ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରରେ ଆଜି ବସୁଛି ଏନଡିଏ ବିଧାୟକ ଦଳର ବୈଠକ। ଏହି ବୈଠକରେ ନୂଆ ସରକାରର ନେତା କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ। ତେବେ ନୀତିଶ କୁମାର ହିଁ ଏନଡିଏର ନେତା ଭାବେ ଚୟନ ହେବେ ବୋଲି ଜଣାପଡ଼ିଛି।
ଚଳିତ ବିହାର ନିର୍ବାଚନରେ ଏନଡିଏକୁ ବହୁମତ ମିଳିଛି। ବିଜେପି ୭୪ଟି, ଜେଡିୟୁ ୪୩ଟି ଆସନରେ ଜିତିବା ସହ ଅନ୍ୟ ସାଥୀମାନେ ୮ଟି ସିଟରେ ବିଜୟୀ ହୋଇଛନ୍ତି। ତେଣୁ ସରକାର ଗଠନ ପାଇଁ ମେଣ୍ଟ ମ୍ୟାଜିକ୍ ନମ୍ବର ଯୋଗାଡ଼ କରିପାରିଛି। ହେଲେ ଏହି ସରକାରର ନେତା କିଏ ହେବ ସେନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ।
ଏହାପୂର୍ବରୁ ନୀତିଶ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ନିଜର ପ୍ରତିକ୍ରିୟା ରଖିସାରିଛନ୍ତି। ଏନଡିଏ ମେଣ୍ଟ ହିଁ ଦଳର ମୁଖ୍ୟମନ୍ତ୍ରୀ ବାଛିବ ବୋଲି ସେ କହିସାରିଛନ୍ତି।
ଏଥର ନିର୍ବାଚନରେ ଜେଡିୟୁ ଖରାପ ପ୍ରଦର୍ଶନ କରିଛି। ଯାହାଦ୍ୱାରା ମେଣ୍ଟରେ ଦଳ ବଡ଼ ଭାଇ ପଦରୁ ସାନ ଭାଇ ପଦକୁ ଖସି ଆସିଛି। ତେଣୁ ନୀତିଶ ମୁଖ୍ୟମନ୍ତ୍ରୀ ହେବାକୁ ଅମଙ୍ଗ ହେଉଛନ୍ତି। ହେଲେ ମେଣ୍ଟରେ କମ୍ ସିଟ୍ ଥିଲେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।


















