ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ନୟାଗଡ଼ରେ ପ୍ରସ୍ତାବିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଲୋକଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି। ବୃତ୍ତଙ୍ଗକୁ ନେଇ ଢେର୍ ରାଜନୀତି ହୋଇଛି, ହେଲେ ପ୍ରକଳ୍ପ ପ୍ରତିଷ୍ଠା ହୋଇ ପାରିନାହିଁ। ଫଳରେ ନୟାଗଡ଼ ଜିଲ୍ଲାରେ କୃଷି ଓ କୃଷକର ସମ୍ଭାବ୍ୟ ଉନ୍ନତିର ଆଶା ସ୍ୱପ୍ନରେ ସୀମିତ ରହିଛି। ତେବେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କଂଗ୍ରେସର କେତେକ ନେତା ଅଣ୍ଟା ଭିଡ଼ିଛନ୍ତି।

ପ୍ରସ୍ତାବିତ ବୃତ୍ତଙ୍ଗ ଜଳସେଚନ ଯୋଜନା ପ୍ରତିଷ୍ଠା ହେଲେ ନୟାଗଡ଼ ଜିଲ୍ଲାର ୬ଟି ବ୍ଲକ ୨୦ରୁ ୨୫ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବ। କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଣର ମଧ୍ୟ ସୁବିଧା ହୋଇ ପାରିବ। ୧୯୮୦ ଦଶକରେ ଉତ୍ଥାପିତ ବୃତ୍ତଙ୍ଗ ଜଳସେଚନ ଯୋଜନାକୁ ବୈଷୟିକ ଓ ଆର୍ଥିକ ମଞ୍ଜୁରୀ ମିଳିସାରିଛି। ପରବର୍ତ୍ତୀ କାର୍ଯ୍ୟ ଅଗ୍ରଗତି କ୍ଷେତ୍ରରେ ବିଭାଗୀୟ ଇଚ୍ଛାଶକ୍ତିର ଅଭାବ ପ୍ରତିବନ୍ଧକ ସୃଷ୍ଟି କରିଥିବା କୁହାଯାଉଛି।କୃଷି ଓ କୃଷକର ସ୍ୱାର୍ଥ ରକ୍ଷା ପାଇଁ ପ୍ରକଳ୍ପ କାର୍ଯ୍ୟ ତ୍ଵରାନ୍ଵିତ କରିବା ଦିଗରେ ଚାପ ସୃଷ୍ଟି ନେଇ କଂଗ୍ରେସର କେତେକ ନେତା ଓ କର୍ମୀ ଶନିବାର ଏକାଠି ହୋଇଥିଲେ। ନୟାଗଡ଼ ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଥିବା ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ବିନୋଦିନୀ ମହାନ୍ତି, ବେଣୁଧର ନାୟକ, ଉମେଶଚନ୍ଦ୍ର ପଟ୍ଟନାୟକ, ଲକ୍ଷ୍ମୀଧର ରାଉତରାୟ, ବସନ୍ତ କୁମାର କର, ହରିଶ୍ଚନ୍ଦ୍ର ବେହେରା ଏବଂ ସତ୍ୟବ୍ରତ ନାୟକ ଆଦି ବୃତ୍ତଙ୍ଗ ପ୍ରକଳ୍ପ ତ୍ୱରାନ୍ୱିତ କରିବା ଦିଗରେ ଆଲୋଚନା କରିଥିବା ସୂଚନା ମିଳିଛି।

Comment