ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ଦଳ ପ୍ରାୟ ୭୦ ଥର ବିଭାଜନର ଶିକାର ହୋଇଛି।

୨୦୧୪ ପରଠାରୁ କଂଗ୍ରେସର ସ୍ଥିତି ଅଧିକ ଶୋଚନୀୟ ହେବାରେ ଲାଗିଛି। ଖରାପ ପ୍ରଦର୍ଶନ ପାଇଁ କିଛି ନେତା ସାଙ୍ଗଠନିକ ପରିବର୍ତ୍ତନ ଦାବି କରୁଥିବାବେଳେ ଆଉ କେତେକ ପୁନର୍ବିନ୍ୟାସ ପାଇଁ ଦାବି କରୁଥିବା ନେତାଙ୍କ ବିରୋଧରେ ହିଁ ସ୍ୱର ଉଠାଇଛନ୍ତି।

ଏଭଳି ସ୍ଥିତିରେ ଲୋକସଭାରେ କଂଗ୍ରେସର ନେତା ତଥା ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀରରଞ୍ଜନ ଚୌଧୁରୀ ପୁନର୍ବିନ୍ୟାସ, ନେତୃତ୍ୱ ପରିବର୍ତ୍ତନ ଦାବି କରୁଥିବା ନେତାଙ୍କୁ ଅଲଗା ଦଳ ଗଠନ କରିବା ପାଇଁ କହିଛନ୍ତି। ତେବେ କଂଗ୍ରେସର ଏହି ବିଭାଜନା କଥା କିଛି ନୂଆ ନୁହେଁ। ଏହାପୂର୍ବରୁ ମଧ୍ୟ ଅନେକ ଥର କଂଗ୍ରେସ ଦଳ ବିଭାଜନ ଦେଖିଛି।କଂଗ୍ରେସ ଇତିହାସକୁ ଓଲଟାଇ ଦେଖିଲେ ଆମେ ଜାଣିପାରିବା ଯେ, ସ୍ୱାଧୀନତା ପରଠାରୁ ଏଯାବତ (ପ୍ରାୟ ୭୦ ବର୍ଷ) କଂଗ୍ରେସ ଦଳ ବାରମ୍ବାର ବିଭାଜନ ହୋଇଛି। ଅତି କମରେ ୭୦ ଥର। ବିଭିନ୍ନ ବରିଷ୍ଠ ନେତା କଂଗ୍ରେସରୁ ବାହାରି ନୂଆଦଳ ଗଠନ କରିଛନ୍ତି। ରାଜନୀତିରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି। କିଛି ସଫଳ ହୋଇଛନ୍ତି, ଆଉ କିଛି ବିଫଳତାକୁ ଭାଗ୍ୟ ବୋଲି ଭାବି ଦେଇଛନ୍ତି। କିଛି ଆଦର୍ଶ ପାଇଁ କଂଗ୍ରେସ ଭାଙ୍ଗିଛନ୍ତି ତ ଆଉ କିଛି ସ୍ୱାର୍ଥ ପାଇଁ ଦଳ ବିଭାଜନ କରିବାକୁ ଚେଷ୍ଟା କରିଛନ୍ତି।

