ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ଖରାପ ପ୍ରଦର୍ଶନ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ବଞ୍ଚିତ କରିଛି ବୋଲି ଚର୍ଚ୍ଚା ହେଉଛି।

ବିହାର ପଲିଟିକାଲ୍ ଲିଗରେ ନିଜକୁ ଚାମ୍ପିୟନ କରିପାରିଲେନି ସତ। ହେଲେ ନିଜ ଦଳକୁ ଶୀର୍ଷକୁ ନେଇଗଲେ। ଆରଜେଡି ତ ଭଲ ପାଳି ଖେଳିଲା, ହେଲେ ମହାମେଣ୍ଟରେ ଥିବା କଂଗ୍ରେସ(ହାତ) ଯଦି ଭଲ ପ୍ରଦର୍ଶନ କରିଥାନ୍ତା ତେବେ ତେଜସ୍ୱୀ ଯାଦବ ବିହାରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ। ବିହାର ନିର୍ବାଚନ ଫଳାଫଳ ବାହାରିବା ପରେ ତେଜସ୍ୱୀ ଯାଦବଙ୍କୁ ନେଇ ଏଭଳି ମନ୍ତବ୍ୟ ରଖିଛନ୍ତି ରାଜନୈତିକ ପଣ୍ଡିତମାନେ।

କଂଗ୍ରେସର କାରଣରୁ ମହାମେଣ୍ଟ ଏଥର ନିର୍ବାଚନରେ ୧୧୦ ଆସନ ଜିତିବା ସହ ଏନଡିଏଠାରୁ ପଛରେ ପଡ଼ିଯାଇଛି। ଯାହାଫଳରେ ତେଜସ୍ୱୀଙ୍କ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଅଧୁରା ରହିଯାଇଛି। ହେଲେ ନିଜେ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ ମଧ୍ୟ ତେଜସ୍ୱୀ ନିଜ ଦଳକୁ ବିହାରର ସର୍ବବୃହତ ଦଳ କରିପାରିଛନ୍ତି। ଆରଜେଡି ଏଥର ନିର୍ବାଚନରେ ମୋଟ ୭୫ଟି ଆସନରେ ବିଜୟୀ ହେବା ସହିତ ବିଜେପିକୁ ଟପିଯାଇଛି। ବିଜେପି ବିହାରରେ ୭୪ଟି ଆସନ ଜିତିଥିବାବେଳେ ଆରଜେଡି ଏହାଠାରୁ ଗୋଟିଏ ଆସନ ଅଧିକ ଜିତିଛି।

ସଂଖ୍ୟା ଗଣିତରେ ପଛରେ ରହିଲେ ତେଜସ୍ୱୀ

ବିହାର ବିଧାନସଭାର ମୋଟ୍ ସିଟ୍ ସଂଖ୍ୟା ହେଉଛି ୨୪୩ । ସେଥିମଧ୍ୟରୁ କୌଣସି ଦଳ କିମ୍ବା ମେଣ୍ଟକୁ ସରକାର ଗଢ଼ିବାକୁ ହେଲେ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ ମ୍ୟାଜିକ ନମ୍ବରଠାରୁ ମାତ୍ର ୧୨ ନମ୍ବର ପଛରେ ପଡ଼ିଯାଇଛନ୍ତି ତେଜସ୍ୱୀ ଯାଦବ।

ମହାମେଣ୍ଟ ଏଥର ନିର୍ବାଚନରେ ୧୧୦ ଆସନ ଜିତିଛି। ଯେଉଁଥିରେ ୭୫ଟି ଆସନ କେବଳ ଆରଜେଡି ଦଳର। ସେହିପରି ଏନଡିଏ ବିହାରରେ ୧୨୫ ଆସନରେ ବିଜୟୀ ହୋଇଛି। ଯେଉଁଥିରେ ଜେଡିୟୁ ଦଳର ବିଧାୟକଙ୍କ ସଂଖ୍ୟା ମାତ୍ର ୪୩ । ନୀତିଶ କୁମାରଙ୍କ ଦଳ ପାଖରେ ଏତେ କମ ବିଧାୟକ ପାଇ ମଧ୍ୟ ସେ ବିଜେପି ସହାୟତାରେ ସରକାର ଗଠନ କରିବାକୁ ଯାଉଛନ୍ତି। ତେଣୁ ରାଜନୀତିର ସଂଖ୍ୟା ଗଣିତରେ ତେଜସ୍ୱୀ ଯାଦବ ପଛରେ ପଡ଼ିଯାଇଥିବା କୁହାଯାଉଛି।

ତେଜସ୍ୱୀଙ୍କୁ ଭାରି ପଡ଼ିଲା ହାତ ସହ ହାତ ମିଶାଇବା

୨୦୨୦ ବିହାର ନିର୍ବାଚନରେ ଆରଜେଡି, କଂଗ୍ରେସ ଓ ବାମଦଳ ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ। ୨୪୩ଟି ଆସନରୁ ଆରଜେଡି ୧୪୪ଟି ଆସନରେ ନିଜେ ଲଢ଼ିବା ସହିତ କଂଗ୍ରେସକୁ ୭୦ ଏବଂ ବାମଦଳକୁ ୨୯ଟି ଆସନ ଦେଇଥିଲା। ହେଲେ କଂଗ୍ରେସ ୭୦ଟି ଆସନରୁ ମାତ୍ର ୧୯ଟିରେ ଜିତିପାରିଛି। ବାକି ୫୧ଟି ଆସନରେ କଂଗ୍ରେସକୁ ପରାଜୟ ଭୋଗିବାକୁ ପଡ଼ିଛି। ଯାହା ମହାମେଣ୍ଟକୁ ଏନଡିଏଠାରୁ ପଛରେ ରଖିବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଯଦି କଂଗ୍ରେସ ୭୦ଟି ଆସନରୁ ୩୫ଟି ଆସନ ଜିତିଥାନ୍ତା ତେବେ ଫଳ କିଛି ଭିନ୍ନ ଧରଣର ହୋଇଥାନ୍ତା ବୋଲି ରାଜନୈତିକ ବିଶ୍ଲେଷକମାନେ କହିଛନ୍ତି।

