ଡକ୍ଟର ମୃଣାଳ ଚାଟାର୍ଜୀ

ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ ମୌଲାନା ଅବୁଲ କଲାମ ଆଜାଦ। ୧୯୮୮, ନଭେମ୍ବର ୧୧ରେ ସେ ଜନ୍ମ ହୋଇଥିଲେ। ତାଙ୍କ ଜନ୍ମଦିନକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଏ।  ସେ ଥିଲେ ଜଣେ ପ୍ରବୁଦ୍ଧ ଶିକ୍ଷାବିତ୍‍, ଇସ୍‍ଲାମ ଧର୍ମଶାସ୍ତ୍ର ବ୍ୟାଖ୍ୟାକାର (ଥିଓଲଜିଆନ୍‍), ସ୍ୱାଧୀନତା ସଂଗ୍ରାମୀ, ସମ୍ପାଦକ। ୧୯୧୨ରେ ପ୍ରକାଶିତ ତାଙ୍କର ଅଲ୍‍-ହିଲାଲ୍‍ ପତ୍ରିକା ଊର୍ଦ୍ଧୁ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଏକ ମାଇଲ୍‍ଖୁଣ୍ଟ।

ଭାରତରେ ଧାର୍ମିକ ଐକ୍ୟରେ ବିଶ୍ୱାସ ରଖୁଥିବା ମୌଲାନା ଅବୁଲ କଲାମ ଆଜାଦଙ୍କର ଶିକ୍ଷା ସମ୍ପର୍କରେ ଅତ୍ୟନ୍ତ ଆଧୁନିକ ଚିନ୍ତା ଥିଲା,  ଯାହା ବର୍ତ୍ତମାନ ସମୟରେ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ। ସେ ୧୯୪୭ ମସିହା ଅଗଷ୍ଟ ୧୫ରୁ ୧୯୫୮ ମସିହା ଫେବ୍ରୁଆରି ୨ଯାଏଁ ଭାରତର ଶିକ୍ଷାମନ୍ତ୍ରୀ ଥିଲେ। ୧୯୫୮ ଫେବ୍ରୁଆରି ୨୨ରେ ତାଙ୍କର ଦେହାନ୍ତ ହୋଇଥିଲା।

ପ୍ରଥମ ଶିକ୍ଷାମନ୍ତ୍ରୀ ଭାବରେ ମୌଲାନା ଆଜାଦ ଚାରୋଟି ବିଶେଷ କ୍ଷେତ୍ରରେ ଗୁରୁତ୍ୱ ଦେଇଥିଲେ।

ପ୍ରଥମ: ସମସ୍ତଙ୍କ ପାଇଁ ଶିକ୍ଷା

୧୯୪୮ ଜାନୁଆରି ୧୬ରେ ଶିକ୍ଷା ସମ୍ପର୍କରେ ଏକ ଜାତୀୟ ଏକ କନ୍‍ଫରେନ୍ସ୍‍ରେ ସେ କହିଥିଲେ, ‘‘ମୂହୂର୍ତ୍ତକ ପାଇଁ ବି ଆମେ ଭୁଲି ଯିବା ଉଚିତ ନୁହେଁ ଯେ ଅନ୍ତତଃ ପ୍ରାଥମିକ ଶିକ୍ଷା ଲାଭ କରିବା ପ୍ରତ୍ୟେକଙ୍କର ଜନ୍ମସିଦ୍ଧ ଅଧିକାର। ଏହା ନ ମିଳିଲେ ଜଣେ ନାଗରିକ ଭାବରେ ତାର କର୍ତ୍ତବ୍ୟ ନିର୍ବାହ କରି ପାରିବ ନାହିଁ ।’’

ଚଉଦ ବର୍ଷ ବୟସ ଯାଏଁ ସବୁ ପିଲାଙ୍କୁ ବାଧ୍ୟତାମୂଳକ ଭାବେ ଏବଂ ମାଗଣାରେ ଶିକ୍ଷା ଦେବା କଥା କହୁଥିଲେ ସେ। ଏହାଛଡ଼ା ଗ୍ରାମାଞ୍ଚଳର ପିଲା ଏବଂ ଝିଅମାନଙ୍କ ଶିକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରିବା ଉପରେ ସେ ଜୋର ଦେଉଥିଲେ। ସେ ଚାହୁଁଥିଲେ ଗାଁ ସହର, ଧନୀ, ଗରିବ ନିର୍ବିଶେଷରେ ସବୁ ପିଲା ଅନ୍ତତଃ ପ୍ରାଥମିକ ଶିକ୍ଷା ପାଆନ୍ତୁ। ତାଙ୍କ ମୃତ୍ୟୁର ୫୦ ବର୍ଷ ପରେ ୨୦୦୯ ମସିହାରେ ଆମ ଦେଶରେ ଶିକ୍ଷା ଅଧିକାର ଆଇନ ପାରିତ ହେଲା। ଶିକ୍ଷାକୁ ଅଧିକାରର ମାନ୍ୟତା ଦିଆଗଲା।

