଚନରେ ଦେଖିବାକୁ ମିଳିଛି।

ଆମେରିକାରେ କରୋନାର ତାଣ୍ଡବ

ବିଶ୍ୱର ବିଭିନ୍ନ ଦେଶ କରୋନା ମହାମାରୀ ଦ୍ୱାରା ବେଶ ପ୍ରଭାବିତ ହୋଇଛନ୍ତି। ହେଲେ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଆମେରିକା। ବର୍ତ୍ତମାନ ସୁଦ୍ଧା ସେଠାରେ ୧ କୋଟିରୁ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ୨ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଯାହାକୁ ଟ୍ରମ୍ପ ସରକାରର ବିଫଳତା ବୋଲି କୁହାଯାଉଛି।

ଅନ୍ୟପଟେ କରୋନା ଟିକାକୁ ନେଇ ଟ୍ରମ୍ପ ସବୁବେଳେ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାଙ୍କର କଥା ଓ କାମ ଭିତରେ ବହୁତ ଫରକ୍ ରହିଥିଲା। ଯେଉଁ କାରଣରୁ ଆମେରିକାବାସୀ ତାଙ୍କ ଉପରେ ଭରସା କରିପାରିନାହାନ୍ତି।

ମିଛ ପାଇଁ ହରାଇଲେ ଆସ୍ଥା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିଟି ଭାଷଣରେ ଅନେକ ମିଛ କଥା କହିଥାନ୍ତି ବୋଲି ଆମେରିକା ଗଣମାଧ୍ୟମ ଏକ ତଥ୍ୟ ରଖିଥିଲା। ଯେଉଁଥିରେ ଟ୍ରମ୍ପ ପ୍ରତିଦିନ ୧୫ଟିରୁ ଅଧିକ ମିଛ କଥା କହିବା ସହ ନିଜ କାର୍ଯ୍ୟକାଳ ଭିତରେ ମୋଟ ୨୦ ହଜାରରୁ ଅଧିକ ମିଛ କହୁଥିବା ଏଥିରେ କୁହାଯାଇଥିଲା। ଏପରିକି ନିର୍ବାଚନ ସମୟରେ ଏହି ସଂଖ୍ୟା ଦୈନିକ ୨୪କୁ ବୃଦ୍ଧି ପାଇଯାଇଥିଲା।

ୱାସିଂଟନ ପୋଷ୍ଟ ଓ ନ୍ୟୁୟର୍କ ଟାଇମ୍ସର ଏହି ରିପୋର୍ଟ ପରେ ଆମେରିକୀୟ ଭୋଟର ଟ୍ରମ୍ପଙ୍କ ଉପରେ ଆସ୍ଥା ପ୍ରକଟ କରିପାରିନାହାନ୍ତି ବୋଲି କୁହାଯାଉଛି। ଏହାସହ ଟ୍ରମ୍ପଙ୍କ କଟ୍ଟର ରାଷ୍ଟ୍ରବାଦ ନୀତି ମଧ୍ୟ ଆମେରିକା ଭୋଟରଙ୍କ ଉପରେ ସେପରି କୌଣସି ପ୍ରଭାବ ପକାଇପାରିନାହିଁ।

କାହାକୁ ମିଳିଲା କେତେ ଭୋଟ୍?

ଏଥର ଆମେରିକା ନିର୍ବାଚନରେ ମୋଟ୍ ୬୭ ପ୍ରତିଶତ ଭୋଟ୍ ହୋଇଥିଲା। ଯେଉଁଥିରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ୭ କୋଟି ୯ ଲକ୍ଷ ଭୋଟ୍ ମିଳିଥିଲାବେଳେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କୁ ସାଢ଼େ ୭କୋଟିରୁ ଅଧିକ ଭୋଟ୍ ମିଳିଥିଲା। ଯାହାକି ଆମେରିକା ଇତିହାସରେ ଏକ ରେକର୍ଡ।

