ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଡିୟୁର ଖରାପ ପ୍ରଦର୍ଶନ ହେତୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାନ୍ତି ନୀତିଶ କୁମାର।

ବିହାରର ଏନଡିଏ ମେଣ୍ଟରେ ଏବେ ସାନଭାଇ ହୋଇଯାଇଛି ଜେଡିୟୁ। ନିର୍ବାଚନରେ ନୀତିଶ କୁମାରଙ୍କ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ମାତ୍ର ୪୩ ଆସନ ଜିତିପାରିଛି। ତେଣୁ ଦଳର ଖରାପ ପ୍ରଦର୍ଶନ ହେତୁ ଏବେ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ରାଜି ନଥିବା ସୂଚନା ମିଳିଛି।

ନିର୍ବାଚନ ପୂର୍ବରୁ ଏନଡିଏ ମେଣ୍ଟ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ବିହାର ନିର୍ବାଚନରେ ମେଣ୍ଟ ବହୁମତ ହାସଲ କଲେ, ନୀତିଶ ହିଁ ଏହାର ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଥିଲା। ଅବଶ୍ୟ ସେତେବେଳେ ମେଣ୍ଟରେ ଜେଡିୟୁ ‘ବଡ଼ ଭାଇ’ ଏବଂ ବିଜେପି ‘ସାନ ଭାଇ’ ଥିଲା। ହେଲେ ନିର୍ବାଚନ ଫଳାଫଳ କିନ୍ତୁ ଓଲଟା ହୋଇଛି। ଜେଡିୟୁକୁ ଟପିଯାଇ ବିଜେପି ଏଥର ବିହାରରେ ଅଧିକ ସିଟ୍ ଜିତିଛି। ଯେଉଁ କାରଣରୁ ନୀତିଶ କୁମାର ଏନଡିଏ ମେଣ୍ଟର ମୁଖ୍ୟମନ୍ତ୍ରୀ ହେବାକୁ ଅମଙ୍ଗ ଥିବା ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀ ପାଇଁ ରାଜି ନହେବା ପଛର କାରଣ କ?

ଏନଡିଏ ମେଣ୍ଟରେ ନୀତିଶ ମୁଖ୍ୟମନ୍ତ୍ରୀ ହେବାରେ କୌଣସି ଅସୁବିଧା ନାହିଁ। ଏନେଇ ବିଜେପି ନେତାମାନେ ମଧ୍ୟ ଖୋଲାଖୋଲି କହିସାରିଲେଣି। ହେଲେ ନୀତିଶ ହିଁ ଏନେଇ ରାଜି ନଥିବା ଶୁଣାଯାଉଛି। ଏହା ପଛର କାରଣ ହେଲା, ବିଜେପି ଏଥର ନିର୍ବାଚନରେ ଅଧିକ ସିଟ୍ ଜିତିଛି। ତେଣୁ ମୁଖ୍ୟମନ୍ତ୍ରୀ ପଦକୁ ଛାଡ଼ିଦେଲେ କ୍ୟାବିନେଟର ଅନ୍ୟ ମନ୍ତ୍ରୀ ପଦ ଉପରେ ଦଳ ନିଶ୍ଚିତ କବଜା କରିବ। ଏପରି ସ୍ଥିତିରେ ନୀତିଶ କେବଳ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ ହୋଇ ରହିଯିବେ। ଏପରି ହେଲେ ନୀତିଶ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେନି ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ଅନ୍ୟପଟେ ଏଲଜେପି ନେତା ଚିରାଗ ପାଶୱାନ ଏଯାବତ ଏନଡିଏ ମେଣ୍ଟରୁ ବାହାରିନାହାନ୍ତି। ତାଙ୍କୁ ଏନଡିଏ ମେଣ୍ଟରୁ ପୂରାପୁରି ବାହାର କରିବାକୁ ନୀତିଶ ଦାବି କରୁଛନ୍ତି। କାରଣ, ଏଲଜେପି କାରଣରୁ ହିଁ ଏଥର ନିର୍ବାଚନରେ ଜେଡିୟୁ ୨୦ଟି  ଆସନରେ ହାରିଯାଇଛି। ତେଣୁ ଚିରାଗଙ୍କୁ ଏନଡିଏ ମେଣ୍ଟରୁ ବହିଷ୍କାର କରିବାକୁ ନୀତିଶ ଦାବି କରୁଛନ୍ତି। ଏହାହେଲେ ହିଁ ସେ ମେଣ୍ଟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ବୋଲି କହିଥିବା ଜଣାପଡ଼ିଛି।ରବିବାର ଏନଡିଏ ମେଣ୍ଟର ବୈଠକ

ବିହାରରେ ଏନଡିଏ ସରକାର ଗଢ଼ିବାକୁ ଯାଉଛି, ହେଲେ ଏହାର ନେତା କିଏ ହେବେ ସେନେଇ ରବିବାର ନିଷ୍ପତ୍ତି ହେବାକୁ ଯାଉଛି। ଏହି ଦିନ ଏନଡିଏର ସମସ୍ତ ନେତାମାନେ ଏକାଠି ହୋଇ ତାଙ୍କର ନେତା ଚୟନ କରିବେ। ଏହି ବୈଠକ ହିଁ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିର୍ଦ୍ଦାରଣ କରିବ।

ଏହାପୂର୍ବରୁ କିନ୍ତୁ ନୀତିଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଶାବାଦୀ ନଥିବା କହିଛନ୍ତି। ମେଣ୍ଟର ନେତାମାନେ ହିଁ ମୁଖ୍ୟମନ୍ତ୍ରୀ ଚୟନ କରିବେ ବୋଲି ସେ କହିଛନ୍ତି। ଏପରି ସ୍ଥିତିରେ ବିହାରର ମୁଖ୍ୟମନ୍ତ୍ରୀ ଆସନ କାହାକୁ ମିଳୁଛି  ତାହା ଦେଖିବା ବାକି ରହିଲା।

Comment