ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପୌର ନିର୍ବାଚନ ପାଇଁ ବାଟ ଫିଟୁଛି। ଆସନ୍ତା ବର୍ଷ ଜୁନ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇପାରେ। ବିଧାନସଭାର ଶୀତ ଅଧିବେଶନରେ ସରକାର ଓଡ଼ିଶା ପୌରପାଳିକା ଆଇନରେ ଏକ ସଂଶୋଧନ ଆଣିବା ପାଇଁ ସ୍ଥିର କରିଛନ୍ତି। ନଗର ଉନ୍ନୟନ ବିଭାଗ ସୂତ୍ରରୁ ଏହା ଜଣାପଡିଛି।

ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ରନାଥ ସାହୁଙ୍କ କହିବା ଅନୁଯାୟୀ ଓଡ଼ିଶା ସରକାର ପୌରପାଳିକା ୱାର୍ଡଗୁଡ଼ିକର ପରିବର୍ତ୍ତନ ବା ଡିଲିମିଟେସନ ଓ ଆସନ ସଂରକ୍ଷଣ ପାଇଁ ଆଇନର ଆବଶ୍ୟକୀୟ ସଂଶୋଧନ କରିବା  ପରେ ଯାଇ ନିର୍ବାଚନ କରାଯାଇପାରିବ।

ସେ ଆହୁରି କହିଛନ୍ତି ଯେ ପୌରପାଳିକା ୱାର୍ଡ ପୁନର୍ଗଠନ କାମ ସରକାର କରିବେ। କମିଶନ ଭୋଟର ତାଲିକା ପ୍ରସ୍ତୁତ ଓ ନିର୍ବାଚନ ଅନୁଷ୍ଠିତ କରିବେ। ପୁନର୍ଗଠନ ଓ ସଂଶୋଧନ ନହେବା ଯାଏଁ ନିର୍ବାଚନ କରାଯାଇ ପାରିବନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ରାଜ୍ୟର ଅଣସୂଚିତ ଅଞ୍ଚଳ (ସିଡ୍ୟୁଲଡ଼ ଏରିଆ)ରେ ଥିବା  ପୌରପାଳିକାରେ ଆଦିବାସୀ, ହରିଜନ ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ମୋଟ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇ ପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତା ଛଡ଼ା ଓବିସିଙ୍କ କ୍ଷେତ୍ରରେ ସଂରକ୍ଷଣ ୧୧ ପ୍ରତିଶତରୁ ଅଧିକ ହୋଇ ପାରିବ ନାହିଁ ବୋଲି ମଧ୍ୟ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହା ୨୭  ପ୍ରତିଶତ ଥିଲା।

ଅନ୍ୟ ଏକ ନିର୍ଦ୍ଦେଶରେ ହାଇକୋର୍ଟ କହିଥିଲେ ଯେ ନୂଆପଡ଼ା ଏନଏସିରେ ଆସନ ସଂରକ୍ଷଣକୁ ଓଡ଼ିଶା ସରକାର ବୃଦ୍ଧି କରିପାରିବେ ନାହିଁ।

ହାଇକୋର୍ଟର ଏହି ସବୁ ରାୟ ବିରୁଦ୍ଧରେ ଓଡ଼ିଶା ସରକାର ସେପ୍ଟେମ୍ବର ୨୦୧୮ରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରିବା ସହିତ ହାଇକୋର୍ଟ ରାୟକୁ ମାନିବାକୁ ପଡ଼ିବ ବୋଲି କହିଥିଲେ। ଏ ନେଇ ଏକ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ରୁଜୁ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ୨୦୧୨ ପଞ୍ଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ  ଆସନରୁ  ସଂରକ୍ଷଣ କରିଥିଲେ ଯାହାକି ୨୦୧୦ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛି। ଏହି ମୂଳ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ମୋଟ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରହିବ ବୋଲି ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଶାରେ ମୋଟ ୧୧୪ଟି ପୌରପାଳିକା ରହିଛି। ଏଥିମଧ୍ୟରୁ ୫ଟି ମୁନିସିପାଲ କର୍ପୋରେସନ, ୪୮ଟି ମୁନିସିପାଲିଟି ଓ ୬୧ ଟି ଏନଏସି।

ଏହି ସବୁ ପୌରପାଳିକା ଭିତରୁ ବ୍ରହ୍ମପୁର ମହାନଗର ନିଗମ ସମେତ  ୬୫ଟି ପୌର ସଂସ୍ଥାର କାର୍ଯ୍ୟକାଳ ସେପ୍ଟେମ୍ବର ୨୦୧୮ରୁ ଶେଷ ହୋଇଯାଇଛି। ରାଉରକେଲା, ଭୁବନେଶ୍ୱର ଓ ସମ୍ବଲପୁର ମହାନଗର ନିଗମ ସମେତ ୪୮ଟି ପୌର ସଂସ୍ଥାର କାର୍ଯ୍ୟକାଳ ୨୦୧୯ ଫେବ୍ରୁଆରିରୁ ଶେଷ ହୋଇଛି।

LEAVE A REPLY

Please enter your comment!
Please enter your name here