ଆମେରିକା ନିର୍ବାଚନ ଜିତିବାକୁ ହେଲେ ୫୩୮ ଇଲେକ୍ଟରଙ୍କ ଭିତରୁ ୨୭୦ ଜଣକଙ୍କ ସମର୍ଥନ ଆବଶ୍ୟକ ପଡ଼ିଥାଏ। ଜୋ ବାଇଡେନ୍ କିନ୍ତୁ ଏହାଠାରୁ ଆହୁରି ୨୦ ଜଣ ଅଧିକ ଇଲେକ୍ଟରଙ୍କ ସମର୍ଥନ ହାସଲ କରିପାରିଛନ୍ତି। ଯାହା ତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ଏକପ୍ରକାର ପକ୍କା କରିଦେଇଥିଲା।

ଆମେରିକାର ନୂଆ ରାଷ୍ଟ୍ରପତି – ଜୋ ବାଇଡେନ୍

ଡେମୋକ୍ରାଟିକ ଦଳର ନେତା ଜୋ ବାଇଡେନ୍ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି। ଆସନ୍ତାବର୍ଷ ଜାନୁଆରି ମାସ ୨୦ ତାରିଖରେ ସେ ବିଧିବଦ୍ଧ ଭାବେ ନିଜର କାର୍ଯ୍ୟଭାର ଗ୍ରହଣ କରିବେ।

ଜୋ ବାଇଡେନ୍‌ଙ୍କ ଜନ୍ମ ୧୯୪୨ ମସିହା ନଭେମ୍ବର ୨୦ ତାରିଖରେ ହୋଇଥିଲା। ତାଙ୍କ ପୂରା ନାଁ ଜୋସେଫ ରୋବିନଟ ବାଇଡେନ। ୧୯୭୦ ମସିହାରୁ ବାଇଡେନଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ପ୍ରଥମ କରି ସେ ସେହିବର୍ଷ ‘ନ୍ୟୁ କାସେଲ କଣ୍ଟ୍ରି କାଉନସିଲ୍’କୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୨ ମସିହାରେ ପ୍ରଥମ କରି ଆମେରିକାର ସିନେଟକୁ ନିର୍ବାଚିତ ହୋଇଥିଲେ। ସିନେଟରେ ବାଇଡେନ୍ ଦୀର୍ଘ ବର୍ଷ ଧରି ବୈଦେଶିକ ବ୍ୟାପାର କମିଟିରେ ରହିବା ସହିତ ଏହି କମିଟିର ସଭାପତି ମଧ୍ୟ ହୋଇଥିଲେ। ଏହାସହ ଆମେରିକା ସିନେଟର ବିଭିନ୍ନ କମିଟିରେ ମଧ୍ୟ ବାଇଡେନ୍ ସଦସ୍ୟ ରହିଆସିଥିଲେ।ଡ୍ରେମୋକ୍ରାଟିକ୍ ଦଳର ଏହି ନେତା ଜଣକ ସିନେଟକୁ ଛଅ ଥର ପାଇଁ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କୁ ୨୦୦୮ ମସିହାରେ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଥିଲା। ବାରାକ୍ ଓବାମାଙ୍କ ନେତୃତ୍ୱରେ ସେହିଥର ଡ୍ରେମୋକ୍ରାଟିକ୍ ଦଳ ବିଜୟୀ ହେବା ସହ ଆମେରିକାର ଉପରାଷ୍ଟ୍ରପତି ହୋଇଥିଲେ ଜୋ ବାଇଡେନ୍। ଏହାପରେ ୨୦୧୨ ମସିହାରେ ଉଭୟ ଓବାମା ଓ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିଲେ।ଏହାପରେ ୨୦୧୬ ମସିହାରେ ଡେମୋକ୍ରାଟିକ୍ ଦଳ ଟ୍ରମ୍ପଙ୍କ ବିରୋଧରେ ହେନେରି କ୍ଲିଣ୍ଟନଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଦୁର୍ଭାଗ୍ୟବଶତଃ ହେନେରି କ୍ଲିଣ୍ଟନ ଟ୍ରମ୍ପଙ୍କଠାରୁ ହାରିଯାଇଥିଲେ।

୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରାର୍ଥୀ କରିଥିଲା। ଟ୍ରମ୍ପଙ୍କୁ ଟକ୍କର ଦେବା ପାଇଁ ଡେମୋକ୍ରାଟିକ୍ ଦଳ ନିଜର ସବୁଠୁ ଟାଣୁଆ ନେତା ଜୋ ବାଇଡେନ୍‌ଙ୍କୁ ପ୍ରାର୍ଥୀ କରିଥିଲା। ଏହାପରେ ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here