ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷେ କି ୨ ବର୍ଷ ନୁହେଁ, ଦୀର୍ଘ ୨୫ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳି ନିଜ ଜନ୍ମମାଟି ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି ବିର୍‌ଜୁ କୁଲୁ। ସୁନ୍ଦରଗଡ଼ର କୁତ୍ରା ବ୍ଲକ ଅଫିସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି।  ଏବେ ବିରଜୁଙ୍କର ଯେମିତି କୌଣସି ସମସ୍ୟା ନହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ତାଙ୍କୁ ରାସନକାର୍ଡ ଓ ଘର ଯୋଗାଇ ଦିଆଯିବ ବୋଲି କୁତ୍ରା ବ୍ଲକ୍‌ ଉନ୍ନୟନ ଅଧିକାରୀ କହିଛନ୍ତି। ଏହାସହ ଏବେ ତାଙ୍କର ମାନସିକ ସ୍ୱାସ୍ଥ୍ୟ ଭଲ ନଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପ୍ରଶାସନ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।  ଅନ୍ୟପଟେ ବିର୍‌ଜୁଙ୍କ ଘର ବାହୁଡ଼ା ନେଇ ତାଙ୍କ ପରିବାର ଲୋକ ବେଶ୍‌ ଖୁସି ଅଛନ୍ତି।

‘‘ଭାଇକୁ କେବେ ଫେରି ପାଇବୁ ଏ କଥା ସ୍ୱପ୍ନରେ ଭାବି ନଥିଲି। ଏତେଦିନ ପରେ ଭାଇ ଘରକୁ ଫେରିଛି’’, କହିଛନ୍ତି ବିରଜୁଙ୍କ ଭଉଣୀ।

କେମିତି ପାକିସ୍ତାନ ଚାଲି ଯାଇଥିଲେ ବିରଜୁ?

ଛୋଟବେଳୁ  ବିରଜୁଙ୍କ ମାନସିକ ଅବସ୍ଥା ଭଲ ନଥିଲା। ୨୪କି ୨୫ ବର୍ଷ ବୟସରେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ତା’ପରେ ଭୁଲ୍‌ ବଶତଃ କେତେବେଳେ ସୀମା ପାର୍ ହୋଇ ପହଞ୍ଚିଯାଇଥିଲେ ପାକିସ୍ତାନରେ। ଗୁପ୍ତଚର ଭାବି ପାକିସ୍ତାନ ସୈନ୍ୟ ତାଙ୍କୁ ଧରି ଜେଲ୍‌ରେ ରଖିଥିଲା। ଦୀର୍ଘ ଦିନ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଗୋଟିଏ ବୋଲି ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପା-ମା ଆପରପାରିକୁ ଚାଲିଗଲେ। ଏହାରି ଭିତରେ ପରିବାର ଲୋକେ ତାଙ୍କୁ ମୃତ ମାନି ନେଇଥିଲେ। କିନ୍ତୁ କୌଣସି ଏକ ଫିଲ୍ମର କାହାଣୀ ପରି ବିର୍‌ଜୁ ୨୫ ବର୍ଷ ପରେ ଗାଁ ମାଟିକୁ ଫେରୁଥିବା ଖବର ଆସି ପହଞ୍ଚିଥିଲା। ଜେଲରୁ ମୁକୁଳି ଅମୃତସରରେ ଏକ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବିରଜୁ। ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଘରକୁ ଆଣିବା ସବୁ ବ୍ୟବସ୍ଥା କରାଯାଇଥିଲା। ତାଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ନିଯୁକ୍ତ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାଇଥିଲେ।

ବିରଜୁଙ୍କ ବାଟ ଚାହିଁ ଆରପାରିକୁ ଚାଲିଗଲେ ବାପା, ମା’

 ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗର ଜଙ୍ଗାଟୋଲି ଗ୍ରାମରେ ରହୁଥିଲେ କାମଲିସ୍‌ କୁଲୁ। ପରିବାର କହିଲେ ପତ୍ନୀ, ଗୋଟିଏ ପୁଅ, ଗୋଟିଏ ଝିଅ। ପିଲାଟି ବେଳୁ ପୁଅ ବିର୍‌ଜୁ ସାମାନ୍ୟ ମାନସିକ ଅନଗ୍ରସର ଥିଲେ। ଯୁବକ ଅବସ୍ଥାରେ ବିର୍‌ଜୁ ଘରଛାଡ଼ି ପଳାଇଥିଲେ। ପରିବାର ଲୋକେ ସମ୍ପର୍କୀୟ ଘରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ କେଉଁଠି ବି ବିର୍‌ଜୁଙ୍କର ପତ୍ତା ମିଳି ନଥିଲା। ଗୋଟିଏ ବୋଲି ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖି ବୁଜିଦେଲେ ବିରଜୁଙ୍କ ବାପା, ମା’। ଏବେ ବିରଜୁଙ୍କ ପରିବାର କହିଲେ ଖାଲି ଗୋଟିଏ ଭଉଣୀ। ଏତେବର୍ଷ ପରେ ହଜିଲା ଭାଇର ଫେରିବା ଦେଖି ଖୁସି ଅଛନ୍ତି ବିରଜୁଙ୍କ ଭଉଣୀ।

Comment