ଜେବି କୃପାଳିନୀଙ୍କ ନେତୃତ୍ୱରେ କଂଗ୍ରେସରୁ ବାହାରି ଅନେକ ନେତା ୧୯୫୧ରେ  କିଷାନ ମଜଦୁର ପାର୍ଟି ଗଠନ କରିଥିଲେ। ମହିଶୂର, ମାଡ୍ରାସ ଓ ଦିଲ୍ଲୀରେ ଏହି ପାର୍ଟି ରାଜନୀତି କରୁଥିଲା। ପରେ ଏହି ଦଳ ପ୍ରଜା ସୋସାଲିଷ୍ଟ ପାର୍ଟିରେ ବିଲୟ ହୋଇଯାଇଥିଲା। ଠିକ୍ ଏହି ବର୍ଷ ହାଇଦ୍ରାବାଦ୍ ଷ୍ଟେଟ ପ୍ରଜାପାର୍ଟି ମଧ୍ୟ କିଛି କଂଗ୍ରେସ ନେତାଙ୍କ ଦ୍ୱାରା ଗଠନ ହୋଇଥିଲା। ପରେ ଏହା କିଷାନ ମଜଦୁର ପ୍ରଜାପାର୍ଟିରେ ବିଲୟ ହୋଇଯାଇଥିଲା।୧୯୫୬ରେ ବରିଷ୍ଠ କଂଗ୍ରେସ ନେତା ସି ରାଜଗୋପାଳଚାରୀ କଂଗ୍ରେସରୁ ବାହାରି ନ୍ୟାସନାଲ ଡେମୋକ୍ରାଟିକ କଂଗ୍ରେସ ଗଠନ କରିଥିଲେ। କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ିଥିଲେ। କଂଗ୍ରେସ ବିରୋଧୀ ଶକ୍ତିଙ୍କୁ ଏକାଠି କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ପରେ ନ୍ୟାସନାଲ ଡେମୋକ୍ରାଟିକ କଂଗ୍ରେସକୁ ଭାଙ୍ଗି ଗଠନ କରିଥିଲେ ସ୍ୱତନ୍ତ୍ର ପାର୍ଟି। ଏହାକୁ ସେ ୧୯୫୯ ମସିହାରେ ଗଠନ କରିଥିଲେ। ଏଥିରେ ନ୍ୟାସନାଲ ଡେମୋକ୍ରାଟିକ କଂଗ୍ରେସର ବିଲୟ ହୋଇଥିଲା।

୧୯୬୪ରେ କେରଳ କଂଗ୍ରେସ ଗଠନ ହୋଇଥିଲା। କେଏମ୍ ଜର୍ଜଙ୍କ ନେତୃତ୍ୱରେ କଂଗ୍ରେସର କିଛି ନେତା ଏହି ନୂଆ ଦଳ ଗଠନ କରିଥିଲେ। ଏବେ କେରଳ କଂଗ୍ରେସ କାମ କରୁଥିଲେ ମଧ୍ୟ ଏକାଧିକ ପାର୍ଟିରେ ବିଭାଜିତ ହୋଇସାରିଛି। କେରଳ କଂଗ୍ରେସ ଥୋମାସ, କେରଳ କଂଗ୍ରେସ ସ୍କାରିଆ ଥୋମାସ, କେରଳ କଂଗ୍ରେସ ଜାକବ, କେରଳ କଂଗ୍ରେସ ବି, କେରଳ କଂଗ୍ରେସ ଏମ୍ ଭଳି ଏକାଧିକ ଦଳରେ ବିଭାଜିତ ହୋଇସାରିଛି।ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, କଂଗ୍ରେସରୁ ବାହାରି ଭାରତୀୟ କ୍ରାନ୍ତି ଦଳ ଗଠନ କରିଥିଲେ। ଅବଶ୍ୟ ଏହାକୁ ସେ ବେଶୀ ଦିନ ଚଳାଇପାରିନଥିଲେ। ଏହାପରେ ସେ ଲୋକଦଳ, ଜନତାପାର୍ଟି ଭଳି ଦଳରେ ସାମିଲ ହୋଇଥିଲେ। ଶେଷରେ ସେ ଜନତା ପାର୍ଟି(ଧର୍ମନିରପେକ୍ଷ)ରେ ସାମିଲ ହୋଇଥିଲେ।

ନିଜେ ଇନ୍ଦିରା ଗାନ୍ଧୀ ମଧ୍ୟ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ(ଆର୍) ଗଠନ କରିଥିଲେ। ପରେ ମୂଳ କଂଗ୍ରେସ ପାର୍ଟି ଆଇଏନସି(ଓ) ଜନତା ପାର୍ଟିରେ ବିଲୟ ହୋଇସାରିବା ପରେ, ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଆର କେବଳ ଆଇଏନସି ଭାବେ ପରିଚିତ ହୋଇଥିଲେ।

