ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଆଗରେ ଅକ୍ଟୋବର ନଭେମ୍ଵର ମାସ ଭିତରେ ଦେଖିବାକୁ ମିଳିଛି ଦୁଇଟି ହାଇଡ୍ରାମା।

ଦୁଇମାସ ଭିତରେ ବିଧାନସଭା ଆଗରେ ଦେଖିବାକୁ ମିଳିଛି ଦୁଇ ଦୁଇଟି ହାଇ ଭୋଲ୍ଟେଜ୍ ଡ୍ରାମା। ପ୍ରଥମେ ଜଣେ ପୁଅ ନିଜ ମା’ ବେକରେ ଛୁରୀ ଲଗାଇ ହତ୍ୟା ଉଦ୍ୟମ କରିଥିଲେ ଆଉ ଆଜି ସ୍ଵାମୀ-ସ୍ତ୍ରୀ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଦୁଇଟିଯାକ ଘଟଣା ବିଧାନସଭାର ଦୁଇଟି ଗୁରୁତ୍ଵପୂର୍ଣ୍ଣ ମୌସୁମୀ ଏବଂ ଶୀତ ଅଧିବେଶନ ବେଳରେ ଘଟିଛି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ତୁମ୍ଵିତୁଫାନ ଲାଗିଛି।ମା’ ବେକରେ ଛୁରୀ ଲଗାଇଥିଲା ପୁଅ

ଅକ୍ଟୋବର ୧ ତାରିଖର ଘଟଣା। ବିଧାନସଭାରେ ମୌସୁମୀ ଅଧିବେଶନ ଚାଲିଥାଏ। ହଠାତ୍ ବିଧାନସଭା ସାମ୍ନାରେ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କ ବେକରେ ଛୁରୀ ଲଗାଇ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ବେଶ୍ କିଛି ସମୟ ପାଇଁ ରାସ୍ତା ଉପରେ ଏପରି ଡ୍ରାମା ଦେଖିବାକୁ ମିଳିଥିଲା। ପୋଲିସ ପହଁଚି ଛୁରୀ ଲଗାଇଥିବା ଯୁବକକୁ କାବୁ କରିନେଇଥିଲା। ଏଥିପାଇଁ ପୋଲିସକୁ ବି ନାକେଦମ୍ ହେବାକୁ ପଡିଥିଲା। ଛୁରୀ ଲଗାଇଥିବା ଯୁବକ ଜଣକ ଥିଲେ ନୟାଗଡ଼ର ଜିତେନ୍ଦ୍ର ପାଳ। ଡାକ୍ତର ପାଖକୁ ଦେଖାଇନେବାକୁ କହି ପୁଅ ତାଙ୍କୁ ଗାଁରୁ ଡାକି ଆଣିଥିବା ଜିତେନ୍ଦ୍ରଙ୍କ ମା’ ଝରଣା ପାଳ ପୋଲିସ ଆଗରେ କହିଥିଲେ। ପରେ ଜିତେନ୍ଦ୍ର ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଥିଲା।

ମୌସୁମୀ ଅଧିବେଶନ ଚାଲିଥିବା ବେଳେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ଵେ କିପରି ବିଧାନସଭା ଆଗରେ ଏପରି ହାଇଡ୍ରାମା ଘଟିଗଲା ତାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା। ଏହି ଘଟଣାକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରିଥିଲେ।ସ୍ଵାମୀ-ସ୍ତ୍ରୀଙ୍କ ଆତ୍ମାହତ୍ୟା ଉଦ୍ୟମ

ବିଧାନସଭା ଆଗରେ ମା’ ବେକରେ ପୁଅର ଛୁରୀ ଲଗା ଡ୍ରାମାର ମାସେ ପରେ ମଙଳବାର ପୁଣି ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଶୀତ ଅଧିବେଶନ ଚାଲିଥିବା ବେଳେ ଏକ ଦମ୍ପତି କିରୋସିନି ଢାଳି ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଏଭଳି ହାଇଡ୍ରାମା ଚାଲିଥିଲା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି। ଏହି ଦମ୍ପତି ହେଲେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ସୌଦାମିନୀ ସାହୁ ଓ ଅଶୋକ ସାହୁ। ନିଜ ଝିଅ ପାଇଁ ନ୍ୟାୟ ଦାବିକରି ସେମାନେ ଏପରି କରିଥିବା କହିଛନ୍ତି।