ଦ୍ୱିତୀୟ: ଧନ୍ଦାମୂଳକ ଶିକ୍ଷା

ମହାତ୍ମା ଗାନ୍ଧୀ ମଧ୍ୟ ୧୯୩୭ରୁ ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଉଥିଲେ। ଗାନ୍ଧୀ ଏହାକୁ ବୁନିଆଦି ତାଲିମ ଭାବରେ ଅବିହତ କରିଥିଲେ। ମୌଲନା ଅବୁଲ କଲାମ ଆଜାଦ ଏହାକୁ ଭୋକେସନାଲ୍‍ ଟ୍ରେନିଂ ବା ବୃତ୍ତିଗତ ଶିକ୍ଷା ବୋଲି କହୁଥିଲେ। ବୁନିଆଦି ତାଲିମ ବା ଧନ୍ଦାମୂଳକ ଶିକ୍ଷା ଦ୍ୱାରା ଆଜାଦ ଶିକ୍ଷା ମାଧ୍ୟମରେ ରୋଜଗାରର ବାଟକୁ ପ୍ରଶସ୍ତ କରିବାକୁ ଚାହୁଁଥିଲେ।

ତୃତୀୟ : ଧାର୍ମିକ ଶିକ୍ଷା

୧୯୪୮ ଜାନୁଆରୀ ୧୩ରେ ସେଣ୍ଟ୍ରାଲ ଆଡ୍‍ଭାଇଜରି ବୋର୍ଡ ଅଫ୍‍ ଏଜୁକେସନ(ସିଏବିଇ)ର ଚତୁର୍ଥ ଅଧିବେଶନରେ ସଭାପତିଙ୍କ ଅଭିଭାଷଣରେ ସେ କହିଥିଲେ, ‘‘ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଧାର୍ମିକ ଶିକ୍ଷା ଦିଆଯିବକି ନାହିଁ- ଏ ପ୍ରଶ୍ନକୁ ଦୁଇଟି କମିଟି ପର୍ଯ୍ୟାଲୋଚନା କରିଥିଲେ। ହେଲେ କୌଣସି ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ନାହାନ୍ତି। ମୁଁ କମିଟିକୁ ପୁଣି ଥରେ ପର୍ଯ୍ୟାଲୋଚନା କରିବାକୁ କହିବି। କାରଣ ଦେଶ ପାଇଁ ଏ ପ୍ରଶ୍ନର ଏକ ବିଶେଷ ମହତ୍ତ୍ୱ ରହିଛି ।’’

ପରବର୍ତ୍ତୀ ସମୟରେ ଧାର୍ମିକ ଶିକ୍ଷାକୁ ଆମର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଦୂରେଇ ଦିଆଗଲା। ଚିନ୍ତା କରାଗଲା ଯେ, ଧାର୍ମିକ ଶିକ୍ଷା ଶିଶୁମାନଙ୍କ ମନରେ ଧାର୍ମିକ ରୀତିନୀତି ପ୍ରତି ଅହେତୁକ ମୋହ ସୃଷ୍ଟି କରିବ ଏବଂ ଏହା ହୁଏତ ଧାର୍ମିକ ବିଭେଦର ମଞ୍ଜି ବୁଣିଦେବ। କିନ୍ତୁ ୭୪ ବର୍ଷ ପରେ ଏବେ ସମାଜରେ ନୈତିକତା ଏବଂ ମାନବିକତାର ଅଧୋପତନ କଥା ଅନେକ କହୁଛନ୍ତି। ଶୈଶବ ଅବସ୍ଥାରୁ ଚରିତ୍ର ଗଠନ ଉପରେ ଜୋର ଦେବାର ଆବଶ୍ୟକତା କଥା କହୁଛନ୍ତି। ଏହାକୁ ଗଠନ କରିବା ପାଇଁ ଶୈଶବ ଅବସ୍ଥାରୁ ଧର୍ମର ଶିକ୍ଷା ଦେବାର ଆବଶ୍ୟକତା ରହିଛି। ଏଠି ଧର୍ମ କହିଲେ ରୀତିନୀତି-ଭିତ୍ତିକ ଆନୁଷ୍ଠାନିକ କୌଣସି ଧର୍ମ ନୁହେଁ।

