ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାୟ ୮ ମାସ କାଳ ବନ୍ଦ ରହିବା ପରେ ନଭେମ୍ବର ୨୩ ତାରିଖରୁ ଉତ୍ତରପ୍ରଦେଶରେ ଖୋଲିବାକୁ ଯାଉଛି ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ। ଏନେଇ ଉତ୍ତରପ୍ରଦେଶର ସରକାର ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି। ଏହି ଗାଇଡଲାଇନକୁ ପାଳନ କରି ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୁପକ୍ଷ ପାଠପଢ଼ା ପୁଣି ଆରମ୍ଭ କରିବେ ବୋଲି କୁହାଯାଇଛି।

ଉତ୍ତରପ୍ରଦେଶର ସରକାରଙ୍କ ଗାଇଡଲାଇନରେ କୁହାଯାଇଛି ଯେ, ଛାତ୍ରଛାତ୍ରୀମାନେ ନିଜର ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବେ। ଏହାସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଲେ ହିଁ ସେମାନଙ୍କୁ କଲେଜରେ କ୍ଲାସ୍ କରିବାକୁ ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନଙ୍କୁ ଯୋଗ, ବ୍ୟାୟାମ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ କୋଭିଡ୍ କଟକଣା ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଳନ ହେବ। କ୍ଲାସରେ ମଧ୍ୟ ଅଧା ଛାତ୍ରଛାତ୍ରୀ ବସିବେ। ବିଶେଷକରି ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି।

ଓଡ଼ିଶାରେ କେବେ ଖୋଲିବ କଲେଜ?

କରୋନା ମହାମାରୀ ବ୍ୟାପିବା ଦିନଠୁ ଓଡ଼ିଶାରେ ମଧ୍ୟ ସ୍କୁଲ୍, କଲେଜ ବନ୍ଦ ହୋଇପଡ଼ିଛି। କଲେଜ ଓ ବିଶ୍ୱବିଦ୍ୟାଳୟ କେବେ ଖୋଲିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ପିଜି ପ୍ରବେଶିକା ପରୀକ୍ଷା ଶେଷ ହୋଇଥିବାବେଳେ ଆଗକୁ ନାମଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଅଛି। ଯଦି ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ଏଭଳି ବନ୍ଦ ରହେ, ତେବେ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଘରେ ରହି ପାଠ ପଢ଼ିବାକୁ ପଡ଼ିପାରେ।

ଏହାପୂର୍ବରୁ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଅନଲାଇନ ଜରିଆରେ ପାଠ ପଢୁଛନ୍ତି। ଉପାନ୍ତ ଅଞ୍ଚଳର ପିଲାମାନେ କିନ୍ତୁ ଇଣ୍ଟରନେଟ୍ ଅଭାବରୁ ଏହି ଅନଲାଇନ ପାଠରେ ଯୋଡ଼ି ହୋଇପାରୁନାହାନ୍ତି। ତେଣୁ କଲେଜ ଖୋଲିଲେ ହିଁ ସେମାନଙ୍କର ସମସ୍ୟା ସମାଧାନ ହୋଇପାରିବ ବୋଲି କୁହାଯାଉଛି। ଏପରି ସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ କେବେ କଲେଜ ଖୋଲିବାକୁ ନିଷ୍ପତ୍ତି ନେଉଛି ତାକୁ ହିଁ ଅପେକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here