କଂଗ୍ରେସ ନେତା ଅଜୟ ମୁଖାର୍ଜୀ ବେଙ୍ଗଲ କଂଗ୍ରେସ ନାମରେ ଗୋଟେ ଦଳ ଗଠନ କରିଥିଲେ। ଏହାର ପରିସୀମା କେବଳ ପଶ୍ଚିମବଙ୍ଗ ଭିତରେ ସୀମିତ ଥିଲା। ଏହାକୁ ସେତେ ମାତ୍ରାରେ ରାଜନୈତିକ ସଫଳତା ମିଳି ନ ଥିଲା।୧୯୬୯ ମସିହାରେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ବିଜୟାନନ୍ଦ ପଟ୍ଟନାୟକ ତଥା ବିଜୁ ପଟ୍ଟନାୟକ ଉତ୍କଳ କଂଗ୍ରେସ ନାମରେ ଦଳ ଗଠନ କରିଥିଲେ। ୧୯୭୭ରେ ଜଗଜ୍ଜୀବନ ରାମ କଂଗ୍ରେସ ଫର୍ ଡେମୋକ୍ରେସି ନାମରେ ଏକ ଦଳ ଗଠନ କରିଥିଲେ।

ବରିଷ୍ଠ ନେତା ଶରଦ ପାୱାର ଦଳ ଛାଡ଼ି କଂଗ୍ରେସ(ସୋସିଆଲିଷ୍ଟ) ନାମରେ ଏକ ଦଳ ଗଠନ କରିଥିଲେ। ୧୯୯୪ରେ କଂଗ୍ରସର କିଛି ଉତ୍ତର ଭାରତୀୟ ନେତା ଏନଡି ତିୱାରୀ, ନଟବର ସିଂହ ପ୍ରମୁଖ ଇନ୍ଦିରା କଂଗ୍ରେସ ନାମରେ ଦଳ ଗଠନ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ କଂଗ୍ରେସ ଛାଡ଼ି ସ୍ୱତନ୍ତ୍ର ଦଳ ଗଠନ କରିଥିଲେ। ୧୯୮୬ ମସିହାରେ ସେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ନାମରେ ଏକ ଦଳ ଗଠନ କରିଥିଲେ। ଏହି ଦଳ ରାଜନୈତିକ ସଫଳତା ହାସଲ କରିପାରିନଥିଲା।୧୯୯୭ରେ ମମତା ବାନାର୍ଜୀ କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ ନାମରେ ଦଳ ଗଠନ କରିଥିଲା। କଂଗ୍ରେସରୁ ବାହାରି ସ୍ୱତନ୍ତ୍ର ଦଳ ଭାବେ ଯଦି କେହି ଅଧିକ ସଫଳତା ପାଇଥାଏ ତାହା ହେଉଛି ତୃଣମୂଳ କଂଗ୍ରେସ। ଲଗାତର ୨ ଥର ଶାସନ କ୍ଷମତାକୁ ଆସିଛନ୍ତି ମମତା। ପଶ୍ଚିମବଙ୍ଗରୁ ଦୀର୍ଘଦିନର ବାମ ସରକାରକୁ ହଟାଇ ସେ ନୂଆ ସରକାର ଗଠନ କରିଥିଲେ।

ଶରଦ ପାୱାର ପୁଣି କଂଗ୍ରେସକୁ ଫେରିଆସିଥିଲେ। ହେଲେ ୧୯୯୯ରେ ସେ, ପିଏ ସାଙ୍ଗମା ଓ ତାରିକ୍ ଅନୱାର ଏନସିପି ଗଠନ କରିଥିଲେ। ସେହିପରି ହରେକୃଷ୍ଣ ମହତାବ ମଧ୍ୟ କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିଲେ। ପି. ଚିଦାମ୍ବରମ ମଧ୍ୟ କଂଗ୍ରେସ ଛାଡ଼ି କିଛି ଦିନ ପାଇଁ ନୂଆ ଦଳ ଗଠନ କରିଥିଲେ। ଶେଷ ଦଳ ଭାବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ରାଜଶେଖର ରେଡିଙ୍କ ପୁଅ ୱାଇ ଜଗନମୋହନ ରେଡ୍ଡି ୱାଇଏସଆର୍ କଂଗ୍ରେସ ନାମରେ ନୂଆ ଦଳ ଗଠନ କରିଥିଲେ। ସେ ମଧ୍ୟ ନିର୍ବାଚନୀ ସଫଳତା ପାଇବା ସହ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Comment