ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ। ସୋମବାର ଗୁଆହାଟି ମେଡିକାଲ କଲେଜରେ ୮୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି ସେ ଗୁରୁତର ଭାବେ ଅସୁସ୍ଥ ଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା,ହେଲେ ଆଜି ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କର ଦେହାନ୍ତରେ ଦେଶର ତମାମ ରାଜନେତାମାନେ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ତରୁଣ ଗୋଗୋଇ ଜଣେ ଲୋକପ୍ରିୟ ନେତା ଥିଲେ। ତାଙ୍କ ପାଖରେ ଆସାମ ସହ ଜାତୀୟ ରାଜନୀତିର ମଧ୍ୟ ଅନୁଭବ ଥିଲା। ତାଙ୍କ ମୃତ୍ୟୁ ଖବର ତାଙ୍କୁ ଦୁଃଖ ଦେଇଛି ବୋଲି ମୋଦୀ ଟୁଇଟରରେ ଲେଖିଛନ୍ତି। ଏହାସହ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନବାଲ ମଧ୍ୟ ଏହି ଖବର ଶୁଣି ଶୋକ ପ୍ରକାଶ କରିଛନ୍ତି।

୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ତରୁଣ ଗୋଗୋଇ ଆସାମର ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୧ ରୁ ୨୦୧୬ ପର୍ଯ୍ୟନ୍ତ ସେ ଆସାମର ମୁଖ୍ୟମନ୍ତ୍ରୀ ରହିଥିଲେ। ହେଲେ ଏହାର ଯଥେଷ୍ଟ ପୂର୍ବରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା।

୧୯୬୮ ମସିହାରେ ପ୍ରଥମ କରି ସେ ଜୋରହାଟ ମ୍ୟନିସିପାଲଟି ବୋର୍ଡର ସଦସ୍ୟ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୭୧ ମସିହାରୁ ସେ କଂଗ୍ରେସ ଟିକେଟରୁ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ସମୟରେ ସେ ଜୋରହାଟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଥିଲେ।ଜାତୀୟ ରାଜନୀତି ବ୍ୟତୀତ ଗୋଗୋଇ ରାଜ୍ୟ ରାଜନୀତିରେ ମଧ୍ୟ ବେଶ ସକ୍ରିୟ ଥିଲେ। ସେ ୧୯୮୬ରୁ ୯୦ ମସିହା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିଲେ। ଏହାପରେ ୧୯୯୬ ମସିହାରେ ସେ ପୁଣିଥରେ ଏହି ପଦରେ ରହିଥିଲେ।

୨୦୦୧ ମସିହାରେ ଆସାମରେ କଂଗ୍ରେସ ଚତ୍ମକାର ବିଜୟ ହାସଲ କରିଥିଲା। ଏହାପରେ ତରୁଣ ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ସେ ୨୦୦୬ ଓ ୨୦୧୧ ରେ ମଧ୍ୟ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ରହିଥିଲେ। ଏହାପରେ ସେ ୨୦୧୬ ନିର୍ବାଚନରେ ଦଳଠାରୁ ଦୂରରେ ରହିଥିଲେ।

Comment