ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ ସୋମବାର କିମ୍‍ସରେ ଏକ ପୋଷ୍ଟ କୋଭିଡ୍‍ ମାତୃ ଓ ଶିଶୁ କ୍ଳିନିକ୍‍ ଖୋଲିଛି। ଏହି କ୍ଲିନିକ୍‌ରେ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଶିଶୁରୋଗ ବିଶେଷଜ୍ଞଙ୍କ ଦ୍ୱାରା ମା ଏବଂ ନବଜାତ ଶିଶୁର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଆବଶ୍ୟକ ପରାମର୍ଶ ଦିଆଯାଉଥିବା ସୂଚନା ମିଳିଛି।

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ମହିଳାଙ୍କ କ୍ଷେତ୍ରରେ ଦୀର୍ଘଦିନ ଧରି ଦେଖାଯାଉଥିବା ବିଭିନ୍ନ ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ସମସ୍ୟାର ପରୀକ୍ଷା ଓ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ଏହି କ୍ଲିନିକ୍ ଖୋଲାଯାଇଛି। ଏହି କ୍ଲିନିକ୍‌ରେ ସମସ୍ତ ପ୍ରକାର ପରୀକ୍ଷା ଓ ଇମେଜିଂ ସୁବିଧା ଉପଲବ୍ଧ ହେଉଛି। ଏଥିସହିତ ଆବଶ୍ୟକ ସ୍ଥଳେ କାର୍ଡିଓଲଜିଷ୍ଟ, ପାଥୋଲଜିଷ୍ଟ, ନିଉରୋଲଜିଷ୍ଟ କିମ୍ବା ଫିଜିସିଆନ୍‍ଙ୍କ ପରାମର୍ଶ ମଧ୍ୟ ନିଆଯାଇ ପାରୁଥିବା ସୂଚନା ମିଳିଛି।୮ ମାସ ମଧ୍ୟରେ ଓଡ଼ିଶାର ୩ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଲକ୍ଷ ୯୦ ହଜାର ସୁସ୍ଥହୋଇ ସାରିଲେଣି। ଏହି ସମୟ ମଧ୍ୟରେ କିମ୍‍ସ ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲ୍‍ରେ ୬ହଜାର କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୦ଜଣ କରୋନା ସଂକ୍ରମିତ ପ୍ରସୂତି କିମ୍‍ସ ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲ୍‍ରେ ଭର୍ତ୍ତି ହୋଇଥିଲେ ଏବଂ ସେମାନେ ନର୍ମାଲ ଓ ସିଜରିଆନ୍‍ ଡେଲିଭରି ମାଧ୍ୟମରେ ୧୫୦ ଶିଶୁଙ୍କୁ ଜନ୍ମଦେଇଥିଲେ।

ଏମାନଙ୍କ ମଧ୍ୟରୁ କରୋନାରୁ ସୁସ୍ଥହୋଇ ଘରକୁ ଫେରିଥିବା ୨୫ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଦୀର୍ଘଦିନ ଧରି ଦୁର୍ବଳତା, ହାଲିଆ ଅନୁଭବ କରିବା, ଶ୍ୱାସକ୍ରିୟାରେ ଅସୁବିଧା, କଫ, ଜ୍ୱର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି। ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରବର୍ତ୍ତୀ ଚିକିତ୍ସା ନିମନ୍ତେ କିମ୍‍ସରେ ପୋଷ୍ଟ କୋଭିଡ୍‍ ମାତୃ ଓ ଶିଶୁ କ୍ଲିନିକ୍‍ ଖୋଲାଯାଇଛି। ଏହି କ୍ଲିନିକ୍‍ ସମସ୍ତ କାର୍ଯ୍ୟ ଦିବସରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ସୂଚନା ମିଳିଛି।

Comment