ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଭିଡ୍ କଟକଣା ମଧ୍ୟରେ ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ଉତ୍ସବ। ଏଥିସହ ୧୩ତମ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂ ଚନ୍ଦ୍ରଭାଗା ବେଳାଭୂମି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।

ଡିସେମ୍ଵର ୧ ତାରିଖଠାରୁ ଡିସେମ୍ଵର ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କୋଣାର୍କ ଉତ୍ସବ ଓ ଆର୍ନ୍ତଜାତିକ ବାଲୁକା କଳା ମହୋତ୍ସବକୁ କିପରି କଟକଣା ଭିତରେ କରାଯିବ ସେନେଇ ଜିଲ୍ଲାପାଳ ପୁରୀ ଏସ୍‌ପି ଅଖିଲେଶ ସିଂ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ବାହାରୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ଉତ୍ସବକୁ ଉପଭୋଗ କରିବା ସହିତ କୋରନା କଟକଣା ମାନିବେ, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଓ ପାର୍କିଂ ଆଦିକୁ ସୁବ୍ୟବସ୍ଥିତ କରିବା ପାଇଁ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଏହା ସହିତ ବାଲୁକା କଳା ଓ କୋଣାର୍କ ମହୋତ୍ସବରେ ଭାଗ ନେବାକୁ ଆସିଥିବା କଳାକାର ଓ ପର୍ଯ୍ୟଟକମାନେ କିପରି ସାମାଜିକ ଦୂରତା ରକ୍ଷା କରିବେ, କିଭଳି ଅଳ୍ପ ସଂଖ୍ୟକ ଦର୍ଶକ ଏକ ସାଙ୍ଗରେ ଯାଇ ଏହାକୁ ଉପଭୋଗ କରିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି ସମୟରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ସହିତ ଟ୍ରାଫିକ୍ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି।

Comment