ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି ତାଙ୍କର ୧୫ ବର୍ଷର କ୍ୟାରିଅର୍ ଭିତରେ କେତେକ ନାୟକଙ୍କ ସହ ଏକାଧିକ ବାର କାମ କରିଛନ୍ତି। ହେଲେ ଏମିତି କିଛି ଅନ୍ୟ ନାୟକ ଅଛନ୍ତି, ଯେଉଁମାନଙ୍କୁ ଥରଟିଏ ପରଦାରେ ଅନୁଭବଙ୍କ ସାଥ୍‌ ମିଳିଛି।

ଅନୁଭବ-ଅରିନ୍ଦମ୍‌

ଓଲିଉଡର ସୁପରଷ୍ଟାର୍ ଅନୁଭବ ଓ ଆକସନ ଷ୍ଟାର୍ ଅରିନ୍ଦମ୍ ଏଯାବତ୍ କେବଳ ଗୋଟିଏ ଓଡ଼ିଆ ଫିଲ୍ମରେ ଏକାଠି କାମ କରିଛନ୍ତି। ସିନେମାରେ ଅନୁଭବ ଓ ଅରିନ୍ଦମଙ୍କୁ ଏକାଠି ଆଣିବାର ପ୍ରୟାସରେ କେବଳ ସଫଳ ହୋଇଛନ୍ତି ଜଣେ ନିର୍ଦ୍ଦେଶକ। ସେ ହେଲେ ସୋ’ ମ୍ୟାନ୍ ପ୍ରଶାନ୍ତ ନନ୍ଦ। ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ମଲ୍‌ଟି ଷ୍ଟାରର ସିନେମା ‘କାଳୀଶଙ୍କର’ରେ ଏକାଠି ନଜର ଆସିଥିଲେ ଓଲିଉଡ୍ ସୁପରଷ୍ଟାର ଅନୁଭବ ଓ ଆକ୍ସନ ଷ୍ଟାର୍ ଅରିନ୍ଦମ୍।

୨୦୧୭ରେ ରିଲିଜ୍ ହୋଇଥିବା ‘କାଳୀଶଙ୍କର’ରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭୂମିକା ନିଭାଇଥିଲେ ସ୍ୱସ୍ତିକା ଓ ଅନ୍ୟପକ୍ଷରେ ଏଥିରେ ଅରିନ୍ଦମଙ୍କ ନାୟିକା ବନିଥିଲେ ମେଘନା ମିଶ୍ର। ଏହି ସିନେମାରେ ସିଦ୍ଧାନ୍ତ, ବିଜୟ ମହାନ୍ତି, ଅନୁ ଚୌଧୁରୀ, ଆଶିଷ ବିଦ୍ୟାର୍ଥୀ ଓ କୁନା ତ୍ରିପାଠୀ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।

ଅନୁଭବ-ବୁଦ୍ଧାଦିତ୍ୟ

ଓଲିଉଡ ସୁପରଷ୍ଟାର୍ ଅନୁଭବଙ୍କ ସହିତ ଷ୍ଟାର୍ ବୁଦ୍ଧାଦିତ୍ୟ କେବଳ ଗୋଟିଏ ଓଡ଼ିଆ ସିନେମାରେ କାମ କରିଛନ୍ତି। ଏ ଦୁହିଁଙ୍କୁ ଏକାଠି ଆଣିଥିଲେ ତରଙ୍ଗ ସିନେ ପ୍ରଡକ୍ସନସ।

୨୦୧୫ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜଗା ହାତରେ ପଘା’ରେ ଏଯାଏଁ ପ୍ରଥମ ଓ ଶେଷଥର ପାଇଁ ଅନୁଭବ-ବୁଦ୍ଧାଦିତ୍ୟଙ୍କ ଯୋଡିକୁ ଦେଖିବାକୁ ମିଳିଥିଲା। ଅବଶ୍ୟ ଏହି ସିନେମାରେ ଅନୁଭବ ନାୟକ ଏବଂ ବୁଦ୍ଧାଦିତ୍ୟ ଖଳନାୟକ ଚରିତ୍ରରେ ଦେଖା ଦେଇଥିଲେ।

