ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗୋଟିଏ ଦିନରେ ପଞ୍ଜିକୃତ ହେଲା ମାମଲା
  • ସୋମବାର ପରବର୍ତ୍ତୀ ଶୁଣାଣି
  • ସମସ୍ତ ରେକର୍ଡପତ୍ର ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ: ପୁରୀ ବାସେଳି ସାହି ହାଜତ ମୃତ୍ୟୁ ଘଟଣା ଶୁକ୍ରବାର ହାଇକୋର୍ଟରେ ପହଞ୍ଚିଛି। ଏହାକୁ ହାଇକୋର୍ଟ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ମାମଲା ରୁଜୁ ହେବା କ୍ଷଣି ଏହାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି। ରାଜ୍ୟ ସରକାର ଏହି ଘଟଣା ସଂକ୍ରାନ୍ତ ସମସ୍ତ ରେକର୍ଡପତ୍ର ଦାଖଲ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ଏହି ମାମଲା ରୁଜୁ କରିଥିବା ବେଳେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ଶୁଣାଣି ଧାର୍ଯ୍ୟ ହୋଇଛି।

ପୁରୀ ଟାଉନ୍‌ର ଫାଦର ସ୍କୁଲ୍ ନିକଟସ୍ଥ ଇଶ୍ୱପନ୍ଥୀ ଆଶ୍ରମ ପଛପଟ ମୋଚିସାହି ଛକରେ କେ. ରମେଶଙ୍କ ଘର। କେ. ରମେଶଙ୍କୁ ପୋଲିସ କିଛି ଦିନ ତଳେ ଉଠାଇ ନେଇଥିଲା। ଗିରଫ ପରେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର କରିବା ପରିବର୍ତ୍ତେ ବାସେଳି ସାହି ଥାନାରେ ବୁଧବାର ରାତିରେ ମାର୍‌ପିଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କେ. ରମେଶ। ପୁରୀ ମେଡିକାଲକୁ ଅଣାଯାଉଥିଲାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତରବରିଆ ଭାବେ କେ. ରମେଶଙ୍କ ଶବ ବ୍ୟବଚ୍ଛେଦ କରାଯିବା ସହ ପରିବାର ଲୋକଙ୍କୁ ନଜଣାଇ ତାଙ୍କ ଶବ ସଂସ୍କାର କରି ଦିଆଯାଇଥିଲା। ଏହି ଘଟଣା ପରେ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସିଛି ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି। ଏପରିକି ଏହି ଘଟଣାକୁ ନେଇ ପୁରୀ ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୋଲିସର ଏଭଳି ଭୂମିକାକୁ ନେଇ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ପ୍ରାର୍ଥନା କରି ଆବେଦନକାରୀ ଏହି ମାମଲା ରୁଜୁ କରିଛନ୍ତି।

ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ କରାଯିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୋଲିସ ଡିଜି, ପୁରୀ ଜିଲ୍ଲାପାଳ, ପୁରୀ ଏସ୍‌ପି, ବାସେଳି ସାହି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଗତକାଲି  ଏହି ମାମଲା ରୁଜୁ କରାଯାଇଥିଲାବେଳେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏହା ପଞ୍ଜିକୃତ ହୋଇଥିଲା। ହାଇକୋର୍ଟ ତୁରନ୍ତ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ପ୍ରତୀକ ମହାପାତ୍ର, କବିରାଜ ପ୍ରଧାନ ଏବଂ ପଦ୍ମାଳୟା ମହାପାତ୍ର ପରିଚାଳନା କରୁଛନ୍ତି।

Comment