ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ଟିକା ପ୍ରଦାନ ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଏକ ରୋଡ୍‌ମ୍ୟାପ୍‌ ବି ପ୍ରସ୍ତୁତ କରାଯାଇଛି। ଆସନ୍ତା ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ସମୂହ ଟିକାଦାନ ପାଇଁ ରାଜ୍ୟରେ ୯୩୬ଟି ଛୋଟ (ଆଇସ୍‌-ଲାଇନ୍) ରେଫ୍ରିଜରେଟର ଦରକାର ପଡିବ। ଏଥି ସହିତ ୩୦ଟି ବଡ଼ ବଡ଼ ଡିପ୍ ରେଫ୍ରିଜରେଟର, ୭,୩୩୧ ନିଡଲ ଓ ହବ୍ କଟର, ୫୦୬ ସାର୍ପ ପିଟ୍, ୧,୪୭୩ ଜଣ ଡାଟା ଏଣ୍ଟ୍ରି ଅପେରେଟର, ୧୫ କେଭିଏ ବିଶିଷ୍ଟ ଦୁଇଟି ଜେନେରେଟର, ଦୁଇଟି ୱାକ୍ଇନ କୁଲର୍, ୧୦ କୋଟି ସିରିଞ୍ଜ ମଧ୍ୟ ଲୋଡ଼ା ହେବ।ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ଏନେଇ ପ୍ରସ୍ତୁତି ଆରମ୍ଭ କରିବା ସହ କୋଲ୍ଡଚେନ୍ ମ୍ୟାନେଜମେଣ୍ଟ ଓ ଭାକ୍ସିନେସନ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆର୍ଥିକ ସାହାଯ୍ୟ ଚାହିଁଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାୟ ୩୪ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରାଯାଇଛି। କରୋନା ଟିକା ଦେବା ପାଇଁ ବ୍ୟାପକ ମାନବ ସମ୍ବଳ ଓ ଉପକ୍ରମ ଦରକାର ପଡ଼ିବ ବୋଲି ସେ କହିଛନ୍ତି।

ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ଗର୍ଭବତୀ ମହିଳା ଓ ବୟସ୍କ ଲୋକଙ୍କୁ ଟିକା ମିଳିବ। ତା’ ଛଡ଼ା ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ପ୍ରଥମେ ଟିକା ପାଇବେ। ସରକାରଙ୍କ ପକ୍ଷରୁ ପ୍ରାୟ ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ବ୍ୟତୀତ ୩୦ ହଜାର ସ୍ଥାନ (ସେସନ ସାଇଟ)ଚିହ୍ନଟ କରାଯାଇଛି।

Comment