ଓଡ଼ିଶାଲାଇଭ୍‌ ଏଣ୍ଟରଟେମେଣ୍ଟ ବ୍ୟୁରୋ

ଓଡ଼ିଆ ଫିଲ୍ମ ଜଗତରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଅଭିନୟ କରିବା ସହିତ ନିର୍ଦ୍ଦେଶନାରେ ବି ଭାଗ୍ୟ ପରୀକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରୁ ନିର୍ଦ୍ଦେଶନାରେ କିଏ ସଫଳ ହୋଇଛନ୍ତି ତ ଆଉ କିଏ ବିଫଳ। ତେବେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ଦେଇଥିବା ସେମିତି କିଛି କଳାକାରଙ୍କୁ ଆସନ୍ତୁ ଜାଣିବା।

ବିଜୟ ମହାନ୍ତି

ଓଲିଉଡ ଫିଲ୍ମ ଜଗତର ଜଣେ ଭେଟେରାନ ଅଭିନେତା ଥିଲେ ବିଜୟ ମହାନ୍ତି। ଫିଲ୍ମ କ୍ୟାରିୟର ଭିତରେ ପ୍ରାୟ ୭୦ରୁ ଅଧିକ ଫିଲ୍ମ ସେ କରିଥିଲେ। ଏହାସହ ବିଭିନ୍ନ ମେଗା ଧାରାବାହିକରେ ମଧ୍ୟ କାମ କରିଥିଲେ। ଅଭିନୟ କରିବା ସହିତ ବିଜୟ ମହାନ୍ତି ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୧୯୮୭ରେ ‘ଭୁଲି ହୁଏନା’ ଫିଲ୍ମ ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ।  ଏହି ଫିଲ୍ମ କିନ୍ତୁ ସଫଳ ହୋଇପାରିନଥିଲା।

ପ୍ରଶାନ୍ତ ନନ୍ଦ

ଓଡ଼ିଶାର ଜଣେ ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ଗୀତିକାର, ପ୍ରଚ୍ଛଦପଟ ଗାୟକ ଓ ରାଜନେତା ଭାବେ ପ୍ରଶାନ୍ତ ନନ୍ଦ ବେଶ ପରିଚିତ। ସେ ପ୍ରାୟ ୪୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଏହାସହ ୨୪ଟିରୁ ଅଧିକ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ଗୁଲାମଗିରି, ଲାଲପାନ ବିବି, ହିସାବ ନିକାଶ, ବଳିଦାନ ଭଳି ହିଟ୍‌ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।

ଶ୍ରୀତମ ଦାସ

ଶ୍ରୀତମ ଦାସଙ୍କୁ ସେ ସମୟରେ ଅନେକ ଚକଲେଟ୍‌ ହିରୋ ବୋଲି କହୁଥିଲେ। ହ୍ୟାଣ୍ଡସମ୍‌ ଲୁକ୍‌ ଯୋଗୁଁ ତାଙ୍କ ନାୟକ ଭୂମିକାରେ ଦର୍ଶକ ପସନ୍ଦ କରୁଥିଲେ। ସେ ଏଯାବତ୍‌ ପ୍ରାୟ ୬୦ରୁ ଅଧିକ ଫିଲ୍ମରେ କାମ କରଛନ୍ତି। ଏହାରି ମଧ୍ୟରେ ସେ ନିର୍ଦ୍ଦେଶନାକୁ ମଧ୍ୟ ଓହ୍ଲାଇଛନ୍ତି। ଫିଲ୍ମ ‘ ତୁ ଥା ମୁଁ ଯାଉଛି ରୁଷି’ରେ  ଶ୍ରୀତମ ନିର୍ଦ୍ଦେଶନା ଦେବା ସହିତ ଏହାର କାହାଣୀ ଲେଖିଥିଲେ।

ହର ପଟ୍ଟନାୟକ

ଖଳନାୟକ ଭାବେ ଦମଦାର ଅଭିନୟ କରି ଦର୍ଶକଙ୍କ ମନରେ ଚିର ଅମର ରହିଛନ୍ତି ହର ପଟ୍ଟନାୟକ। ତାଙ୍କର କେତେକ ମଜାଦାର ଡାଇଲଗ୍‌ ମଧ୍ୟ ଆଜିବି ଦର୍ଶକ ମନେ ପକାନ୍ତି। ତେବେ ଜଣେ ଅଭିନେତା ଭାବେ ସେ ଯେତିକି ସଫଳ ହୋଇଛନ୍ତି, ନିର୍ଦ୍ଦେଶନା କ୍ଷେତ୍ରରେ ବି ସେ ସେତିକି ସଫଳତା ସାଉଣ୍ଟିଛନ୍ତି। ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ କିଛି ଫିଲ୍ମ ସୁପରଡୁପର ହିଟ୍‌ ହୋଇଛି। ଏହି ହିଟ୍‌ ଫିଲ୍ମଗୁଡ଼ିକ ହେଲା ପାଗଳ ପ୍ରେମୀ, କଳକୀ ଅବତାର, ପୁଅ ମୋର ଭୋଳାଶଙ୍କର, ସୁହାଗ ସିନ୍ଦୂର।ଅଜିତ ଦାସ

ଓଲିଉଡର ଅନ୍ୟ ଜଣେ ଭେଟେରାନ୍‌ ଅଭିନେତା ଥିଲେ ଅଜିତ ଦାସ। ଅଭିନୟ କରିବା ସହ ସେ ନିର୍ଦ୍ଦେଶନା ଦେଉଥିଲେ। ତାଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା ରେବତୀ, ମାମୁଁ, ଲଚ୍ଛମା, ବୁଢ଼ା ସଂଖାରୀ ଭଳି କାଳଜୟୀ ନାଟକ।

ମହମ୍ମଦ ମହସୀନ

ଓଡ଼ିଆ ଫିଲ୍ମ ଜଗତରେ ଜଣେ ପରିଚିତ ଚେହେରା ଥିଲେ ମହମ୍ମଦ ମହସୀନ।  ଜଣେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ସେ ହୋଇଥିଲେ ସଫଳ। ୧୯୮୨ ମସିହାରେ ଫୁଲ ଚନ୍ଦନ ଫିଲ୍ମରେ ମହମ୍ମଦ ମହସୀନଙ୍କୁ ପ୍ରଥମେ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିଥିଲା। ଏହାପରେ ଲକ୍ଷ୍ମୀ ପ୍ରତିମା, ଧର୍ମ ସହିଲେ ହେଲା, ସନ୍ତାନ, ସହରୀ ବାଘ, ବିଧିର ବିଧାନ, ଜଗା ହାତରେ ପଘା ଭଳି ଲୋକପ୍ରିୟ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ।

Comment