‘ଜଗା ହାତରେ ପଘା’ର ନିର୍ଦ୍ଦେଶକ ହେଲେ ମୁରଲୀ କ୍ରିଷ୍ଣା। ଏଥିରେ ମହେଶ୍ୱତା, ମୀନକେତନ, ଅଜିତ ଦାସ ଓ ଅସିତ୍ ପତି, ଝିଲିକ୍ ଓ ଏଲିନା ପ୍ରମୁଖ ବି ଅଭିନୟ କରିଥିଲେ।

ଅନୁଭବ-ସୁନୀଲ୍ କୁମାର

ଓଲିଉଡ୍ ସୁପରଷ୍ଟାର୍ ଅନୁଭବଙ୍କ ସହିତ ରୋମାଣ୍ଟିକ୍ ଷ୍ଟାର୍ ସୁନୀଲ କୁମାର କେବଳ ଗୋଟିଏ ଓଡ଼ିଆ ସିନେମାରେ ନଜର ଆସିଛନ୍ତି। ଏହି ସିନେମାର ନାଆଁ ହେଲା ‘ସାତ ସୁରେ ବନ୍ଧା ଏ ଜୀବନ’।

ଦିଲୀପ ଦାଶ ଓ ମନ୍ମଥ ମିଶ୍ରଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ଆପୁ କାନୁନ୍‌ଗୋ। ଏହାର କାହାଣୀ ଏକ ତ୍ରିକୋଣ ପ୍ରେମ ଉପରେ ଆଧାରିତ ଥିଲା। ‘ସାତ ସୁରେ ବନ୍ଧା ଏ ଜୀବନ’ରେ ମିହିର ଦାସଙ୍କ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା।

ଅନୁଭବ-ଆକାଶ

ଓଲିଉଡ ସୁପରଷ୍ଟାର ଅନୁଭବ ଓ ଆକସନ ଷ୍ଟାର ଆକାଶ ବି ଏଯାଏଁ କେବଳ ଗୋଟିଏ ଓଡ଼ିଆ ସିନେମାରେ ଏକାଠି ନଜର ଆସିଛନ୍ତି।

ଏ ଦୁଇ ନାମୀ କଳାକାର ଯେଉଁ ଓଡ଼ିଆ ସିନେମାରେ ଏକାଠି କାମ କରିଛନ୍ତି, ତାହାର ଟାଇଟଲ୍ ହେଲା ‘ଅଗସ୍ତ୍ୟ’। ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ମୁରଲୀ କ୍ରିଷ୍ଣା। ‘ଅଗସ୍ତ୍ୟ’ରେ ନାୟିକା ଭୂମିକାରେ ନଜର ଆସିଥିଲେ ଝିଲିକ୍।

ଅନୁଭବ-ଦୀପକ ପରିଡା

ଏକଦା ଓଡ଼ିଆ ଫିଲ୍ମ ‘ସାବତ ମା’ ଓ ‘ରଖିବ ଯଦି ସେ ମାରିବ କିଏ’ ଭଳି ସିନେମାରେ ନାୟକ ବନିଥିଲେ ଦୀପକ ପରିଡ଼ା। ଦୀପକଙ୍କ ଓଲିଉଡ ସୁପରଷ୍ଟାର୍ ଅନୁଭବଙ୍କ ସହିତ କେବଳ ଗୋଟିଏ ସିନେମା ‘ସାଥୀ’ରେ କାମ କରିଥିଲେ।

ଅନୁଭବ-ଦୁଷ୍ମନ୍ତ

ପ୍ରେମ ସବୁଠୁଁ ବଳବାନ୍, ତୁମେ ହିଁ ସାଥୀ ମୋର ଭଳି ସିନେମାର ହିରୋ ଦୁଷ୍ମନ୍ତ ଓଲିଉଡ୍ ସୁପରଷ୍ଟାର୍ ଅନୁଭବଙ୍କ ସହିତ ଗୋଟିଏ ସିନେମାରେ କାମ କରିଛନ୍ତି। ଏହି ଫିଲ୍ମର ଟାଇଟଲ୍ ହେଲା ‘ମୁନ୍ନା -ଏ ଲଭ୍ ଷ୍ଟୋରି’।

ଅନୁଭବ-ଶ୍ରୀତମ ଦାସ

ଓଲିଉଡର ଜଣାଶୁଣା ନାୟକ ଶ୍ରୀତମ୍ ଦାସ ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ସହିତ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ସାଥୀରେ’ ସିନେମାରେ କେବଳ ଥରଟିଏ କାମ କରିଛନ୍ତି।

Comment