ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ‘ଏ ପ୍ରମିଜଡ୍ ଲ୍ୟାଣ୍ଡ’ ନାମରେ ନିଜର ଆତ୍ମଜୀବନୀ ରଚନା କରିଛନ୍ତି।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଆତ୍ମଜୀବନୀ ‘ଏ ପ୍ରମିଜଡ ଲ୍ୟାଣ୍ଡ’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ପୁସ୍ତକରେ ଓବାମା ଭାରତର ରାଜନୀତି, ସଂସ୍କୃତିକୁ ନେଇ ଅନେକ ଗୁଡ଼ିଏ ମନ୍ତବ୍ୟ ଦେଇଛନ୍ତି। ବିଶେଷକରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହିତ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ,ହିନ୍ଦୁ ମହାକାବ୍ୟ ରାମାୟଣ ଏବଂ ମହାଭାରତ ବିଷୟରେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଓବାମା। ଯାହାକୁ ନେଇ ଏବେ ଚାରିଆଡ଼େ ଆଲୋଚନା ଆରମ୍ଭ ହୋଇଯାଇଛି।ଓବାମାଙ୍କ ଆତ୍ମଜୀବନରେ ରାହୁଲ ଗାନ୍ଧୀ
ଓବାମା ତାଙ୍କ ଆତ୍ମଜୀବନୀ ଏ ପ୍ରମିଜଡ୍ ଲ୍ୟାଣ୍ଡରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ରାହୁଲଙ୍କୁ ଜଣେ ନର୍ଭସ ନେତା ଭାବେ ବିବେଚନା କରିବା ସହିତ ତାଙ୍କୁ ରାଜନୀତିର ଜଣେ ଅପରିପକ୍ୱ ଛାତ୍ର ବୋଲି କହିଛନ୍ତି। ରାହୁଲ ଗାନ୍ଧୀ ଜଣେ ହତାଶ ଓ ଅପରିପକ୍ୱ ଛାତ୍ର, ଯିଏ ନିଜର ହୋମୱାର୍କ କରି ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥାଏ। ହେଲେ ତାଙ୍କ ଭିତରେ ଦକ୍ଷତା ଏବଂ ଉତ୍ସାହର ଅଭାବ ଅଛି ବୋଲି ଓବାମା ତାଙ୍କ ଆତ୍ମଜୀବନରେ ଉଲ୍ଲେଖ କରିଛନ୍ତି।ଓବାମାଙ୍କ ଆତ୍ମଜୀବନୀ ଓ ଭାରତୀୟ ରାଜନୀତି
ଏହାବାଦ ଓବାମା ତାଙ୍କ ଆତ୍ମଜୀବନରେ ଭାରତୀୟ ରାଜନୀତି ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଯାଇ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ। ମନମୋହନ ସିଂହଙ୍କ ପଟରୁ ରାହୁଲଙ୍କୁ କୌଣସି ପ୍ରକାର ବିପଦ ନଥିଲା, ଏହି କାରଣରୁ କଂଗ୍ରେସ ତାଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା ବୋଲି ଓବାମା ଲେଖିଛନ୍ତି।