ଏଠି ଧର୍ମ କହିଲେ ନ୍ୟାୟ, ଅନ୍ୟାୟର ବୋଧ ସୃଷ୍ଟି କରିବା। ଏକ ବୈଶ୍ୱିକ ଭାତୃତ୍ୱ ଭାବ ସୃଷ୍ଟି କରିବା। ମାନବିକତାର ବୋଧ ସୃଷ୍ଟି କରିବା। ମୌଲାନା ଆଜାଦ ଏହାହିଁ ଚାହୁଁଥିଲେ। ଆଉ ବର୍ତ୍ତମାନ ସମୟରେ, ଧାର୍ମିକ ଋଢ଼ିବାଦ ଯେତେବେଳେ ସାରା ବିଶ୍ୱରେ ତାର ଅଶୁଭ ଛାୟା ବିସ୍ତାର କରୁଛି- ଏହାର ଆବଶ୍ୟକତା କେବଳ ରହିନି, ବରଂ ବଢ଼ିଛି। ବୈଜ୍ଞାନିକ ଚେତନାର ବିକାଶ, ବାସ୍ତବବାଦ, ଯୁକ୍ତି ନିର୍ଭରତା ସହିତ ନ୍ୟାୟ-ଅନ୍ୟାୟର ବୋଧ ଏବଂ ମାନବିକତାର ବିକାଶ ମଧ୍ୟ ସମାଜର ଆବଶ୍ୟକତା। ଏହାକୁ ମଧ୍ୟ ପିଲାଟି ଦିନରୁ ଶିକ୍ଷା ଦିଆଯିବା ଉଚିତ। ଏ କଥାକୁ ମୌଲାନା ଆଜାଦ ସ୍ପଷ୍ଟ ଭାବରେ ଉଲ୍ଲେଖ କହିଥିଲେ।

ଚତୁର୍ଥ : ଶିକ୍ଷକ ପ୍ରଶିକ୍ଷଣ

ମୌଲନା ଆଜାଦ ବିଶ୍ୱାସ କରୁଥିଲେ ଯେ ଉପଯୁକ୍ତ ଶିକ୍ଷକ ନ ହେଲେ ଉପଯୁକ୍ତ ଶିକ୍ଷା ଦିଆଯାଇ ପାରିବ ନାହିଁ। ତେଣୁ ଉନ୍ନତ ଶିକ୍ଷା ପାଇଁ ଶିକ୍ଷକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦରକାର। ପ୍ରଶିକ୍ଷଣର ମାନରେ ମଧ୍ୟ ଉନ୍ନତି ଆବଶ୍ୟକ। ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଶିକ୍ଷକଙ୍କର ପ୍ରଶିକ୍ଷଣ ଉପରେ ମଧ୍ୟ ଆଜାଦ ଗୁରୁତ୍ୱ ଦେଉଥିଲେ।

ଏହାଛଡ଼ା ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ ସେ। ତାଙ୍କରି ସମୟରେ ଗଢ଼ି ଉଠିଥିଲା ପ୍ରଥମ ଆଇଆଇଟି (ଇଣ୍ଡିଆନ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ଟେକ୍‍ନଲଜି, ୧୯୫୧)। ଭାରତରେ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ତାଙ୍କରି ସମୟରେ ଗଠନ ହୋଇଥିଲା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି, ୧୯୫୩)। ଦିଲ୍ଲୀରେ ଜାମିଆ ମିଲିଆ ଇସ୍‍ଲାମିଆ ସ୍ଥାପନରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଏହାଛଡ଼ା ସାରା ଭାରତରେ ଅନେକ ଶିକ୍ଷାନୁଷ୍ଠାନ ସ୍ଥାପନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ନୂତନ ଶିକ୍ଷାନୀତି ୨୦୨୦ରେ ମାତୃଭାଷାରେ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସଠିକ୍‍ ଭାବେ କାର୍ଯ୍ୟକାରୀ କରାଯାଇପାରିଲେ ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ଏବଂ ଶିକ୍ଷା ମାଧ୍ୟମରେ ରୋଜଗାରର ସାଧନ କରିବା ଦିଗରେ କାର୍ଯ୍ୟକରୀ ସିଦ୍ଧ ହୋଇପାରେ।

(ଲେଖକ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଏବଂ ମୁଖ୍ୟ।)

Comment