ଓଡ଼ିଶାଲାଇଭ୍ ବ୍ୟୁରୋ

  • ମନ୍ଦିର ଖୋଲିବାକୁ ଆହୁରି ମାସେ
  • ଭକ୍ତ ଦର୍ଶନ ପାଇଁ ଗଠନ ହେବ କମିଟି
  • ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ହେବ ଦର୍ଶନ

ଦୀର୍ଘ ୮ମାସ ଧରି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ଡିସେମ୍ଵର ଶେଷ ସପ୍ତାହ ବେଳକୁ ମନ୍ଦିର ଖୋଲିବା ନେଇ ସମ୍ଭାବନା ଦେଖାଦେଇଛି। ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମନ୍ଦିର ଖୋଲିବା ବାବଦରେ ଆଲୋଚନା ହୋଇଥିବା ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ମନ୍ଦିର ଖୋଲିବାକୁ ଆହୁରି ମାସେ ସମୟ ଲାଗିପାରେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ହିଁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବା ବାବଦରେ ବୈଠକରେ ଆଲୋଚନା ହୋଇଥିବା ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।“ଯଦି ମନ୍ଦିର ଖୋଲିବ ତେବେ କିପରି ବ୍ୟବସ୍ଥା ହେବ ଏବଂ ଭକ୍ତମାନେ କେମିତି ଦର୍ଶନ କରିବେ ସେଥିପାଇଁ ଏକ କମିଟି ଗଠନ କରାଯିବ। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଏସ୍‌ପି ଏହି କମିଟିରେ ରହିବେ। କମିଟି ହିଁ ନିଷ୍ପତ୍ତି ନେବ କିପରି ଦର୍ଶନ ହେବ। ଏସବୁ ପାଇଁ ଏକ ମାସ ସମୟ ଲାଗିବ। ଡିସେମ୍ଵର ତୃତୀୟ ସପ୍ତାହ ସୁଦ୍ଧା ମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ଶେଷ ହୋଇଯିବ। ରାଜ୍ୟ ସରକାର ଯେବେ ନିଷ୍ପତ୍ତି ନେବେ ସେବେ ଭକ୍ତଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯିବ”, କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ସେହିପରି ଆସନ୍ତା ଶନିବାର ଆଉ ଏକ ବୈଠକ କରାଯାଇ ନାଗାର୍ଜୁନ ବେଶ ଏବଂ ମନ୍ଦିର ଖୋଲିବା ପାଇଁ ବିସ୍ତୃତ ଆଲୋଚନା କରାଯିବା ନେଇ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ, ଏସ୍‌ପି ଅଖିଳେଶ୍ଵର ସିଂହ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ ଏବଂ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।କରୋନା ପାଇଁ ଦୀର୍ଘ ଆଠ ମାସ ଧରି ରାଜ୍ୟରେ ମନ୍ଦିର ବନ୍ଦ ରହିଥିବା ବେଳେ ଏହାକୁ ଖୋଲିବା ପାଇଁ ବିଭିନ୍ନ ସମୟରେ ଦାବି କରାଯାଇଛି। ଅନଲକ୍ ୪ ପରେ ଦେଶର ବିଭିନ୍ନ ରାଜ୍ୟରେ ମନ୍ଦିର ଖୋଲିଥିଲେ ସୁଦ୍ଧା ଓଡ଼ିଶା ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇନଥିଲେ। ଏହାପରେ ମନ୍ଦିର ଖୋଲିବା ଦାବିରେ ଅଦାଲତରେ ବିଭିନ୍ନ ମାମଲା ରୁଜୁ ହୋଇଥିଲା। ମନ୍ଦିର ଖୋଲିବା ନିଷ୍ପତ୍ତିକୁ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଥିଲେ ହାଇକୋର୍ଟ। କିନ୍ତୁ ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ଏଯାଏ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ତେବେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମନ୍ଦିର ଖୋଲିବା ନେଇ ହୋଇଥିବା ଆଲୋଚନା ପରେ ଏବେ ମନ୍ଦିର ଖୋଲିବା ପାଇଁ ଆଶା ସଂଚାର ହୋଇଛି।

Comment