ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଗ୍ଗଜ ବଙ୍ଗଳା ଫିଲ୍ମ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ ହୋଇଛି। ରବିବାର କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସୌମିତ୍ର ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

ଗତ ଅକ୍ଟୋବର ୬ ତାରିଖରେ ସୌମିତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କିଛି ଦିନର ଚିକିତ୍ସା ପରେ ସେ କରୋନାରୁ ସୁସ୍ଥ ହୋଇଥିଲେ। କିନ୍ତୁ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା। ତେଣୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣ ୧୨ଟା ୧୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସୌମିତ୍ର ଚାଟାର୍ଜୀଙ୍କୁ ବଙ୍ଗଳା ଫିଲ୍ମ ଜଗତର କିମ୍ବଦନ୍ତୀ ଅଭିନେତା ବୋଲି କୁହାଯାଏ। ସେ ୧୯୫୯ରେ ‘ଅପୁର ସଂସାର’ ଫିଲ୍ମ ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ନିଜର ୬ ଦଶନ୍ଧିର କ୍ୟାରିୟର ଭିତରେ ସୌମିତ୍ର ୩୦୦ରୁ ଊର୍ଦ୍ଧ୍ଵ ଫିଲ୍ମରେ ଅଭିନୟ କରିଛନ୍ତି।

ଓସ୍କାର ବିଜେତା ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ପ୍ରିୟ ଅଭିନେତା ଥିଲେ ସୌମିତ୍ର ଚାଟାର୍ଜୀ। ସତ୍ୟଜିତ ରାୟଙ୍କ ସହ ମିଶି ସୌମିତ୍ର ୧୪ଟି ଫିଲ୍ମରେ କାମ କରିଛନ୍ତି। ନିଖୁଣ ଅଭିନୟ ପାଇଁ ତାଙ୍କୁ ୨୦୧୨ରେ ଦାଦାସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ୨୦୦୪ରେ ପଦ୍ମଭୂଷଣ ଉପାଧିରେ ଭୂଷିତ ହୋଇଥିଲେ ସୌମିତ୍ର। ସେହିପରି ସେ ୩ ଥର ଜାତୀୟ ପୁରସ୍କାର, ୭ ଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ।

Comment