ଏହାସହ ସେ ସୋନିଆ ଗାନ୍ଧୀଙ୍କୁ ଜଣେ ଚତୁର ଏବଂ ତୀକ୍ଷ୍ଣ ବୁଦ୍ଧ ସମ୍ପନ୍ନ ମହିଳା ବୋଲି କହିବା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜଣେ ସଚ୍ଚୋଟ ରାଜନେତା ଭାବେ ଚିତ୍ରଣ କରିଛନ୍ତି। ସୋନିଆ ବିଭିନ୍ନ ସରକାରୀ ନିଷ୍ପତ୍ତି ନେବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିଥାନ୍ତି ବୋଲି ଓବାମା ତାଙ୍କ ପୁସ୍ତକରେ ଲେଖିଛନ୍ତି। ସେହିଭଳି ବିଜେପି ଭାରତରେ ବିଭାଜନକାରୀ ଜାତୀୟତାବାଦ ଚଳାଇଛି ବୋଲି ଓବାମା ଏ ପ୍ରମିଜଡ୍ ଲ୍ୟାଣ୍ଡରେ ଲେଖିଛନ୍ତି। ଯାହାକୁ ନେଇ ଏବେ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି।ରାମାୟଣ,ମହାଭାରତ ଏବଂ ଓବାମା
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପିଲାଦିନେ ହିନ୍ଦୁ ମହାକାବ୍ୟ ରାମାୟଣ ଓ ମହାଭାରତ ଶୁଣିବାକୁ ଭଲ ପାଉଥିଲେ। ଇଣ୍ଡୋନେସିଆରେ ଥିବା ବେଳେ ସେ ଏହି ପବିତ୍ର ଗ୍ରନ୍ଥଗୁଡ଼ିକୁ ଶୁଣୁଥିଲେ। ତେଣୁ ତାଙ୍କ ମନରେ ଭାରତ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି ବୋଲି ଓବାମା ନିଜ ଆତ୍ମଜୀବନୀ ‘ଏ ପ୍ରମିଜ୍ଡ ଲ୍ୟାଣ୍ଡ୍’ରେ ଉଲ୍ଲେଖ କରିଛନ୍ତି।
“ପିଲାଦିନେ ଇଣ୍ଡୋନେସିଆରେ ଥିବା ସମୟରେ ହିନ୍ଦୁ ମହାକାବ୍ୟ ରାମାୟଣ ଓ ମହାଭାରତ ଶୁଣୁଥିଲି। ଏହା ହୁଏତ ହିନ୍ଦୁ ଧର୍ମ ପ୍ରତି ଥିବା ମୋର ରୁଚି କିମ୍ବା ମୋର ପାକିସ୍ତାନୀ ଓ ଭାରତୀୟ କଲେଜ ବନ୍ଧୁମାନଙ୍କ ପାଇଁ ହୋଇପାରେ। ଏହି ବନ୍ଧୁମାନେ ମୋତେ ଡାଲି ଆଉ କିମା ବନେଇବା ଶିଖାଇଥିଲେ”, ଓବାମା ନିଜର ଆତ୍ମଜୀବନରେ ଲେଖିଛନ୍ତି।ଏଥିସହିତ ଭାରତ ପ୍ରତି ତାଙ୍କ ଆକର୍ଷଣର ପ୍ରମୁଖ କାରଣ ମହାତ୍ମା ଗାନ୍ଧୀ ବୋଲି ଓବାମା ଲେଖିଛନ୍ତି। ସ୍ଵାଧୀନତା ପାଇଁ ସଫଳ ଅହିଂସା ଆନ୍ଦୋଳନ କରିବା ସହ ଦଳିତ ଓ ନିଷ୍ପେଷିତ ଗୋଷ୍ଠୀଙ୍କ ପାଇଁ ଗାନ୍ଧିଜୀ ଆଶାର ଆଲୋକ ସାଜିଥିଲେ। ତେଣୁ ଆବ୍ରାହମ୍ ଲିଙ୍କନ୍, ମାର୍ଟିନ୍ ଲୁଥର, ନେଲସନ ମାଣ୍ଡେଲାଙ୍କ ସହ ମହାତ୍ମା ଗାନ୍ଧୀ ତାଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିଥିଲେ ବୋଲି ଓବାମା ‘ଏ ପ୍ରମିଜ୍ଡ ଲ୍ୟାଣ୍ଡ୍’ରେ ଉଲ୍ଲେଖ କରିଛନ୍ତି।
ଏହାବାଦ୍ ଓବାମା ତାଙ୍କର ଏହି ଆତ୍ମଜୀବନରେ ବିଶ୍ୱର ତମାମ ନେତାଙ୍କଠାରୁ ଆରମ୍ଭ କରି, କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଦେନର ମୃତ୍ୟୁ ରହସ୍ୟ ଓ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଷୟରେ ମଧ୍ୟ ଅନେକ କିଛି ଲେଖିଛନ୍ତି।