ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କର ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ବେଳେ, ବିଭିନ୍ନ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେବାରୁ ବୁଧବାର ଭୋରୁ ତାଙ୍କର ମୃତ୍ୟୁ ହୋଇଛି।

ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅହମ୍ମଦ ପଟେଲ ୮ ଥର ସଂସଦକୁ ନିର୍ବାଚିତ ହୋଇଥିଲେ। ଗାନ୍ଧୀ ପରିବାରର ଅତ୍ୟନ୍ତ ଅନୁଗତ ଭାବେ ପରିଚିତ ଅହମ୍ମଦ ପଟେଲ ୩ ଥର ଲୋକସଭା ଓ ୫ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।୧୯୪୯ ଅଗଷ୍ଟ ୨୧ରେ, ଗୁଜରାଟର ଭାରୁଚର ପିରାମନରେ ଜନ୍ମଗ୍ରହଣ କରିଥିଲେ ଅହମ୍ମଦ। କେବଳ ଗୁଜରାଟ ନୁହେଁ, ଦେଶର ରାଜନୀତିକୁ ମଧ୍ୟ ଅନେକ ଦିନ ଧରି ପ୍ରଭାବିତ କରି ରଖିଥିଲେ ଅହମ୍ମଦ। କଂଗ୍ରେସର ବିଭିନ୍ନ ଜରୁରୀ ସମୟରେ ସେ ତ୍ରାଣକର୍ତ୍ତା ଭାବେ ଉଭା ହେଉଥିଲେ। ଅନେକ ଥର ତାଙ୍କୁ ମନ୍ତ୍ରୀପଦ ଯଚାଯାଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରୁ ନଥିଲେ; ବରଂ ସଂଗଠନ ପାଇଁ ସର୍ବାଧିକ ସମୟ ଦେଉଥିଲେ। ୨୦୦୧ରୁ ୨୦୧୭ ଯାଏଁ ସେ ସୋନିଆ ଗାନ୍ଧୀଙ୍କର ରାଜନୈତିକ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କର ସଫଳ ଗୋଟିଚାଳନା ପାଇଁ ୨୦୦୮ରେ ଆସ୍ଥା ଭୋଟରେ କଂଗ୍ରେସ ସରକାର ବିଜୟୀ ହୋଇଥିଲା।

ସେତେବେଳେ ନ୍ୟୁକ୍ଲିୟର ବିଲକୁ ବିରୋଧ କରି ବାମଦଳ ସମର୍ଥନ ପ୍ରତ୍ୟାହାର କରିନେବା ପରେ ୟୁପିଏ ସରକାର ସଂଖ୍ୟାଲଘୁ ହୋଇଯାଇଥିଲା। କିନ୍ତୁ ଅନ୍ୟ ଦଳଗୁଡ଼ିକର ସହାୟତାରେ ୟୁପିଏ ସରକାର ବର୍ତ୍ତିଯାଇଥିଲା। ୨୦୧୪  ନିର୍ବାଚନ ବେଳେ ପାଣ୍ଠି ଅଭାବରୁ କଂଗ୍ରେସ ନିର୍ବାଚନ ପରିଚାଳନା କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲା। ୨୦୧୮ ଯାଏଁ ସେମିତି ପରିସ୍ଥିତି ଦେଖାଦେଇଥିଲା। ଠିକ୍ ସେହି ସମୟରେ ରାହୁଲ ଗାନ୍ଧୀ ତାଙ୍କୁ ଦଳର କୋଷାଧ୍ୟକ୍ଷା ଭାବେ ନିଯୁକ୍ତି ଦେଇଥିଲେ।ଯେଉଁ କର୍ପୋରେଟ ସଂସ୍ଥା କଂଗ୍ରେସକୁ ପାଣ୍ଠି ଦେବା ବନ୍ଦ କରିଦେଇଥିଲେ, ସେହିମାନେ ପୁଣି ଅହମ୍ମଦ ପଟେଲଙ୍କ ଉଦ୍ୟମରେ କଂଗ୍ରେସକୁ ପାଣ୍ଠି ଯୋଗାଇଥିବା ଚର୍ଚ୍ଚା ହୁଏ। ୨୦୧୭ରେ ରାଜ୍ୟସଭା ନିର୍ବାଚନ ବେଳେ ଅହମ୍ମଦ ପଟେଲ ଜିତିବେ କି ନାହିଁ ତା ଉପରେ ସମସ୍ତଙ୍କ ନଜର ଥିଲା। କିନ୍ତୁ ସମସ୍ତଙ୍କୁ ଚକମା ଦେଇ, ବିଜେପି ଖାତାରୁ ତାଙ୍କ ପାଇଁ ଗୋଟିଏ ରାଜ୍ୟସଭା ସିଟ୍ ଛଡ଼ାଇ ଆଣିଥିଲେ ଅହମ୍ମଦ।

Comment