ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ବାସେଳି ସାହି ଥାନାରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ବଳିଆପଣ୍ଡା ଅଞ୍ଚଳର କେ ରମେଶ। ଯୁବକଙ୍କୁ ପୋଲିସ ପିଟି ପିଟି ମାରି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁରୀ ମେଡିକାଲ ଆଗରେ ତୀବ୍ର ଉତ୍ତେଜନା ଦେଖାଦେଇଛି।

ବୁଧବାର ବାସେଳି ସାହି ଥାନା ପୋଲିସ ବଳିଆପଣ୍ଡା ଅଞ୍ଚଳର କେ ରମେଶଙ୍କୁ ମାରଣାସ୍ତ୍ର ରଖି ଅପରାଧିକ ମାଲାରେ ଜଡ଼ିତ ଥିବା ଅଭିଯୋଗରେ ଉଠାଇ ନେଇ ପଚରା ଉଚରା କରିଥିଲା। ଏହାପରେ ସେ ଅସୁସ୍ଥ ହେବାରୁ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ପୋଲିସ ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକଙ୍କ ସହିତ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ମାମଲାକୁ ନେଇ ଏବେ ତୀବ୍ର ଉତ୍ତେଜନା ଦେଖାଦେଇଛି।

“କେ ରମେଶ ମାରଣାସ୍ତ୍ର ରଖି ପୁରୀ ସହରରେ ଅପରାଧିକ ମାମଲା ଷଡଯନ୍ତ୍ର କରୁଥିବାର ଖବର ପାଇ ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଥିଲା। ଏହି ସମୟରେ ପୋଲିସ ଏବଂ ତାଙ୍କ ମଧ୍ୟରେ ଧସ୍ତା ଧସ୍ତି ହେବା ଫଳରେ ରମେଶ ଆହତ ହୋଇଥିଲେ। ଏହାପରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି”, କହିଛନ୍ତି ପୁରୀ ଏସ୍‌ପି ଅଖିଳେଶ୍ଵର ସିଂ।

ଏସ୍‌ପି ଆହୁରି ମଧ୍ୟ କହିଛନ୍ତି ଯେ, କେ ରମେଶଙ୍କ ନାଁରେ ଆଗରୁ ଅନେକ ମାମଲା ରହିଛି। କିଛିଦିନ ପୂର୍ବେ ସଦର ଥାନା ଅଞ୍ଚଳରେ ଗୁଳି ଚଳାଇ ୫ଲକ୍ଷ ଟଙ୍କା ଛଡ଼ାଇ ନେବା ସହ, କୁମାରପଡ଼ା ଅଞ୍ଚଳରେ ତାଙ୍କ ନାଁରେ ପୋଲିସ ମାମଲା ରହିଛି। ସମୂଦ୍ରକୂଳ ଅଞ୍ଚଳରେ ଦାଦାବଟି ମାଗିବା ମାମଲାରେ ମଧ୍ୟ ସେ ଜଡ଼ିତ ଥିଲେ। କିଛିଦିନ ପୂର୍ବେ ସେ ତାଳଚେର ଥାନାରୁ ବାହାରିଛନ୍ତି।

“ପୋଲିସ ହେପାଜତରେ ମୃତ୍ୟୁ ହେଲେ ଏହାର ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିସନଙ୍କ ଗାଇଡଲାଇନ ଅଛି। ପୁରୀ ଏବଂ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାରେ ଏକ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରୁଛନ୍ତି। ଭିଡିଓଗ୍ରାଫି ମଧ୍ୟ କରାଯାଉଛି। ଏନ୍‌ଏଚ୍‌ଆର୍‌ସି ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ କରାଯିବ”, କହିଛନ୍ତି ପୋଲିସ ଡିଜି ଅଭୟ।

Comment