ସେମାନଙ୍କ କହିବା ମୁତାବକ, ୩ ମାସ ତଳେ ତାଙ୍କର ୫ ବର୍ଷୀୟ ଝିଅ ପରୀ ହଠାତ୍ ଦିନେ ନିଖୋଜ ହୋଇ ଯାଇଥିଲା। ଘଟଣାର ୧୦ ଦିନ ପରେ ଗୋଟିଏ ବସ୍ତାରୁ ଖଣ୍ଡ ଖଣ୍ଡ ହୋଇ ଝିଅର ମୃତଦେହ ମିଳିଥିଲା। ଏହାପରେ ତାଙ୍କ ଝିଅକୁ ହତ୍ୟା କରିଯାଇଥିବା ନେଇ ସେମାନେ ପୋଲିସ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ସତ୍ତ୍ୱେ ପୋଲିସ, ପ୍ରଶାସନ କେହି ବି ସେମାନଙ୍କ କଥା ଶୁଣିନଥିଲେ। ତେଣୁ ସେମାନେ ଆଜି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ନ୍ୟାୟ ମାଗିଛନ୍ତି ବୋଲି କହିଛନ୍ତି।ହାଇଡ୍ରାମା ପଛର କାରଣ କହିଲେ ଡିସିପି

ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ ବାବଦରେ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ, ନୟାଗଡ଼ର ଅଶୋକ ସାହୁ ଓ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ ଏଜି ଛକ ଆଡ଼ୁ ଗୋଟିଏ ଅଟୋରେ ଆସିଥିଲେ। ବିଧାନସଭା ଆଗରେ ସେମାନେ ଅଟୋରୁ ଓହ୍ଲାଇଥିଲେ। ଏଠାରେ କାହିଁକି ସେମାନେ ଓହ୍ଲାଇଲେ ବୋଲି ଦେଖିବା ପାଇଁ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଦେଖିବାକୁ ଗଲେ। ଏହି ସମୟ ମଧ୍ୟରେ ତାଙ୍କ ହାତରେ ଏକ କିରୋସିନି ଡବା ଦେଖିଥିଲେ। ଦମ୍ପତି ଅଚାନକ କିରୋସିନିକୁ ନିଜ ଉପରେ ଢାଳି ହୋଇପଡ଼ିଥିଲେ। ଠିକଣା ସମୟରେ ପୋଲିସ ସେମାନଙ୍କୁ କାବୁ କରିଥିଲା। ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି। ପୋଲିସ ସେମାନଙ୍କ ଅଭିଯୋଗ ଶୁଣିବା ପରେ ନୟାଗଡ଼ ଏସ୍‌ପିଙ୍କ ସହ ତାଙ୍କର କଥାବର୍ତ୍ତା କରାଯାଇଥିବା କହିଛନ୍ତି ଡିସିପି।ହାଇଡ୍ରାମାକୁ ନେଇ ବିଧାନସଭାରେ ହଟ୍ଟଗୋଳ

ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହୁତି ଉଦ୍ୟମ ଓ ପରେ ତାଙ୍କର ୫ ବର୍ଷ ଝିଅ ପରୀର ମୃତ୍ୟୁ ପ୍ରସଙ୍ଗକୁ ନେଇ ମଙ୍ଗଳବାର ହୁଲସ୍ତୁଲ୍ ହୋଇଛି ବିଧାନସଭା। ବିରୋଧୀମାନେ ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହାପରେ ବାଚସ୍ପତି ରୁଲିଂ ଜାରି କରି ବୁଧବାର ସୁଦ୍ଧା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହରେ ବିସ୍ତୃତ ବିବରଣୀ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଧାନସଭାରେ ପ୍ରଥମେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଜଣେ ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ଏନେଇ ତାଙ୍କର ପରିବାର ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏନେଇ ଜବାବ ରଖନ୍ତୁ ବୋଲି ବିରୋଧୀ ଦଳର ନେତା ଦାବି କରିଥିଲେ।

ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ସରକାରଙ୍କୁ ଟାର୍ଗେଟ କରିଥିଲା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଏହି ଘଟଣାକୁ ନିନ୍ଦା କରିବା ସହିତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ପାଇଁ ଦାବି କରିଥିଲେ।

ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ଶାସନ ବ୍ୟବସ୍ଥାର ସବୁଠୁ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ବିଧାନସଭା, ଆଉ ଅଧିବେଶନ ସମୟରେ ଏଠି ହୋଇଥାଏ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ସଂପୂର୍ଣ୍ଣ ପୋଲିସ ଛାଉଣି ମଧ୍ୟରେ ରହିଥାଏ ବିଧାନସଭା ପରିସର। ତ୍ରୀ-ସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା ପରେ ବି ଗୃହ ସାମ୍ନାରେ ଦୁଇଥର ଏପରି ଡ୍ରାମା ଘଟିବା ନିଶ୍ଚୟ ଭାବେ ଚିନ୍ତାର କାରଣ। ତେଣୁ ଏହି ଘଟଣାକୁ ନେଇ ବିରୋଧୀମାନେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Comment