ଲୋକଙ୍କ ପ୍ରସଙ୍ଗ ସହ ତେଜସ୍ୱୀ

ଏଥର ବିହାର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାର ଫଳାଫଳ ନୀତିଶଙ୍କ ପକ୍ଷରେ ଯିବ ବୋଲି କୁହାଯାଉଥିଲା। ହେଲେ ତେଜସ୍ୱୀଙ୍କ ଘମାସନ ପ୍ରଚାର ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ନୀତିଶଙ୍କୁ ବ୍ୟାକଫୁଟରେ ରଖିଥିଲା। ତେଜସ୍ୱୀ ବେରୋଜଗାରୀ, ଉଦ୍ୟୋଗ, ଶିକ୍ଷା, ମହିଳ ସଶକ୍ତିକରଣ, ସ୍ମାର୍ଟ ଗାଁ ଆଦି ପ୍ରସଙ୍ଗକୁ କେନ୍ଦ୍ର କରି ନିର୍ବାଚନ ପ୍ରଚାର କରିଥିଲେ। ଏଥିସହ ୧୦ ଲକ୍ଷ ସରକାରୀ ଚାକିରି ନେଇ ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ। ଯେଉଁ କାରଣରୁ ବିହାରର ଅଧିକାଂଶ ଯୁବ ଭୋଟର ଆରଜେଡିକୁ ଭୋଟ୍ ଦେଇଥିଲେ।

ହେଲେ ଆରଜେଡି ପରି କଂଗ୍ରେସ ନିର୍ବାଚନରେ ସଫଳ ହୋଇପାରିନି। ଦଳ ମାତ୍ର ୧୯ ଜଣ ପ୍ରାର୍ଥୀ ନିର୍ବାଚନ ଜିତିପାରିଛନ୍ତି। ଯାହା ମହାମେଣ୍ଟର ପରାଜୟ ପଛର ପ୍ରକୃତ କାରଣ ବୋଲି କୁହାଯାଉଛି।

TEJASWAI_Bihar Election

କ୍ରିକେଟରୁ ରାଜନୀତିରେ ତେଜସ୍ୱୀ

ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ପାଠ ପଢୁଥିବା ତେଜସ୍ୱୀ ଯାଦବ ସ୍କୁଲ ଜୀବନରୁ ହିଁ କ୍ରିକେଟ୍ ପ୍ରତି ରୁଚି ରଖୁଥିଲେ। ମାତ୍ର ନବମ ଶ୍ରେଣୀ ଯାଏଁ ପାଠ ପଢ଼ିବା ପରେ ସେ ପାଠ ପଢ଼ା ଛାଡ଼ିଦେଇଥିଲେ। ହେଲେ କ୍ରିକେଟ୍ ସହ ତାଙ୍କର ସମ୍ପର୍କ ସେମିତି ଜାରି ରହିଥିଲା। ୨୦୦୮ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ତେଜସ୍ୱୀ ଯାଦବ ଆଇପିଏଲ୍ ଦଳ ଦିଲ୍ଲୀ ଡେୟାର ଡେଭିଲ୍ସରେ ରହିଥିଲେ। ସେ ସମୟରେ କିନ୍ତୁ ତାଙ୍କୁ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା।

କ୍ରିକେଟ୍ ଖେଳୁଥିବା ସମୟରେ ୨୦୧୦ ମସିହାରେ ପ୍ରଥମ ଥର ପାଇଁ ତେଜସ୍ୱୀ ନିଜ ବାପା ଲାଲୁ ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଏହାପରେ ତାଙ୍କୁ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ୨୦୧୫ ମସିହାରେ ତେଜସ୍ୱୀ ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ସେ ରଘୋପୁର ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ଏଥିରେ ବିଜୟୀ ମଧ୍ୟ ହୋଇଥିଲେ। ଏହି ନିର୍ବାଚନରେ ଆରେଜେଡି, ଜେଡିୟୁ ଓ କଂଗ୍ରେସର ମହାମେଣ୍ଟ ସରକାର ଗଢ଼ିଥିଲା। ଯାହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଜେଡିୟୁ ନେତା ନୀତିଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ତେଜସ୍ୱୀ ଯାଦବ।

୨୦୧୭ରେ କିନ୍ତୁ ମହାମେଣ୍ଟରେ ଫାଟ ହେବା ସହ ସରକାରରୁ ବାହାରି ଆସିଥିଲେ ନୀତିଶ କୁମାର। ଏହାପରେ ନୀତିଶ ବିଜେପି ସହ ମିଶି ବିହାରରେ ଏନଡିଏ ସରକାର ଗଢ଼ିଥିଲେ। ଯାହା ପରେ ବିହାର ବିଧାନସଭାରେ ବିରୋଧୀ ଦଳର ନେତା ହୋଇଥିଲେ ତେଜସ୍ୱୀ ଯାଦବ। ଏହାପରେ୨୦୨୦ ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ଜୋରଦାର ଲଢ଼େଇ କରି ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହୋଇପାରିନାହାନ୍ତି।

Comment